କମିବ ତାପମାତ୍ରା, ବଢ଼ିବ ବର୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ସକ୍ରିୟ ହେବ ମୌସୁମୀ। ଏହାର ପ୍ରଭାବରେ ରାଜ୍ୟରେ ବଢ଼ିଥିବା ତାପମାତ୍ର ହ୍ରାସ ପାଇବ। ଆସନ୍ତାକାଲିଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ। ଆକାଶ ମେଘାଚ୍ଛନ୍ନ ରହିବ। ୫ ଓ ୬ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଦେଇଛନ୍ତି।
ସେ ଆହୁରି କହିଛନ୍ତି, ୫ ଓ ୬ ତାରିଖରେ ଓଡ଼ିଶାରେ ବର୍ଷା ବୃଦ୍ଧି ହେବାର ସମ୍ଭାବନା ରହିଛି। ୫ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ଓ ଉତ୍ତର ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ସୋମବାର ସତର୍କ ସୂଚନା ଜାରି କରାଯାଇଥିଲା। ୬ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ଦାସ କହିଛନ୍ତି।
#Warning for Day-1, Day-2, Day-4 & Day-5
Day-3: No warning pic.twitter.com/5KU2eOl4r8— Meteorological Centre, Bhubaneswar (@mcbbsr) August 2, 2022
ପାଣିପାଗ ବିଜ୍ଞାନୀ ଶ୍ରୀ ଦାସ ଆହୁରି କହିଛନ୍ତି, ଜୁନ ୧ ତାରିଖରୁ ଅଗଷ୍ଟ ୨ ତାରିଖ ମଧ୍ୟରେ ରାଜ୍ୟରେ ୫୭୨ ମିଲିମିଟର ବର୍ଷା ହେବା କଥା। ମାତ୍ର ହୋଇ ୫୧୬ ମିଲିମିଟର ବର୍ଷା। ଅର୍ଥାତ ୧୦ % ବର୍ଷା କମ୍ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଭଦ୍ରକ ଜିଲ୍ଲାରେ ୨୪%, ବଲାଙ୍ଗିର ଜିଲ୍ଲାରେ ୨୨%, ଝାରସୁଗାଡ଼ା ଜିଲ୍ଲାରେ ୨୧%, କଳାହାଣ୍ଡି ଜିଲ୍ଲାରେ ୨୦%, ମୟୂରଭଞ୍ଜ ଜିଲ୍ଲାରେ ୨୧%, ସମ୍ୱଲପୁର ଜିଲ୍ଲାରେ ୩୦%, ସୁନ୍ଦରଗଡ଼ ଜିଲ୍ଲାରେ ୪୧% କମ୍ ବର୍ଷା ରେକର୍ଡ କରାଯାଇଛି। ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। କନ୍ଧମାଳ ଜିଲ୍ଲାରେ ୨୫% ଓ ବୌଦ୍ଧ ଜିଲ୍ଲାରେ ୩୦% ଅଧିକ ବର୍ଷା ହୋଇଛି। ଗତ ୨୮ ତାରିଖଠାରୁ କ୍ରମାଗତ ଭାବେ ମୌସୁମୀ ଦୁର୍ବଳ ରହିଛି। ଏହି ଦୁର୍ବଳ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪.୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସର୍ବାଧିକ ବର୍ଷା କେନ୍ଦ୍ରାପଡ଼ା ଜିଲ୍ଲାର ପଟାମୁଣ୍ଡାଇଠାରେ କରାଯାଇଥିବା ଶ୍ରୀ ଦାସ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।