Advertisment

ହକି ପାଣ୍ଠି ଅନିୟମିତତା: ସିବିଆଇ ତଦନ୍ତ ଆରମ୍ଭ, ଓଡ଼ିଶାରେ ଛନକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହକି ପାଣ୍ଠିର ତୋଷାରପାତ ଅଭିଯୋଗରେ ଇଣ୍ଟରନ୍ୟାସନାଲ ହକି ଫେଡ଼େରେସନ(ଏଫଆଇଏଚ) ସଭାପତି ନରିନ୍ଦର ବ୍ରତାଙ୍କ ବିରୁଦ୍ଧରେ ସିବିଆଇ ତଦନ୍ତ ଆରମ୍ଭ ହୋଇଥିବାବେଳେ ଓଡ଼ିଶାରେ ଏହାର କମ୍ପନ ସୃଷ୍ଟି ହୋଇଛି । ଭୁବନେଶ୍ୱରରେ ସମ୍ମାନଜନକ ବିଶ୍ୱକପ୍ ହକି-୨୦୧୮ ମ୍ୟାଚ ଆୟୋଜନ କରି ଓଡ଼ିଶା ସମଗ୍ର ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା, ମାତ୍ର ଶ୍ରୀ ବ୍ରତାଙ୍କ ସହଯୋଗରେ ଏହି ମ୍ୟାଚ ଆୟୋଜନ ଆଳରେ ରାଜ୍ୟର କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀ ଏଭଳି ଢଙ୍ଗରେ କୋଟି କୋଟି ଟଙ୍କା ରାଜସ୍ୱ […]

author-image
Ordigital Desk
କ୍ରୀଡ଼ା କ୍ଷେତ୍ରର ଭିତ୍ତିଭୂମି ବିକାଶ ପାଇଁ ୯୧୧ କୋଟି, ସର୍ବକାଳୀନ ରେକର୍ଡ

Hockey

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହକି ପାଣ୍ଠିର ତୋଷାରପାତ ଅଭିଯୋଗରେ ଇଣ୍ଟରନ୍ୟାସନାଲ ହକି ଫେଡ଼େରେସନ(ଏଫଆଇଏଚ) ସଭାପତି ନରିନ୍ଦର ବ୍ରତାଙ୍କ ବିରୁଦ୍ଧରେ ସିବିଆଇ ତଦନ୍ତ ଆରମ୍ଭ ହୋଇଥିବାବେଳେ ଓଡ଼ିଶାରେ ଏହାର କମ୍ପନ ସୃଷ୍ଟି ହୋଇଛି ।

Advertisment

ଭୁବନେଶ୍ୱରରେ ସମ୍ମାନଜନକ ବିଶ୍ୱକପ୍ ହକି-୨୦୧୮ ମ୍ୟାଚ ଆୟୋଜନ କରି ଓଡ଼ିଶା ସମଗ୍ର ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା, ମାତ୍ର ଶ୍ରୀ ବ୍ରତାଙ୍କ ସହଯୋଗରେ ଏହି ମ୍ୟାଚ ଆୟୋଜନ ଆଳରେ ରାଜ୍ୟର କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀ ଏଭଳି ଢଙ୍ଗରେ କୋଟି କୋଟି ଟଙ୍କା ରାଜସ୍ୱ ଲୁଟ୍ କଲେ, ଯାହା ଏବେବି ରହସ୍ୟଘେରରେ ରହିଛି । ଏବେ ଶ୍ରୀ ବ୍ରତାଙ୍କ ସମେତ ହକି ଇଣ୍ଡିଆର କିଛି ଅଧିକାରୀଙ୍କ ବିରୁଦ୍ଧରେ ସିବିଆଇ ତଦନ୍ତ ଆରମ୍ଭ ହୋଇଥିବାରୁ ଓଡ଼ିଶାରେ ହକି ଇଣ୍ଡିଆ ସହ ଆର୍ଥିକ କାରବାରରେ ସମ୍ପୃକ୍ତ ଥିବା କିଛି ଆଇଏଏସ ଅଫିସରଙ୍କୁ ମଧ୍ୟ ସିବିଆଇ ଜେରାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଜଣାପଡ଼ିଛି।

ଖବର ସରବରାହ ସଂସ୍ଥା ‘ଏଏନଆଇ’ ସୂଚନା ଅନୁସାରେ, ଏଫଆଇଏଚ୍ ସଭାପତି ଶ୍ରୀ ବ୍ରତା ହକି ଇଣ୍ଡିଆ ପାଣ୍ଠିରୁ ପ୍ରାୟ ୩୫ଲକ୍ଷ ଟଙ୍କା ନିଜ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ନେଇଛନ୍ତି । ଯେଉଁ ଅଭିଯୋଗ ଆଧାରରେ ସିବିଆଇ ତାଙ୍କ ବିରୁଦ୍ଧରେ ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ତାଙ୍କୁ ଜେରା କରିବାର ସମ୍ଭାବନା ରହିଛି ବୋଲି ଏଏନଆଇ କହିଛି ।

Advertisment

ଏପଟେ ଶ୍ରୀ ବ୍ରତାଙ୍କ ସହ ବେଶ୍ ଘନିଷ୍ଠ ସମ୍ପର୍କ ରଖିଥିବା ରାଜ୍ୟର କିଛି ବରିଷ୍ଠ ଆଇଏଏସ୍ ଅଫିସରଙ୍କ ମଧ୍ୟରେ ଏବେ ଛନକା ପଶିଛି । କାରଣ ୨୦୧୮ ବିଶ୍ୱକପ୍ ହକି ମ୍ୟାଚ୍ ଆୟୋଜନ ପାଇଁ ରାଜ୍ୟ ରାଜକୋଷରୁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତା’ର ସଠିକ୍ ହିସାବ ଏପର୍ଯ୍ୟନ୍ତ ସମ୍ପୃକ୍ତ ପ୍ରଭାବଶାଳୀ ଅଫିସରମାନେ ଦେଇନାହାନ୍ତି । ଏପରିକି ସିଏଜି ମଧ୍ୟ ଅଡିଟ୍ କରିବାକୁ ଚାହିଁବାରୁ ତାଙ୍କୁ ଏସବୁ ତଥ୍ୟ ଦେବାରେ ସହଯୋଗ ମଧ୍ୟ କରିନଥିଲେ ।

ରାଜ୍ୟ ସରକାରଙ୍କ ବିଭିନ୍ନ ଏଜେନ୍ସୀ ଯଥା- ଓଏମସି , ଇଡକୋ, ବିଡିଏ ଓ ବିଏମସି ଆଦିଠୁ ଅର୍ଥ ଆଣି ଏହି ବିଶ୍ୱକପ୍ ହକି ଆୟୋଜନ କରାଯାଇଥିଲା । କିନ୍ତୁ ବାସ୍ତବରେ କେତେ ଟଙ୍କା ଆସିଥିଲା ତାହା ଏବେବି ଅସ୍ପଷ୍ଟ ରହିଛି । ଯଦିଓ ୨୦୨୧ ମାର୍ଚ୍ଚ ମାସରେ ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ୨୦୧୮ ବିଶ୍ୱକପ୍ ହକି ମ୍ୟାଚ୍ ପାଇଁ ମାତ୍ର ୬୬.୯୮କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି କହିଥିଲେ । ମାତ୍ର ବିଶ୍ୱକପ୍ ହକି ଆୟୋଜନବେଳେ ଯେଉଁ ଢଙ୍ଗରେ ଦେଶବିଦେଶରେ ପ୍ରଚାର-ପ୍ରସାର ଓ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମମାନ ହେଉଥିଲା, ସେହି ଖର୍ଚ୍ଚ ପରିମାଣ ଯେ ଏହାଠୁ ଢେର ଅଧିକ ଥିଲା ତାହା ଜଳଜଳ ହୋଇ ଦିଶୁଥିଲା ।

କୋଟି କୋଟି ଟଙ୍କାର ଷ୍ଟାରନାଇଟ୍ ଆୟୋଜନଠୁ ଆରମ୍ଭ କରି ଚଢ଼ାଦରରେ ବିଜ୍ଞାପନ ଦେଇ ଜାତୀୟ ଓ ବିଦେଶୀ ମିଡିଆକୁ ସନ୍ତୁଷ୍ଟ କରାଯାଉଥିଲା । ଆଉ ଏସବୁ ଭିତରେ ହକି ଇଣ୍ଡିଆଠୁ ସହଯୋଗ ପାଇବାକୁ ଏଫଆଇଏଚ୍ ସଭାପତି ଶ୍ରୀ ବ୍ରତାଙ୍କୁ ତୁଷ୍ଟୀକରଣ କରାଇବା ପାଇଁ ଓଡ଼ିଶାର କିଛି ନିର୍ଦ୍ଦିଷ୍ଟ ଆଇଏଏସ୍ ଅଫିସର ଲାଗି ପଡ଼ିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବାଠୁ ଆରମ୍ଭ କରି ସବୁକିଛି ପ୍ରାୟୋଜିତ କାର୍ଯ୍ୟକ୍ରମ ଏହି ଆଇଏଏସ୍ ଅଫିସରମାନେ କରାଇ ବାହାବା ନେଇଥିଲେ । ଏବେ ସିବିଆଇ ସ୍କାନରକୁ ଶ୍ରୀ ବ୍ରତା ଓ ହକି ଇଣ୍ଡିଆର ଅଧିକାରୀମାନେ ଆସିବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଆର୍ଥିକ କାରବାର ମଧ୍ୟ ଯାଂଚ ହେବାର ଆଶଙ୍କା ରହିଛି । ଆଉ ଏହା ହିଁ ରାଜ୍ୟର କିଛି ପ୍ରଭାବଶାଳୀ ଆଇଏଏସ୍ ଅଫିସରମାନଙ୍କ ମନରେ ଛନକା ବଢ଼ାଇ ଦେଇଥିବା ଜଣାପଡ଼ିଛି ।

ଚର୍ଚ୍ଚା ହୁଏ, ୨୦୧୮ ହକି ମ୍ୟାଚ୍ ଆୟୋଜନ ଆଳରେ ସେହି ବିଭାଗ ସହ ଜଡ଼ିତ ଥିବା ରାଜ୍ୟର ଦୁଇ ଅଣଓଡ଼ିଆ ଆଇଏଏସ୍ ଅଫିସର ରାଜ୍ୟ ବାହାରେ ବହୁ କୋଟି ଟଙ୍କାର ଦାମୀ ବଙ୍ଗଳା କିଣିବାରେ ସକ୍ଷମ ହୋଇଛନ୍ତି ।