ଓଡ଼ିଶାରେ ‘କରୋନା’ ଭ୍ୟାକ୍ସିନ୍ର ମାନବ ପରୀକ୍ଷଣ କେମିତି ହେବ? ପଢ଼ନ୍ତୁ ପୂରା ରିପୋର୍ଟ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେବେ ଆସିବ ସ୍ୱାଭାବିକ ସ୍ଥିତି? କେବେ ଫେରିବ ସେଇ ପୁରୁଣା ଦିନ? ଯେତେବେଳେ ବିନା ମାସ୍କରେ ନିଃଶ୍ୱାସ ନେଇ ହେବ, ବିଶ୍ୱାସରେ କାହାକୁ ଛୁଇଁ ହେବ ଓ ବିନା ଭୟରେ ଭିଡ଼କୁ ଯାଇହେବ। ବୋଧ ହୁଏ ଏସବୁର ଗୋଟିଏ ଉତ୍ତର ମିଳିବ ‘କରୋନା’ ଟୀକା ଆସିବା ପରେ। ସେଥିପାଇଁ ସାରା ବିଶ୍ୱ ‘କରୋନା’ ଟୀକା ପ୍ରସ୍ତୁତିରେ ଲାଗିପଡ଼ିଥିବା ବେଳେ ଭାରତ ମଧ୍ୟ ପଛରେ ନାହିଁ। ହ୍ୟୁମାନ୍ ଟ୍ରାଏଲ୍ ପାଇଁ ଭାରତର ୨ଟି ଟୀକାକୁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରାଳୟ ଅନୁମତି ଦେଇଛି।
‘କରୋନା’ ବିରୋଧୀ ଲଢ଼େଇରେ ଭାରତର ୨ଟି ଆଶା ହେଉଛି ‘କୋଭାକ୍ସିନ୍’ ଓ ‘ଜାଇକୋଲ୍-ଡି’। ‘କରୋନା’ର ଅନ୍ତ ପାଇଁ ଚାଲିଥିବା ଭ୍ୟାକ୍ସିନ ରେସ୍ରେ ଥିବା ବିଶ୍ୱର ଅନ୍ୟ ୯ଟି ସଂସ୍ଥା ସହ ଏହି ୨ଟି ଭାରତୀୟ ଉଦ୍ଭାବନକୁ ମଧ୍ୟ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି।
ସେପଟେ ଭାରତ ବାୟୋଟେକ୍ ଓ ICMRର ମିଳିତ ପ୍ରୟାସରେ ପ୍ରସ୍ତୁତ ‘କୋଭାକ୍ସିନ୍’ ମାନବ ପରୀକ୍ଷଣ ଓଡ଼ିଶାରେ ହେବାକୁ ଯାଉଛି। ମୁଖ୍ୟତଃ ୩ଟି ପର୍ଯ୍ୟୟରେ ମଣିଷ ଦେହରେ ଏହି ସମ୍ଭାବ୍ୟ ଟୀକାର ପ୍ରଭାବ ପରୀକ୍ଷା ହେବାକୁ ଥିବା ବେଳେ, ଦେଶର ଅନ୍ୟ ୧୧ଟି ହସ୍ପିଟାଲ ସହ ଭୁବନେଶ୍ୱର ସ୍ଥିତ ସମ୍କୁ ବି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ମିଳିଛି। ତେବେ ସେଠାରେ ମାନବ ପରୀକ୍ଷଣ କେମିତି ହେବ? କାହା ଦେହରେ ଏହାକୁ ପରୀକ୍ଷା କରାଯିବ? ସେନେଇ ପ୍ରମୁଖ ପରୀକ୍ଷକ ପ୍ରଫେସର ଇ. ଭେଙ୍କଟ ରାଓ କହିଛନ୍ତି-“ଫେଜ୍-୧ରେ କରୋନା ଭ୍ୟାକ୍ସିନ୍ ଦିଆଯାଇଥିବା ବ୍ୟକ୍ତିଙ୍କର କିଛି କ୍ଷତି ହେଉଛି ନାହିଁ ଦେଖାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଭ୍ୟାକ୍ସିନ୍ ଦିଆଯିବା ବ୍ୟକ୍ତିର ପ୍ରତିରୋଧ ଶକ୍ତି କେମିତି ଅଛି ଦେଖାଯିବ। ଏଥିରେ ସଫଳତା ମିଳିଲେ ତୃତୀୟ ପର୍ଯ୍ୟାୟରେ ବହୁ ବ୍ୟକ୍ତିଙ୍କ ଶରୀରରେ ଭ୍ୟାକ୍ସିନ୍ ପରୀକ୍ଷା କରାଯିବ।”
କରୋନା ଭ୍ୟାକ୍ସିନ୍ କାହା ଶରୀରେ ପରୀକ୍ଷା କରାଯିବ? ଏହାର ଉତ୍ତରରେ ପ୍ରଫେସର ଇ. ଭେଙ୍କଟ ରାଓ କହିଛନ୍ତି-“୧୮ରୁ ୫୫ ବର୍ଷର ବ୍ୟକ୍ତିଙ୍କ ଶରୀରରେ ପରୀକ୍ଷା କରାଯିବ। ଭ୍ୟାକ୍ସିନ୍ ଦିଆଯିବା ପୂର୍ବରୁ ତାଙ୍କୁ ସ୍କ୍ରନିଂ, ଫିଜିକାଲ୍ ଏକ୍ଜାମିନ୍ ଓ ଲାବୋରେଟାରୀ ପରୀକ୍ଷା କରାଯିବ। ସବୁଥିରେ ସମ୍ପୃକ୍ତ ବ୍ୟକ୍ତି ଫିଟ୍ ଥିବା ରିପୋର୍ଟ ଆସିଲେ ଯାଇ ଭ୍ୟାକ୍ସିନ୍ ପରୀକ୍ଷା କରାଯିବ।”
ହ୍ୟୁମାନ୍ ଟ୍ରାଏଲ୍ ନେଇ ପ୍ରଫେସର ରାଓ କହିଛନ୍ତି-“ପ୍ରଥମେ ଭ୍ୟାକ୍ସିନ ଦିଆଯିବ। ତା’ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କର ସବୁ ଟେଷ୍ଟ କରାଯିବ। ୭ ଦିନ ପରେ ଆଉଥରେ ଭ୍ୟାକ୍ସିନ୍ ଦିଆଯିବ। ୧୪ ଦିନ ପରେ ଦ୍ୱିତୀୟ ପର୍ଯ୍ୟାୟ ଭ୍ୟାକ୍ସିନ୍ ଦିଆଯିବ। ତା’ପରେ ୪ଟି ପର୍ଯ୍ୟାୟରେ ତାଙ୍କର ପ୍ରତି ଥର ରକ୍ତ ପରୀକ୍ଷା କରାଯିବ। ରିପୋର୍ଟ ଭଲ ଆସିଥିଲେ ଭାବିବା, ଭ୍ୟାକ୍ସିନ୍ ସଫଳ ହୋଇଛି।”
Details of the trials of #COVID19 vaccine shared by Dr E Venkata Rao of Institute of Medical Sciences & SUM Hospital in #Odisha, which has been selected among other institutes in the country for the human trials pic.twitter.com/q2SwXi8iUO
— OTV (@otvnews) July 6, 2020
ଯେତେ ଶୀଘ୍ର ସମ୍ଭବ ‘କରୋନା’ ଟୀକା ବାହାରୁ ବୋଲି ସାରା ବିଶ୍ୱ ଚାହୁଁଛି। ତେବେ ମାତ୍ର କେଇ ସପ୍ତାହରେ, ଅର୍ଥାତ ଅଗଷ୍ଟ ୧୫ ସୁଦ୍ଧା କୋଭାକ୍ସିନ୍ ଲୋକାର୍ପଣ ନେଇ ICMRର ବୟାନକୁ ହଜମ କରିପାରୁନାହାନ୍ତି ବୈଜ୍ଞାନିକ। ଏଭଳି ଦାବିକୁ ଅବାସ୍ତବ ଓ ଅଯୌକ୍ତିକ ବୋଲି ଦର୍ଶାଇବା ସହ, ଏହା ଲୋକଙ୍କ ମନରେ ମିଛ ଆଶା ସୃଷ୍ଟି କରିବ ବୋଲି କହିଛି ଭାରତୀୟ ବିଜ୍ଞାନ ଏକାଡେମୀ।
ସେପଟେ ୨୦୨୧ ସୁଦ୍ଧା ଲୋକଙ୍କ ବ୍ୟବହାର ପାଇଁ ଦେଶରେ କୌଣସି ବି ଟୀକା ପ୍ରସ୍ତୁତ ହୋଇପାରିବ ନାହିଁ ବୋଲି ଏକ ଲେଖା ପ୍ରକାଶ କରି, ପରେ ସେଥିରୁ ମସିହାକୁ କାଟି ଦେଇଛି ପ୍ରେସ୍ ଇନ୍ଫରମେଶନ୍ ବ୍ୟୁରୋ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।