ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ନଦୀରେ ବାଜି ଲାଗିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ଭରା ନଈରେ ଚାଲିଛି ଭବିଷ୍ୟତ ଖୋଜା। ପାଠପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ଜୀବନମରଣର ସହ ସଂଘର୍ଷ କରିବାକୁ ପଡ଼ୁଛି। ରେଢ଼ାଖୋଲର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀ ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ହରିହର ଯୋର୍ ନଦୀ ପାର ହେଉଛନ୍ତି। ନଦୀ ଆରପଟ ଗାଁ ସ୍କୁଲକୁ ପାଠ ପଢ଼ାଇବା ପାଇଁ ଯାଉଛନ୍ତି। ଏହି କମଳମତି ପିଲାମାନଙ୍କ ମଧ୍ୟରୁ କିଏ ବାପାର କାନ୍ଧରେ ତ କିଏ ମା’ର ହାତ ଧରି ବନ୍ୟା ପାଣିର ପ୍ରଖର ସ୍ରୋତରେ ନଦୀ ପାର ହେଉଛି। ଆଉକିଏ ଭଗବାନଙ୍କ ଭରସାରେ ବହି ବସ୍ତାନି ଧରି ଅଣ୍ଟାଏ ଉଛୁଳା ପାଣିରେ ନିଜର କୋମଳମତି ଶିଶୁଙ୍କୁ ନଈ ପାର କରୁଛନ୍ତି।
ଏ ଦୃଶ୍ୟ ରେଢ଼ାଖୋଲ ବ୍ଲକ ବଡ଼ମାଳ ପଞ୍ଚାୟତ ଦେବାହାଳି ଗାଁର। ଗାଁରେ ନାହିଁ ଅଙ୍ଗନବାଡ଼ି କେନ୍ଦ୍ର କି ପ୍ରାଥମିକ ବିଦ୍ୟାଳୟ। ଗାଁ ଠାରୁ୧ କି.ମି. ଦୂର ହରିହର ଯୋର୍ ପାର ହେଲେ ଆରପଟରେ ରହିଛି ଭାଲିଆକଟା ପଞ୍ଚାୟତ ବୁଢିଖମାର ଗାଁ। ଏଠାରେ ରହିଛି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ପ୍ରତି ଦିନ ଏହି ନାଳ ଦେଇ ପ୍ରାୟ ୨୦ ଜଣ ସ୍କୁଲ ଛାତ୍ରଛାତ୍ରୀ ଓ ଅଙ୍ଗନବାଡ଼ି ଶିଶୁ ଯିବାଆସିବା କରନ୍ତି। ବର୍ଷା ମାସ ଆସିଲେ ସମସ୍ୟା ବଢିଯାଏ। ପିଲାମାନଙ୍କ ପାଠପଢ଼ା ନଦୀ ପାଣି ବଢ଼ିବା ଓ କମିବା ଉପରେ ନିର୍ଭର କରେ।
ଗତକାଲି ଅର୍ଥାତ୍ ଶନିବାର ପାଠପଢିବାକୁ ନଦୀ ପାର ହେବାକୁ ଆସିଥିଲେ ସମସ୍ତେ। ହେଲେ ଉଛୁଳା ନଦୀ ଦେଖିବା ପରେ ଭୟରେ ଅନେକ ପିଲା ଯାଇପାରିଲେ ନାହିଁ। କିଛି ପିଲା ଜୀବନକୁ ବାଜି ଲଗାଇ ଆର ପାରିକୁ ଯାଇଥିଲେ। ସେମାନଙ୍କ କହିବା କଥା ନଦୀରେ ଅଳ୍ପ ପାଣି ଥିଲେ ପାର ହୋଇ ଆରପଟକୁ ପାଠପଢ଼ିବାକୁ ଯାଆନ୍ତି। କିନ୍ତୁ ଛାତିଏରୁ ଅଧିକ ପାଣି ଥିଲେ କୂଳରୁ ହିଁ ସମସ୍ତେ ଘରକୁ ଫେରିଆସନ୍ତି। ନଈ ବଢ଼ି ଯୋଗୁ ୫ ଦିନ ହେଲାଣି ଦେବାହାଳି ଗାଁର ଛାତ୍ରଛାତ୍ରୀମାନେ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି।
ଅଭିଭାବକଙ୍କ କହିବା କଥା ଏହି ନଦୀ ଉପରେ ବ୍ରିଜ୍ କରିବାକୁ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ଅଫିସରମାନଙ୍କୁ ଅନେକ ଥର ଭେଟି ନିବେଦନ କରିଛନ୍ତି। ହେଲେ କେହି ଏହା ପ୍ରତି ଦୃଷ୍ଟି ଦେଉନାହାନ୍ତି। ତେଣୁ ପିଲାମାନଙ୍କ ଭବିଷ୍ୟତ ଗଢ଼ିବାକୁ ଏଭଳି ଜୀବନମରଣ ସହ ସଂଘର୍ଷ କରିବାକୁ ପଡ଼ୁଛି। ଛାତ୍ରଛାତ୍ରୀମାନେ କହିଛନ୍ତି, ସରକାର ସେମାନଙ୍କ କଥା ନ ବୁଝିବା କଥା। ଯଦି ବୁଝୁନାହାନ୍ତି, ତେବେ ଦୁର୍ଭାଗ୍ୟ।
ଏନେଇ ଫୋନ୍ରେ ଯୋଗାଯୋଗ କରିବା ପରେ ବିଡ଼ିଓ ପରୀକ୍ଷିତ ସାହୁଙ୍କ ଅଜବ ଉତ୍ତର ଶୁଣିବାକୁ ମିଳିଛି। ସେ କହିଛନ୍ତି, ଏଭଳି ଅଭିଯୋଗ ଆସିନି। ତଥାପି ସମସ୍ୟା ସମାଧାନ କରାଯିବା ଉପରେ ପଦକ୍ଷେପ ନିଆଯିବ।