ଓଡ଼ିଶାରେ ୪୧ ଦିନରେ ଥିଲା ୧୦୦, ଏବେ ମାତ୍ର ୬ଦିନରେ ଆଉ ୪୯ ସଂକ୍ରମିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ମହାମାରୀକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବା ସତ୍ତ୍ୱେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମାର୍ଚ୍ଚ ୧୫ତାରିଖରେ ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜିସୁଦ୍ଧା ଏହି ସଂଖ୍ୟା ୧୪୯ରେ ପହଂଚିଛି। ଏପ୍ରିଲ ୨୫ତାରିଖରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩ରେ ଥିବାବେଳେ ମାତ୍ର ୬ଦିନ ପରେ ଆଜି ଏହି ସଂଖ୍ୟା ୧୪୯ ଛୁଇଁଛି। ଅଧିକ ପରିମାଣର ନମୁନା ପରୀକ୍ଷା ଯୋଗୁ ସଂକ୍ରମିତଙ୍କ ଚିହ୍ନଟ ସମ୍ଭବପର ହେଉଛି […]

coronaa

coronaa

Manoranjan Sial
  • Published: Friday, 01 May 2020
  • Updated: 01 May 2020, 09:58 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ମହାମାରୀକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବା ସତ୍ତ୍ୱେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମାର୍ଚ୍ଚ ୧୫ତାରିଖରେ ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜିସୁଦ୍ଧା ଏହି ସଂଖ୍ୟା ୧୪୯ରେ ପହଂଚିଛି। ଏପ୍ରିଲ ୨୫ତାରିଖରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩ରେ ଥିବାବେଳେ ମାତ୍ର ୬ଦିନ ପରେ ଆଜି ଏହି ସଂଖ୍ୟା ୧୪୯ ଛୁଇଁଛି। ଅଧିକ ପରିମାଣର ନମୁନା ପରୀକ୍ଷା ଯୋଗୁ ସଂକ୍ରମିତଙ୍କ ଚିହ୍ନଟ ସମ୍ଭବପର ହେଉଛି ଓ ସଂଖ୍ୟା ବଢ଼ୁଛି ବୋଲି ରାଜ୍ୟ ସରକାର କହୁଥିବାବେଳେ ଏବେ ପଶ୍ଚିମବଙ୍ଗ ଫେରନ୍ତା ଓ ଆଗାମୀ ଦିନରେ ଅନ୍ୟ ରାଜ୍ୟରୁ ଫେରନ୍ତା ଶ୍ରମିକଙ୍କ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ହିଁ ଚିନ୍ତାର କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମାର୍ଚ୍ଚ ୧୫ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ ଓ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୪ରେ ସୀମିତ ଥିଲା। କିନ୍ତୁ ଏପ୍ରିଲ ମାସରେ ଏହି ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇ ଏବେ ୧୪୯ରେ ପହଂଚିଛି। ଅବଶ୍ୟ ଏହି କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୫୫ଜଣ ମେଡିକାଲରୁ ସୁସ୍ଥ ହୋଇ ଫେରିଛନ୍ତି। ଏବେ ୯୩ଜଣ ସକ୍ରିୟ ସଂକ୍ରମିତ ରୋଗୀ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।

ସରକାରଙ୍କ ତଥ୍ୟ ଅନୁସାରେ ଏପ୍ରିଲ ୧୦ତାରିଖରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦କୁ ଛୁଇଁଥିବାବେଳେ ସେମାନଙ୍କ ମଧ୍ୟରୁ ସେତେବେଳ ସୁଦ୍ଧା ୧୨ଜଣ ସୁସ୍ଥ ହୋଇ ମେଡିକାଲରୁ ଫେରିଥିଲେ ଓ ଜଣେ ପ୍ରାଣ ହରାଇଥିଲେ। ତେବେ ରାଜ୍ୟ ସରକାରଙ୍କ ବ୍ୟାପକ ସତର୍କତାମୂଳକ ପଦକ୍ଷେପ, କଠୋର ନିଷ୍ପତ୍ତି ଓ ଉତ୍ତମ ପରିଚାଳନା ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଧୀମା ରହିଥିଲା। ବିଶେଷକରି ଦିଲ୍ଲୀର ତବଲିଗି ଜମାତ୍ ଫେରନ୍ତାଙ୍କ ଯୋଗୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିଲା। ତେବେ ଏପ୍ରିଲ ୨୫ତାରିଖରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩କୁ ଛୁଇଁଥିବାବେଳେ ୩୪ଜଣ ସୁସ୍ଥ ହୋଇ ଫେରିଥିଲେ ଓ ମୃତୁସଂଖ୍ୟା ସେହି ୧ରେ ରହିଥିଲା। କିନ୍ତୁ ଏଥର ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୬ଦିନରେ ୧୪୯ରେ ପହଂଚିଛି।

ରାଜ୍ୟରେ ମାର୍ଚ୍ଚ ୩୦ତାରିଖରୁ ଏପ୍ରିଲ ୨୭ତାରିଖ ମଧ୍ୟରେ ମୋଟ ୨୬,୩୧୭ଟି ନମୁନା ପରୀକ୍ଷା ହୋଇଥିବାବେଳେ ଗତ ୩ଦିନ ମଧ୍ୟରେ ଅର୍ଥାତ୍ ଏପ୍ରିଲ ୩୦ତାରିଖ ମଧ୍ୟ ରାତ୍ରି ସୁଦ୍ଧା ଆଉ ୭୮୧୬ଟି ନମୁନା ପରୀକ୍ଷା ହୋଇଛି। ଆଉ ଗତ ୬ଦିନ ମଧ୍ୟରେ ୪୯ଜଣ ପଜେଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି। ୨୫ତାରିଖରେ ୯ଜଣ, ୨୬ତାରିଖରେ ୫ଜଣ, ୨୭ତାରିଖରେ ୧୦ଜଣ, ୨୮ତାରିଖରେ ଜଣେ, ୨୯ତାରିଖରେ ୯ଜଣ, ୩୦ତାରିଖରେ ୧୫ଜଣ ଓ ମେ’ ୧ତାରିଖରେ ୬ଜଣ ସଂକ୍ରମିତ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos