ସୁନ୍ଦରଗଡ (ଓଡ଼ିଶା ରିପୋର୍ଟର) ଗୁରୁତର ରୋଗୀଙ୍କୁ କାଳ ହେଲା କି ସରକାରଙ୍କ ବାଧ୍ୟତାମୂଳକ ଅବସର ଚିଠି? ଚିକିତ୍ସା ଚାଲିଥିବା ବେଳେ ପ୍ରାଣ ହରାଇଛନ୍ତି ସୁନ୍ଦରଗଡ଼ ଉଜ୍ଜ୍ୱଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପିଅନ ଗଙ୍ଗାଧର । ପରିବାର ଲୋକଙ୍କ ଅଭିଯୋଗ ଚିଠି ପାଇ ଭାଙ୍ଗି ପଡିଥିଲେ ଗଙ୍ଗାଧର । ଗତ କିଛିଦିନ ଧରି ଗଙ୍ଗାଧରଙ୍କ ଚାଲିଥିଲା ଚିକିତ୍ସା । ଧିରେ ଧିରେ ସେ ସୁସ୍ଥ ମଧ୍ୟ ହେଉଥିଲେ । ଠିକ୍ ଏତିକି ବେଳେ ପହଁଚିଥିଲା ଡିଇଓ ଅଫିସରୁ ଚିଠି । ୫୦ ବର୍ଷ ପାର କରିଥିବାରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଚିଠିରେ ଉଲ୍ଲେଖ ରହିଥିଲା । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଖବର ଶୁଣି ଅଚେତ ହୋଇପଡିଥିଲେ ଗଙ୍ଗାଧର।
ଚିକିତ୍ସା ଲାଗି ତାଙ୍କୁ ବୁର୍ଲା ମେଡିକାଲକୁ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗଙ୍ଗାଧରଙ୍କ ଆଉ ୪ ବର୍ଷ ୮ ମାସ ଚାକିରି ଥିଲା । ଅସୁସ୍ଥତା କାରଣରୁ ସେ ୧୫ ଦିନ ଛୁଟି ନେଇଥିଲେ। ତେବେ ସ୍ୱାସ୍ଥ୍ୟରେ ସୁଧାର ନଆସିବାରୁ ଆଉ ୩ ମାସ ଛୁଟି ବଢାଇବାକୁ ଆବେଦନ କରିଥିଲେ । ହେଲେ ଛୁଟି ବଢିବ କଣ ତାଙ୍କ ପାଖରେ ସିଧା ପହଁଚି ଯାଇଥିଲା ବାଧ୍ୟତାମୂଳକ ଅବସରର ଚିଠି।
ସୁନ୍ଦରଗଡ଼ ଭେଡାବାହାଲ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡାଙ୍କ ସଂପର୍କିତ ଖବର ଗତକାଲି ପ୍ରସାରିତ ହୋଇଥିଲା। ବ୍ରେନ ଟ୍ୟୁମରରେ ପୀଡିତ ହୋଇ ୩ ବର୍ଷ ତଳେ ଦୃଷ୍ଟିଶକ୍ତି ହରାଇଥିଲେ ତପେଶ୍ୱରୀ । ତେବେ ୫୦ ବର୍ଷ ହୋଇଯାଇଥିବା ଦର୍ଶାଇ ସରକାର ତାଙ୍କୁ ମଧ୍ୟ ବଧ୍ୟତାମୂଳକ ଅବସର ଦେଇଛନ୍ତି । ତେବେ ଖବର ପ୍ରସାରଣ ପରେ ଟିମ୍ ପଠାଇ ଘଟଣାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।