ସୋମବାର ଆସିବେ ପ୍ରଧାନମନ୍ତ୍ରୀ: ଏମିତି ରହିଛି କାର୍ଯ୍ୟକ୍ରମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ସେହି ଦିନ ଅପରାହ୍ନ ୧ଟା ୦୫ ମିନିଟ୍‌ରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସଡ଼କ ପଥରେ ଆଇଆଇଟି କ୍ୟାମ୍ପସ ଯିବେ। ସେଠାରେ ସେ ୧ଟା ୪୦ରୁ ୨ଟା ୨୦ ମିନିଟ୍ ମଧ୍ୟରେ କିଛି ପ୍ରକଳ୍ପର ଶିଳାନ୍ୟାସ କରିବେ ଓ ଆଉ କିଛି ପ୍ରକଳ୍ପର ଉଦ୍‌ଘାଟନ କରିବେ।

୨ଟା ୩୦ରୁ ୩ଟା ୧୫ ମିନିଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନାଇଜର ଷ୍ଟାଡିୟମରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ।

ଅପରାହ୍ନ ୪ଟାରେ ସେ ପୁଣି ନୂଆଦିଲ୍ଲୀ ଫେରି ଯିବେ।

ଓଡ଼ିଶା ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଅବସରରେ ପାଇକ ବିଦ୍ରୋହର ସ୍ମାରକୀ ଡାକଟିକେଟ୍ ଓ ୨୦୦ଟଙ୍କିଆ ସ୍ମାରକୀ ମୁଦ୍ରା ସମେତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଗବେଷଣା ଚେୟାରକୁ ଲୋକାର୍ପଣ କରିବେ। ଏହି ଚେୟାର ପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ୫କୋଟି ଟଙ୍କାର କର୍ପସ ପାଣ୍ଠି ଯୋଗାଇ ଦିଆଯିବ।

ସେହିପରି ୧୨୬୦କୋଟି ଟଙ୍କା ବିନିଯୋଗରେ ସମସ୍ତ ଭିତ୍ତିଭୂମି ଥିବା ଆଇଆଇଟିର ନୂଆ କ୍ୟାମ୍ପସକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବା ସହ ବ୍ରହ୍ମପୁରରେ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ‘ଆଇଜର’ର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିବେ। ୩୮୦୦କୋଟି ଟଙ୍କାର ପାରାଦୀପରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ଗ୍ୟାସ୍ ପାଇପଲାଇନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ, ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ଝାରଖଣ୍ଡର ବୋକାରୋରୁ ଅନୁଗୋଳ ପର୍ଯ୍ୟନ୍ତ ୩୪୩୭ କୋଟି ଟଙ୍କାର ପାଇପଲାଇନ ପ୍ରକଳ୍ପ, ଭୁବନେଶ୍ୱରରେ ଇଏସଆଇ ହସ୍ପିଟାଲରେ ୫୦ଟି ନୂଆ ଶଯ୍ୟା ସହ ପୁରୁଣା ୫୦ ଶଯ୍ୟାର ଆଧୁନିକୀକରଣ କାର୍ଯ୍ୟର ଶିଳାନ୍ୟାସ, ୨୨୦୦କୋଟି ଟଙ୍କାର ଜାତୀୟ ରାଜପଥ-୧୬କୁ ୬ ଲେନ୍ ବିଶିଷ୍ଟ କରିବାର ନିର୍ମାଣ କାର୍ଯ୍ୟ ଆରମ୍ଭ, ୨ହଜାର କୋଟି ଟଙ୍କା ବ୍ୟୟରେ କଟକ-ଅନୁଗୋଳ ଜାତୀୟ ରାଜପଥର ୪ ଲେନ୍ ବିଶିଷ୍ଟ କାର୍ଯ୍ୟର ଶିଳାନ୍ୟାସ ସହ ଲଳିତଗିରିରେ ବୌଦ୍ଧ କୀର୍ତ୍ତିରାଜି ସଂରକ୍ଷିତ ଥିବା ଏକ ମ୍ୟୁଜିୟମର ଲୋକାର୍ପଣ କରିବେ।