ଭୁବନେଶ୍ୱର: ଜାନକୀ ବଲ୍ଲଭ ପଟ୍ଟନାୟକ ଏକାଧାରରେ ଥିଲେ ଜଣେ ରାଜନେତା, ବିଶିଷ୍ଟ ସାମ୍ବାଦିକ, ପ୍ରଖ୍ୟାତ ସାହିତି୍ୟକ ଓ ସମାଜ ସଂଗଠକ। ଓଡ଼ିଶାର ତିନିଥର ମୁଖ୍ୟମନ୍ତ୍ରୀ ହୋଇଥିବା ଜାନକୀ ବଲ୍ଲଭ ଜଣେ ଧୂରୀଣ ରାଜନେତା ଭାବେ ସାରା ରାଜ୍ୟରେ ତଥା ଦେଶରେ ପରିଚିତ ଥିଲେ।
ନିକଟରେ ଆସାମ ରାଜ୍ୟପାଳ ପଦରୁ ଅବସର ନେଇଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ତିନିଥର ଦାୟିତ୍ୱ ନେଇଥିଲେ। ଖୋର୍ଦ୍ଧାର ରାମେଶ୍ୱରଠାରେ ୧୯୨୭ ମସିହାରେ ଜାନୁଆରୀ ୩ ତାରିଖରେ ଜନ୍ମ ନେଇଥିଲେ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ। ଖୋର୍ଦ୍ଧା ହାଇସ୍କୁଲରୁ ସ୍କୁଲ ଶିକ୍ଷା ଶେଷ କଲାପରେ ଜାନକୀ ୧୯୪୭ରେ ଉକ୍ରଳ ବିଶ୍ୱବିଦ୍ୟାଳୟରେ ବିଏ ପାସ କରିଥିଲେ। ତା’ପରେ ୧୯୪୯ରେ ବନାରସ ହିନ୍ଦୁ ବଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ ପାସ କରିଥିଲେ। ୧୯୫୦ରେ ସେ ଓଡ଼ିଶା ଯୁବ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୭୧ରେ ସେ କଟକ ଲୋକସଭା ଆସନରୁ ସାଂସଦଭାବେ ନିର୍ବାଚିତ ହୋଇଥିଲେ। ୧୯୭୩ରେ୧୯୭୫ ମସିହାରେ ସେ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରୀମଣ୍ଡଳରେ ରାଷ୍ଟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଥିବାବେଳେ ସମାରିକ ସେବା ଅଧିକାରୀଙ୍କ କଲ୍ୟାଣ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ୧୯୮୦ରେ ସେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟୁତ୍ୱ ତୁଲାଇଥିଲେ । ତା’ପରେ ଜାନକୀଙ୍କ ସର୍ବସମ୍ମତି ପରେ କଂଗ୍ରେସ ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଥିଲେ। ୧୯୮୫ ମସିହାରେ ସେ ଦ୍ୱିତୀୟବାର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ। ୧୯୯୫ରେ ମସିହାରେ ସେ ତୃତୀୟଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ। ୨୦୦୪ରୁ ୨୦୦୯ ମସିହା ଯାଏ ସେ ବିଧାନସଭାରେବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୦୮ରେ ସମ୍ମାନଜନକ ତିରୁପତି ସଂସ୍କୃତ ବିଶ୍ୱବିଦ୍ୟଳୟର କୁଳପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୦୯ରେ ସେ ଆସାମର ରାଜ୍ୟପାଳଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।
ପାଠ ପଢାପରେ ଲେଖାଲେଖିକୁ କେବେ ବି ଛଡିନଥିଲେ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ। ଜଣେ ସାହିତି୍ୟକ ଓ ସାମ୍ବାଦିକ ଭାବେ ସେ ପ୍ରଜାନ୍ତ୍ରତ ପ୍ରଚାର ସମିତି ପକ୍ଷରୁ ପ୍ରକାଶିତ ଇଷ୍ଟର୍ଣ୍ଣ ଟାଇମ୍ସରେ ସେ ଜଣେ ସହସମ୍ପାଦକ ଭାବେ ଯୋଗଦେଇଥିଲେ। ପରେ ସେ ପ୍ରଜାନ୍ତ୍ରତ ଓ ଇଷ୍ଟର୍ଣ୍ଣ ଟାଇମ୍ସର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ । ସମ୍ଭ୍ରାନ୍ତ ପତି୍ରକା ‘ପୌରୁଷ’ର ସେ ଥିଲେ ସମ୍ପାଦକ। ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟ ଓ ତିରୁପତି ସଂସ୍କୃତି ବିଶ୍ୱବିଦ୍ୟାଳୟ ତାଙ୍କୁ ଡିଲିଟ ସମ୍ମାନରେ ସମ୍ମାନିତ କରିଥିଲି। ତାଙ୍କର ଏକାଧିକ ଧର୍ମ ଓ ସାହିତ୍ୟ ପୁସ୍ତକ ଯଥେଷ୍ଟ ଲୋକପ୍ରିୟତା ହାସଲ କରିଥିଲା ଓ ଅନେକ ପୁରସ୍କାର ପାଇଥିଲେ। ବଙ୍କିମ ଚନ୍ଦ୍ରଙ୍କ ଉପନ୍ୟାସଗୁଡ଼ିକୁ ଓଡ଼ିଆରେ ଅନୁବାଦ କରିଥିଲେ ଜାନକୀ । ଏହି ବହିଟିର ନାଁ ଥିଲା ‘ବଙ୍କିମ ଚନ୍ଦ୍ର ଉପନ୍ୟାସମାଳା’। ୨୦୦୧ରେ ଏହି ପୁସ୍ତକ ପାଇଁ ସେ ଅନୁବାଦ ବର୍ଗରେ ପାଇଥିଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ପରୁସ୍କାର। ସେହିପରି ୧୯୯୬ ମସିହାରେ ‘ବୈରାଗ୍ୟ ଶତକ’ ପାଇଁ ସେ ପାଇଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। ଭର୍ତ୍ତୃହରିଙ୍କ ସଂସ୍କୃତ ଲେଖାକୁ ଓଡ଼ିଆରେ ଅନୁବାଦ କରି ସେ ପାଇଥିଲେ ଏହି ପୁରସ୍କାର। ଆହୁରି ମଧ୍ୟ ମହାଭାରତ, ରାମାୟଣ ଓ ଶ୍ରୀମଦ୍ ଭଗବତ ଗୀତାକୁ ସେ ଓଡ଼ିଆ ଭାଷାରେ ଅନୁବାଦ କରିଥିଲେ। ତାଙ୍କ ଅନ୍ୟାନ୍ୟ ପୁସ୍ତକ ମଧ୍ୟରେ ରହିଛି ‘ସିନ୍ଧୁ ଉପତ୍ୟାକା’ ଓ ‘ଗୌତମ ବୁଦ୍ଧ’।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।