ସୋର(ଓଡ଼ିଶା ରିପୋର୍ଟର): ଯିଏ ଦିନେ ଯାତ୍ରା ମଞ୍ଚରେ ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥିଲେ, ସେ ଏବେ ନିଜେ କାନ୍ଦୁଛନ୍ତି। ଯାତ୍ରା ଜଗତରେ ନିଜର ନିଆରା ହାସ୍ୟ ସଂଳାପ ସହ ତାଙ୍କ ଅଭିନୟ ଯାଦୁରେ ହଜିଯାଉଥିଲେ ଦର୍ଶକ ।
ସେ ଆଉ କେହି ନୁହଁନ୍ତି, ଯାତ୍ରା ଜଗତର ବରିଷ୍ଠ ହାସ୍ୟ କଳାକାର ମଣିଭଦ୍ର ବିଶ୍ୱାଳ। ଏହି କଳାକାରଙ୍କର ମୁହଁରେ ହସ ବଦଳରେ ଆଖିରୁ ଲୁହ ଆସିଯାଇଛି। ଯାତ୍ରା ଜଗତରୁ ଅବ୍ୟାହତ ନେଇ ଏବେ ଦୀର୍ଘ ୪ ବର୍ଷ ହେଲା ନିଜ ଗାଁ ବାଲେଶ୍ୱର ଜିଲ୍ଲା ବାହାନଗା ଓଳିଆପାଟଣାରେ ସେ ରହୁଛନ୍ତି।
ପରିଣତ ବୟସରେ ତାଙ୍କ ବଡପୁଅ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ମଣିଭଦ୍ର ବର୍ତ୍ତମାନ ସାନପୁଅ ପାଖରେ ରହିବାକୁ ଚାହୁଁଛନ୍ତି। ବଡପୁଅ ପାଖରେ ଥିବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମାଗିବାରୁ ତାଙ୍କ ବଡପୁଅ ଗାଳି କରିଥିବା ସେ ଅଭିଯୋଗ କରିଛନ୍ତି। ଖନ୍ତାପଡା ପୁଲିସ ଉପସ୍ଥିତିରେ ତାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଫେରି ପାଇଥିବା ସୂଚନା ମିଳିଛି।