କଟକ: ତ୍ରୁଟିପୂର୍ଣ୍ଣ ପରିବହନ ନୀତିକୁ ବିରୋଧ କରି ଜୁନ୍ ୯ ତାରିଖରୁ ରାଜ୍ୟ ଟ୍ରକ୍ ମାଲିକ ସଂଘ ଧର୍ମଘଟ କରିବାକୁ ଧମକ ଦେଇଥିଲା। ତେବେ ଗୁରୁବାର ଟ୍ରକ୍ ମାଲିକ ସଂଘ ଏହି ପ୍ରସ୍ତାବିତ ଧର୍ମଘଟରୁ ଓହରି ଯାଇଛି। ପରିବହନ ମନ୍ତ୍ରୀ ରମେଶ ମାଝୀଙ୍କ ସହିତ ଆଲୋଚନା କଲା ପରେ ଟ୍ରକ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ସେମାନଙ୍କର ୧୧ ଦଫା ଦାବିରୁ ସରକାର ଅଧିକାଂଶ ମାନି ନେଇଥିବା ଜଣାଯାଇଛି।
ଗତ ମେ’୨୦ ତାରିଖରେ ରାଜ୍ୟ ଟ୍ରକ ମାଲିକ ସଂଘ ସଭାପତି ବିଭୂତି ପ୍ରସାଦ ଦାସ ଓ ସଂପାଦକ ରବି ଶତପଥୀ ରାଜ୍ୟବ୍ୟାପୀ ଧର୍ମଘଟ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଧମକ ଦେଇଥିଲେ। ତ୍ରୁଟିପୂର୍ଣ୍ଣ ପରିବହନ ନୀତି ସମେତ ସରକାର ସଂଘର ୧୧ ଦଫା ଦାବି ପୂରଣ ନକଲେ ସଂଘ ଜୁନ୍ ୯ରୁ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ସେମାନେ କହିଥିଲେ। ଅନ୍ୟପକ୍ଷରେ ପରିବହନ ମନ୍ତ୍ରୀ ରମେଶ ମାଝୀ କହିଥିଲେ ଯେ ସରକାର ଟ୍ରକ ମାଲିକ ସଂଘ ସହିତ ଆଲୋଚନା କରିବେ। ସଂଘର ଥିବା ଦାବିଗୁଡ଼ିକ ସଂପର୍କରେ ଆଲୋଚନା କରାଯିବା ପରେ କୌଣସି ନିଷ୍ପତ୍ତି ନିଆଯିବ।