‘ପିଏମ୍‌ କିଷାନ୍‌’ରେ ମିଶିବ ‘କାଳିଆ’!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ ସ୍ୱାବଲମ୍ୱୀ କରିବା ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଥିଲେ। ଯାହାର ଫାଇଦା ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ମିଳିଥିଲା। ଏହି ଯୋଜନାକୁ ବର୍ଷେ ନସରୁଣୁ ସେଥିରୁ ହାତ ଟେକିଦେଲେ ରାଜ୍ୟ ସରକାର। ଏହି ଯୋଜନାକୁ କେନ୍ଦ୍ର ସରକାରଙ୍କ ପିଏମ୍‌ କିଷାନ ସହ ମିଶାଇବାକୁ ପ୍ରୟାସ କରୁଛନ୍ତି। ସେଥିପାଇଁ ସରକାରୀସ୍ତରରେ ନିଷ୍ପତ୍ତି ସରିଛି। ପ୍ରସ୍ତାବ କ୍ୟାବିନେଟ୍‌ର ଅନୁମୋଦନ ମଧ୍ୟ ପାଇଛି। ମିଳିଥିବା ସୂଚନା ଅନୁସାରେ ‘କାଳିଆ’ର ଗାଇଡ୍‌ଲାଇନକୁ ପରିବର୍ତ୍ତନ କରିଛନ୍ତି ସରକାର। […]

kalia

Manoranjan Sial
  • Published: Wednesday, 04 December 2019
  • , Updated: 04 December 2019, 08:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ ସ୍ୱାବଲମ୍ୱୀ କରିବା ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଥିଲେ। ଯାହାର ଫାଇଦା ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ମିଳିଥିଲା। ଏହି ଯୋଜନାକୁ ବର୍ଷେ ନସରୁଣୁ ସେଥିରୁ ହାତ ଟେକିଦେଲେ ରାଜ୍ୟ ସରକାର। ଏହି ଯୋଜନାକୁ କେନ୍ଦ୍ର ସରକାରଙ୍କ ପିଏମ୍‌ କିଷାନ ସହ ମିଶାଇବାକୁ ପ୍ରୟାସ କରୁଛନ୍ତି। ସେଥିପାଇଁ ସରକାରୀସ୍ତରରେ ନିଷ୍ପତ୍ତି ସରିଛି। ପ୍ରସ୍ତାବ କ୍ୟାବିନେଟ୍‌ର ଅନୁମୋଦନ ମଧ୍ୟ ପାଇଛି।

ମିଳିଥିବା ସୂଚନା ଅନୁସାରେ ‘କାଳିଆ’ର ଗାଇଡ୍‌ଲାଇନକୁ ପରିବର୍ତ୍ତନ କରିଛନ୍ତି ସରକାର। ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ, ପିଏମ୍‌ କିଷାନ ସହ ମିଶ୍ରଣ ପରେ ଚାଷୀଙ୍କୁ ୧୦ ହଜାର ବଦଳରେ ରାଜ୍ୟ କେବଳ ୪ ହଜାର ଟଙ୍କା ଦେବ। ବାକି ୬ ହଜାର କେନ୍ଦ୍ରର ପିଏମ୍‌ କିଷାନ ଯୋଜନାରେ ଚାଷୀ ଯେମିତି ପାଉଥିଲେ ପାଇବେ। ତେବେ ପିଏମ୍‌ କିଷାନରେ ଭୂମିହୀନ ଚାଷୀଙ୍କ ପାଇଁ କିଛି ବ୍ୟବସ୍ଥା ନଥିବାରୁ ‘କାଳିଆ’ରେ ଚିହ୍ନଟ୍‌ ୧୪ ଲକ୍ଷ ୭୦ ହଜାର ଭୂମିହୀନଙ୍କୁ ବାର୍ଷିକ ୧୨ ହଜାର ୫ ଶହ ଟଙ୍କା ପୂର୍ବଭଳି  ମିଳିବ।

ତେବେ ନିଷ୍ପତ୍ତି ସଂପର୍କରେ କିନ୍ତୁ ମନ୍ତ୍ରୀ କି ସଚିବ କେହି ମୁହଁ ଖୋଲୁ ନାହାଁନ୍ତି। କାଳିଆର ଅର୍ଥ ବୋଝକୁ କମାଇବା ପାଇଁ ସରକାର ଏଭିଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ନିର୍ବାଚନ ପରେ ଗତ ଜୁଲାଇରେ ଲୋକସଭା ଓ ରାଜ୍ୟ ସଭାରେ ଏମିତି ପ୍ରସ୍ତାବ ଦେଇଥିଲେ ବିଜେଡି ସାଂସଦ। ଆଜି ଉଭୟ ଯୋଜନାର ମିଶ୍ରଣ  ନିଷ୍ପତ୍ତିକୁ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ସ୍ୱାଗତ କରିବା ସହ ଚାଷୀ ପାଇଁ ଏହା ହିତକର ହେବ ବୋଲି କହିଛନ୍ତି।

କାଳିଆ ଯୋଜନାରେ ସରକାର ପ୍ରଥମ କିସ୍ତିରେ ୫୧ ଲକ୍ଷ ୦୫ ହଜାର ଚାଷୀଙ୍କୁ ୨୫୫୨ କୋଟି ୬୪ ଲକ୍ଷ ଟଙ୍କା ଦେଇ ସାରିଛନ୍ତି। ଦ୍ୱିତୀୟ କିସ୍ତିର ଟଙ୍କା ନଭେମ୍ବରରେ ଦେବେ ବୋଲି କହିଥିଲେ। ମାତ୍ର ୧୦ ଲକ୍ଷ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଁଏ ମିଳିଥିବା ଜଣାପଡ଼ିଛି। ତେବେ ପ୍ରଶ୍ନ, ଭୋଟରେ ଜିତିଯିବା ପରେ ମୁଣ୍ଡରୁ ବୋଝ ଓହ୍ଲାଇବାକୁ ସରକାର ଏଭିଳି ପ୍ଲାନ କରିଛନ୍ତି କି?

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି-“କାଳିଆ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଟଙ୍କା ନଥିଲା। ଆକସ୍ମିକ ପାଣ୍ଠିରୁ ଆଣି ଟଙ୍କା ଚାଷୀଙ୍କୁ ଦେଇଥିଲେ। ଏବେ ପଇସା କେଉଁଠୁ ଆଣିବେ? ସେଥିପାଇଁ ରାଜ୍ୟ ସରକାର କାଳିଆକୁ କେନ୍ଦ୍ରୀୟ ଯୋଜନାରେ ମିଶ୍ରଣ କରିବେ। ଏକଥା ଆଗରୁ ଜଣାଥିଲା। କାଳିଆ ରାଜ୍ୟ ସରକାରଙ୍କର ଏକ ନିର୍ବାଚନୀ ଷ୍ଟ୍ରଣ୍ଟ ଥିଲା।”

ଏଆଇସିସି ସଂପାଦକ ଶରତ ରାଉତ କହିଛନ୍ତି-“କାଳିଆ ମାଧ୍ୟମରେ ନିର୍ବାଚନ ସମୟରେ ଚାଷୀଙ୍କୁ ଲାଞ୍ଚ ଦିଆଯାଇଥିଲା। ଏବେ ଏହି ଯୋଜନାରେ ଟଙ୍କା ନାହିଁ।”

କାଳିଆ ଯୋଜନାରେ ସମୁଦାୟ ୭୫ ଲକ୍ଷ ଚାଷୀଙ୍କୁ ସାମିଲ କରିବେ ବୋଲି ସରକାର ଘୋଷଣା କରିଥିଲେ। ତେବେ ହିତିଧିକାରୀ ଚୟନରେ ଗଡ଼ବଡ଼ ସରକାରଙ୍କୁ ଅଡୁଆ ଜାଲରେ ଛନ୍ଦି ଦେଇଥିଲା। ସେହିପରି ବଜେଟରେ ବ୍ୟୟ ବରାଦ ନ କରି ସରକାର ଆକସ୍ମିକ ପାଣ୍ଠିରୁ ୧୨୪୪ କୋଟି ଖର୍ଚ୍ଚ କରିଥିବାରୁ ତାକୁ ନେଇ ମଧ୍ୟ ତୁମ୍ବିତୋଫାନ ହୋଇଥିଲା।

Related story