କନ୍ଧମାଳ: ଅପହୃତ ନାବାଳିକା ଉଦ୍ଧାର, ବଳି ପାଇଁ ଅପହରଣ ଅଭିଯୋଗ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅରାପାଳୁ ଗାଁରେ ବଳି ପାଇଁ ଜଣେ ନାବାଳିକାକୁ ଅପହରଣ  କରାଯାଇଥିଲା। ୪ ଦିନ ତଳେ ନାବାଳିକାକୁ ତାର ଜଣେ ସମ୍ପର୍କୀୟଙ୍କ ସହ କିଛି ଲୋକ ଅପହରଣ କରିନେଇ ଜଙ୍ଗଲରେ ବାନ୍ଧି ରଖିଥିଲେ। ନାବାଳିକାଙ୍କ ନିଖୋଜ ନେଇ ପରିବାର ତରଫରୁ ଥାନାରେ ଏତଲା ଦିଆଯାଇଥିଲା।  ଏହି ଖବର ଅପହରଣକାରୀ ମାନେ ପାଇବା ପରେ ଭୟଭୀତ ହୋଇଯାଇଥିଲେ। ପରେ ସେମାନେ ନାବାଳିକାକୁ ବଳି ନ ପକାଇ ଛାଡିଦେଇଥିଲେ।  ଚାଇଲ୍ଡ ଲାଇନ୍ ସହାୟତାରେ ନାବାଳିକାକୁ ଉଦ୍ଧାର କରାଯାଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାକୁ ବଳି ଦିଆଯିବା ପାଇଁ ଅପହର୍ତ୍ତାମାନେ ଯୋଜନା କରିଥିଲେ ବୋଲି  ନାବାଳିକା  ଜଣକ କହିଛି। ଏ ନେଇ ପୋଲିସର ତଦନ୍ତ ଜାରି ରହିଛି । ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫୁଲବାଣୀ ଏସଡିପିଓ କହିଛନ୍ତି ।