ଯାଜପୁର (ଗୁଲାମ ଗସ୍) ଯାଜପୁର କେଲୁଅ ନଦୀବନ୍ଧ ରାସ୍ତାରେ ମନୁଷ୍ୟକୃତ ଘାଇ ବିବାଦକୁ ନେଇ ଅଡୁଆରେ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ । ଏହି ଘଟଣାରେ ବିଧାୟକ, ଜିଲ୍ଲାପାଳ ଓ ଜେଇଙ୍କ ସମେତ ୬ ଜଣଙ୍କୁ ଲୋକାୟୁକ୍ତ ନୋଟିସ୍ କରିବା ପରେ ତେଜିଛି ରାଜନୀତି। ଅପରାଧୀଙ୍କ ବିରୋଧରେ ଏନ୍ଏସ୍ଏ ଲଗାଯିବା କଥା ବୋଲି ବିଜେପି କହିଥିବା ବେଳେ କଂଗ୍ରେସ୍ କହିଛି ଏହା କେବଳ ଶୋବାଜି। ଘାଇ ସୃଷ୍ଟି ପଛରେ ମାମୁଁ-ଭଣଜା ଅର୍ଥାତ ପୂର୍ତ୍ତ ବିଭାଗର ଜେଇ ନରେନ୍ ଜେନା ଓ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ହାତ ଥିବା ଅଭିଯୋଗ ହୋଇଥିଲା।
ଡିନାମାଇଟ୍ରେ ଉଡ଼ିଥିଲା ନଦୀବନ୍ଧ ରାସ୍ତା। ସୃଷ୍ଟି ହେଲା ୩୦୦ ଫୁଟ୍ର ଘାଇ। ବିପନ୍ନ ହେଲେ ୫ଟି ପଂଚାୟତବାସୀ। ଏହି କାମରନାମା ପଛରେ ବିଧାୟକ ପ୍ରଣବ ବଳବନ୍ତରାୟ ଓ ଜେଇ ନରେନ୍ ଜେନାଙ୍କ ସଂପୃକ୍ତି ନେଇ ଅଭିଯୋଗ ହୋଇଥିଲା।
ଅଗଷ୍ଟ ୨୮। ଉପକୂଳ ଓଡ଼ିଶାରେ ହୋଇଥିଲା ପ୍ରବଳ ବର୍ଷା। ଠିକ୍ ସେହି ସମୟରେ ଯାଜପୁର ଧର୍ମଶାଳା ବ୍ଲକ୍ ରମାପୁରଠାରେ କେଲୁଅ ନଦୀବନ୍ଧକୁ ଡିନାମାଇଟ୍ ଲଗାଇ ଉଡ଼ାଇ ଦିଆଯାଇଥିବା ଅଭିଯୋଗ ଆସିଥିଲା। ସାରା ରାଜ୍ୟରେ ଏହାକୁ ନେଇ ସୃଷ୍ଟି ହୋଇଥିଳା ତମ୍ବିତୋଫାନ। ମୁଖ୍ୟ ଶାସନ ସଚିବ ବି ଏହା ମନୁଷ୍ୟକୃତ ବୋଲି କହିଥିଲେ । ହେଲେ ଏଯାଏଁ କାର୍ଯ୍ୟାନୁଷ୍ଠାନ ଶୂନ୍ । ଏବେ କିନ୍ତୁ ଘଟଣା ପହଞ୍ଚିଛି ଲୋକାୟୁକ୍ତଙ୍କ ପାଖରେ। ଏହି ନଦୀବନ୍ଧ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ଷଡ଼ଯନ୍ତ୍ର କରି ମନୁଷ୍ୟକୃତ ଭାବେ ଘାଇ ସୃଷ୍ଟି କରାଗଲା ବୋଲି ଅଭିଯୋଗ ହୋଇଛି । ତାଠୁ ବଡ଼କଥା ହେଲା ଏଥିରେ ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କ ମାମୁ ତଥା ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ନରେନ୍ ଜେନାଙ୍କ ସଂପୃକ୍ତି ଅଭିଯୋଗ। ବିଧାୟକ ପ୍ରଣବ ବଳବନ୍ତରାୟ, ଜେଇ ନରେନ୍ ଜେନାଙ୍କ ସମେତ ମୋଟ୍ ୬ଜଣଙ୍କୁ ନୋଟିସ୍ ଜାରି କରିଛନ୍ତି ଲୋକାୟୁକ୍ତ। ୬ ସପ୍ତାହ ଭିତରେ ଉତ୍ତର ଦେବାକୁ କୁହାଯାଇଛି ।
ଏହି ନଦୀବନ୍ଧ ସୁଦୃଢ଼ୀକରଣରେ ୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଘାଇ ହେବାର ୨ ମାସ ପୁରିବାକୁ ଯାଉଥିବା ବେଳେ ଏବେ ଆରମ୍ଭ ହୋଇଛି ମରାମତି କାମ । ସେପଟେ ଲୋକାୟୁକ୍ତଙ୍କ ନୋଟିସ୍ ପରେ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
ପୂର୍ବରୁ ମାସ୍କ ସ୍କାମ୍ରେ ବରିଷ୍ଠ ଆଇଏସ୍ ହେମାନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ ଲୋକାୟୁକ୍ତଙ୍କ ପାଖରେ ହାଜର ହୋଇଥିଲେ । ଆଉ ଏବେ ମନୁଷ୍ୟକୃତ ଘାଇ ଓ ଦୁର୍ନୀତି ଅଭିଯୋଗରେ ବିଧାୟକ ପ୍ରଣବ ବଳବନ୍ତରାୟ ଓ ଅନ୍ୟମାନଙ୍କୁ ନୋଟିସ୍ ହୋଇଛି। ତେବେ ଏସବୁ ମାମଲାରେ ଲୋକାୟୁକ୍ତ ତଦନ୍ତ କରି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି।