ମହାନଦୀ ବିବାଦ: ରାଜ୍ୟର ଆଉ ଏକ ମିଛ ପଦାରେ ପଡ଼ିଲା

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗକୁ ନେଇ ପୁଣି ପଦାରେ ପଡିଛି ରାଜ୍ୟ ସରକାରଙ୍କ ମିଛ। ଅର୍ପା-ଭଇସାଝର ପ୍ରକଳ୍ପ ଡିପିଆର ଡେରିରେ ପାଇଥିବା ନେଇ ରାଜ୍ୟ ସରକାର କହିଥିବା ମିଛ ଧରାପଡ଼ିଛି। ୨୦୧୫ ଜୁଲାଇରେ ଛତିଶଗଡ଼ ପଠାଇଥିବା ଡିପିଆରକୁ ସରକାର ୨୦୧୬ ଏପ୍ରିଲରେ ପାଇଥିବା କହିଥିଲେ। ହେଲେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗର ୱେବସାଟରେ ଥିବା ତଥ୍ୟ ଏହି ମିଛକୁ ପଦାରେ ପକାଇ ଦେଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ କହିଥିଲେ ଅର୍ପା- ଭଇସାଝର ପ୍ରକଳ୍ପର ଡିପିଆର […]

mahanadi

Rakesh Mallick
  • Published: Wednesday, 24 August 2016
  • , Updated: 24 August 2016, 10:57 PM IST

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗକୁ ନେଇ ପୁଣି ପଦାରେ ପଡିଛି ରାଜ୍ୟ ସରକାରଙ୍କ ମିଛ। ଅର୍ପା-ଭଇସାଝର ପ୍ରକଳ୍ପ ଡିପିଆର ଡେରିରେ ପାଇଥିବା ନେଇ ରାଜ୍ୟ ସରକାର କହିଥିବା ମିଛ ଧରାପଡ଼ିଛି। ୨୦୧୫ ଜୁଲାଇରେ ଛତିଶଗଡ଼ ପଠାଇଥିବା ଡିପିଆରକୁ ସରକାର ୨୦୧୬ ଏପ୍ରିଲରେ ପାଇଥିବା କହିଥିଲେ। ହେଲେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗର ୱେବସାଟରେ ଥିବା ତଥ୍ୟ ଏହି ମିଛକୁ ପଦାରେ ପକାଇ ଦେଇଛି।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ କହିଥିଲେ ଅର୍ପା- ଭଇସାଝର ପ୍ରକଳ୍ପର ଡିପିଆର ୧୮ ଏପ୍ରିଲ ୨୦୧୬ରେ ପାଇଥିଲେ। ଏହାକୁ ରାଜ୍ୟ ଜଳସମ୍ପଦ ବିଭାଗର ଚିଠି ମିଛ ପ୍ରମାଣିତ କରୁଛି। ଜଳ ସମ୍ପଦ ବିଭାଗର ଅନୁସଚିବ ଉକ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖି ଛତିଶଗଡ଼ ପଠାଥିବା ଅର୍ପା- ଭଇସାଝର ପ୍ରକଳ୍ପର ଡିପିଆର ନେଇ ମତାମତ ମାଗିଛନ୍ତି। ଏହି ଚିଠି ୨୬ ଅଗଷ୍ଟ ୨୦୧୫ରେ ଲେଖାଯାଇଛି। ଅର୍ଥାତ ସରକାର କହୁଥିବା ତାରିଖର ୮ମାସ ପୂର୍ବରୁ ଏହି ପ୍ରକଳ୍ପ ବିଷୟରେ ସବୁ ଜାଣିଥିଲେ। ଛତିଶଗଡ଼ ସରକାର ଏହି ଡିପିଆର ପଠାଇଥିଲେ ୨୮ ଜୁଲାଇ ୨୦୧୫ରେ ଓ ରାଜ୍ୟ ସରକାର ଏହାର ଉତ୍ତର ୯ ମାସ ପରେ ୨୬ ଏପ୍ରିଲ ୨୦୧୬ରେ ଦେଇଥିଲେ।

ଜଳ ସମ୍ପଦ ବିଭାଗର ଇ-ଡେସପାଚ୍‌ରୁ ମିଳିଥିବା ଏହି ଚିଠିକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ କରିଛି। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, “ମହାନଦୀର ପାଣିକୁ ଶିଳ୍ପପତିଙ୍କ ହାତରେ ଟେକି ଦେବା ପାଇଁ ରାଜ୍ୟ ସରକାର ସବୁ ଜାଣି ଚୁପ ହୋଇ ବସିଥିଲେ।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି, “ସରକାର ଜାଣିଶୁଣି କୌଣସି ତଥ୍ୟ ଲୁଚାଇ ନାହାନ୍ତି। ଅର୍ପା- ଭଇସାଝର ପ୍ରକଳ୍ପ ନେଇ ପୂର୍ବରୁ ପତ୍ରାଳପର ପ୍ରମାଣ ମିଳିଲେ ଏହାର ତର୍ଜମା ହେବା ଦରକାର।”

ନଦୀ ତଟବର୍ତ୍ତୀ ରାଜ୍ୟକୁ ଅନ୍ୟ ରାଜ୍ୟ କୌଣସି ଡିପିଆର ପଠାଇଲେ ୪୫ ଦିନ ମଧ୍ୟରେ ଏହାର ଉତ୍ତର ସମ୍ପୃକ୍ତ ରାଜ୍ୟ ଦେବା ଦରକାର। ଯଦି ଏହି ସମୟ ମଧ୍ୟରେ ଉତ୍ତର ନ ମିଳେ ତେବେ ପ୍ରକଳ୍ପକୁ ନେଇ ଉକ୍ତ ରାଜ୍ୟର କୌଣସି ଆପତ୍ତି ନାହିଁ ବୋଲି କେନ୍ଦ୍ରୀୟ ଜଳ ଆୟୋଗ ଧରିନେବ ବୋଲି ଗତ ୨୯ ତାରିଖ ବୈଠକରେ ନିଷ୍ପତ୍ତି ହୋଇଥିଲା। କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଂସଦରେ ଏକଥା କହିଥିଲେ। ତେବେ ୯ ମାସ ଧରି ଅର୍ପା ପ୍ରକଳ୍ପ ବିଷୟରେ ଜାଣି ମଧ୍ୟ ରାଜ୍ୟ ସରକାର କାହିଁକି ଚୁପ ବସିଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଅନ୍ୟପକ୍ଷରେ ମହାନଦୀ ବିବାଦରେ ରାଜ୍ୟ କୋର୍ଟକୁ ବଲ୍‌ ଫିଙ୍ଗିଛି କେନ୍ଦ୍ର। ଆସନ୍ତା ସେପ୍ଟେମ୍ବର ୧୦ରୁ ୨୦ ତାରିଖ ମଧ୍ୟରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଡାକି ବିବାଦର ସମାଧାନ କରିବାକୁ ଚାହୁଁଛି କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ। ଆଜି ଏ ନେଇ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ମହାନଦୀ ବିବାଦରେ ଓଡ଼ିଶା ପ୍ରତି ଅନ୍ୟାୟ ହେବାକୁ ଦିଆଯିବ ନାହିଁ। ଉଭୟ ରାଜ୍ୟ ମଧ୍ୟରେ ଆପୋଷ ବୁଝାମଣାରେ ବିବାଦର ସମାଧାନ କରାଯିବ।”

ଆସନ୍ତା ୧୦ରୁ ୨୦ ତାରିଖ ମଧ୍ୟରେ କେଉଁଦିନ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଆସି ଏକାଠି ବସିବେ ତାହା ନବୀନ ଏବଂ ରମଣଙ୍କ ଉପରେ ଉମା ଛାଡିଛନ୍ତି।

ମହାନଦୀ ବିବାଦର ସମାଧାନ ତଥା ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ପଦକ୍ଷେପ ନେବାକୁ ଆଜି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଉମା ଭାରତୀଙ୍କୁ ଭେଟି ଆଲୋଚନା କରିଥିଲେ।

Related story