ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ରଙ୍ଗିଲା ଅଟୋବାଲା! ବିବାହ କରି ଯୁବତୀଙ୍କୁ ଉପଭୋଗ କରୁଥିଲା। ପରେ ଛାଡ଼ି ପଳାଇ ଯାଉଥିଲା। ଜଣେ ନୁହେଁ, ଏମିତି ତିନି ତିନି ଜଣ ଯୁବତୀଙ୍କୁ ବିବାହ କରି ଛାଡ଼ିଥିବା ଅଭିଯୋଗ ଆସିଛି। ଏପରି ରଙ୍ଗିଲା ଅଟୋବାଲାର ପୋଲ୍ ଖୋଲିଛନ୍ତି ପ୍ରଥମ ଓ ଦ୍ୱିତୀୟ ସ୍ତ୍ରୀ। ଏପରିକି ଏମାନେ ଥାନାରେ ଅଭିଯୋଗ କରିଛନ୍ତି। ଭୁବନେଶ୍ୱର କମିଶନରେଟ୍ ପୁଲିସ ମାମଲା ରୁଜୁ କରି ରଙ୍ଗିଲା ଅଟୋବାଲାକୁ ଅଟକ ରଖି ପଚରାଉଚରା କରୁଛି।
ଖୋର୍ଦ୍ଧା ଅଞ୍ଚଳର ରଙ୍ଗିଲା ଅଟୋ ଡ୍ରାଇଭର୍ ଆଲୋକ ଜେନା! ସେ ୨୦୦୬ ମସିହାରେ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବୈଦିକ ରୀତିନୀତିରେ ବିବାହ ହୋଇଥିଲା। ବିବାହ ପରେ ଉଭୟଙ୍କ ସାଂସାରିକ ରଥ ଠିକ୍ଠାକ୍ ଚାଲିଥିଲା। ଉଭୟଙ୍କ ଔରଷରୁ ଦୁଇଟି ପୁଅ ମଧ୍ୟ ଅଛନ୍ତି। ତେବେ ହଠାତ୍ କଣ ହେଲା, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଆରମ୍ଭ ହେଲା। ଆଉ ତା’ପରେ ଘର ଛାଡ଼ି ପଳାଇଗଲା ଆଲୋକ। ଏହା ପରେ ଆଲୋକଙ୍କ ପତ୍ନୀଙ୍କ ଉପରେ ନିର୍ଯାତନା ହୋଇଥିବା ଅଭିଯୋଗ ହୋଇଛି। ଆଲୋକଙ୍କ ପରିବାର ଲୋକ ନିର୍ଯାତନା ଦେଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।
ପ୍ରଥମ ସ୍ତ୍ରୀଠାରୁ ପଳାଇ ଯାଇ ଆଲୋକ ଆଉ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଯାଇଥିଲା। କିଛି ଦିନର ଲୁଚାଛପା ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା। ଦୁଇ ପରିବାର ସହମତିରେ ୨୦୧୭ ମସିହାରେ ବିବାହ ହୋଇଥିଲା। ବିବାହ ସମୟରେ ସେ ବିବାହିତ ବୋଲି ଆଲୋକ କହିଥିଲା। କିନ୍ତୁ ପ୍ରଥମ ସ୍ତ୍ରୀଙ୍କଠାରୁ ଛାଡ଼ପତ୍ର ହୋଇଥିବାରୁ କିଛି ଅସୁବିଧା ହେବ ନାହିଁ ବୋଲି ଆଲୋକଙ୍କ ମାଆ, ଭଉଣୀ ଓ ଭିଣୋଇ କହିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଆଲୋକଙ୍କୁ ବିବାହ କରିବା ପାଇଁ ରାଜି ହୋଇଥିଲେ ଦ୍ୱିତୀୟ ପତ୍ନୀ।
https://youtu.be/fQIFJnQoJOs
ଏତିକିରେ କିନ୍ତୁ ସନ୍ତୁଷ୍ଟ ନଥିଲା ଆଲୋକ। ଦ୍ୱିତୀୟ ପତ୍ନୀଙ୍କ ଅଜାଣତରେ ତୃତୀୟ ବିବାହ କରିଥିଲା। ସେଥିପାଇଁ ସେ ଦ୍ୱିତୀୟ ପତ୍ନୀଙ୍କଠାରୁ ସୁନା ଗହଣା ଓ ତାଙ୍କ ସ୍କୁଟି ଧରି ପଳାଇ ଆସିଥିଲା। ସେ ସାଲିଆ ସାହିରେ ନିଜ ଭଉଣୀ ଘରେ ତୃତୀୟ ପତ୍ନୀଙ୍କ ସହ ରହୁଥିବା ଅଭିଯୋଗ କରିଛନ୍ତି ଦ୍ୱିତୀୟ ଓ ପ୍ରଥମ ପତ୍ନୀ। ଏ ସମ୍ପର୍କରେ ଜାଣିବା ପରେ ପ୍ରଥମ ପତ୍ନୀ ମହିଳା ଥାନାରେ ଓ ଦ୍ୱିତୀୟ ପତ୍ନୀ ମଞ୍ଚେଶ୍ୱର ଥାନାରେ ଆଲୋକଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। କମିଶନରେଟ୍ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଆଲୋକଙ୍କୁ ଅଟକ ରଖି ପଚରା ଉଚରା କରୁଛି।
ହେଲେ ଅଭିଯୋଗ ଭିତ୍ତିହୀନ ବୋଲି ଆଲୋକ ଜେନା। ସେ କହିଛନ୍ତି-“ମୁଁ ଜଣକୁ ବାହା ହୋଇଛି। ମୋର ଗୋଟିଏ ସ୍ତ୍ରୀ ରହିଛି। ତା’ ନାଁ ହେଉଛି ରୀନା ଜେନା। ସିଏ ତାଙ୍କ ବାପ ଘରେ ରହୁଛି। ମୁଁ ବାପା-ମାଆଙ୍କର ଗୋଟିଏ ପୁଅ। ଗାଁରେ ବାପା-ମାଆ ହାତରେ ରୋଷେଇ କରି ଖାଉଛନ୍ତି। ସେମାନଙ୍କ ପାଖରେ ମୁଁ ରହୁଛି। ମୁଁ ମୋ ସ୍ତ୍ରୀକୁ ଘରକୁ ନେବା ପାଇଁ ମହିଳା ଥାନାକୁ ଦୁଇରୁ ତିନି ଥର ଯାଇଛି। କିନ୍ତୁ ସେ ମୋ ସହିତ ଯାଇନି। ସିଏ କିଛି ଅସାମାଜିକ ମହିଳାଙ୍କୁ ନେଇ ଫାର୍ସ ଚଳାଇଛି।”
ଦ୍ୱିତୀୟ ସ୍ତ୍ରୀ ବୋଲି ଦାବି କରୁଥିବା ଯୁବତୀଙ୍କ ଉଦ୍ଦେଶ୍ୟରେ ଆଲୋକ କହିଛନ୍ତି-“ସିଏ ମୋର ସ୍ତ୍ରୀ ନୁହେଁ। ସିଏ ମୋର ଭଉଣୀ ହିସାବରେ। ଏ ସମ୍ପର୍କରେ ମହିଳା ଥାନାରେ ପଚାରି ପାରିବେ। ତା’ର ବହୁତ ସ୍ୱାମୀ ରହିଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।