ନାବାଳିକା ଦୁଷ୍କର୍ମକାରୀକୁ ୩୮ ବର୍ଷ ଜେଲ୍

ଜୟପୁର(ଟି. ଗୌରୀ ଶଙ୍କର): ନାବାଳିକା ଦୁଷ୍କର୍ମକାରୀକୁ ମିଳିଛି ୩୮ ବର୍ଷ ଜେଲ ଦଣ୍ଡ। ବନ୍ଦୁଗାଁ ଥାନା ଅଞ୍ଚଳରେ ୨୦୧୭ ମସିହାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଏକ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜି ଜୟପୁର ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ ଏହି ଦଣ୍ଡାଦେଶ କରିଛନ୍ତି। ଜେଲ ଦଣ୍ଡ ପାଇଥିବା ଦୋଷୀ ଜଣକ ବନ୍ଦୁଗାଁ ଥାନା ଅନ୍ତର୍ଗତ ସାନ ଗଡ଼ବଲସା କଲୋନିର ସୁଶାନ୍ତ କନ୍ଦପାନ (୨୩)। ଏନେଇ ପୀଡ଼ିତାଙ୍କ ପକ୍ଷରୁ ଲଢ଼ୁଥିବା ସ୍ଵତନ୍ତ୍ର ପବ୍ଲିକ […]

koraput

  • Published: Monday, 18 July 2022
  • , Updated: 18 July 2022, 09:52 PM IST

ଜୟପୁର(ଟି. ଗୌରୀ ଶଙ୍କର): ନାବାଳିକା ଦୁଷ୍କର୍ମକାରୀକୁ ମିଳିଛି ୩୮ ବର୍ଷ ଜେଲ ଦଣ୍ଡ। ବନ୍ଦୁଗାଁ ଥାନା ଅଞ୍ଚଳରେ ୨୦୧୭ ମସିହାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଏକ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜି ଜୟପୁର ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ ଏହି ଦଣ୍ଡାଦେଶ କରିଛନ୍ତି। ଜେଲ ଦଣ୍ଡ ପାଇଥିବା ଦୋଷୀ ଜଣକ ବନ୍ଦୁଗାଁ ଥାନା ଅନ୍ତର୍ଗତ ସାନ ଗଡ଼ବଲସା କଲୋନିର ସୁଶାନ୍ତ କନ୍ଦପାନ (୨୩)।

ଏନେଇ ପୀଡ଼ିତାଙ୍କ ପକ୍ଷରୁ ଲଢ଼ୁଥିବା ସ୍ଵତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ବି.ଗାୟତ୍ରୀ ଦେବୀ କହିଛନ୍ତି, ପୀଡ଼ିତା ଟ୍ୟୁସନ ଯାଇ ଫେରୁଥିବା ବେଳେ ସୁଶାନ୍ତ ଓ ପ୍ରାୟ ୫ ଦୁର୍ବୃତ୍ତ ନାବାଳିକାକୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ନାବାଳିକା ପାଟି କରିବାରୁ ଟ୍ୟୁସନ ଶିକ୍ଷକ ଓ ଅନ୍ୟମାନେ ଚାଲି ଆସିବାରୁ ସମସ୍ତେ ଘଟଣାସ୍ଥଳ ଛାଡ଼ି ଚମ୍ପଟ ମାରିଥିଲେ। ନାବାଳିକାଙ୍କୁ ଉଦ୍ଧାର କରିବା ପରେ ପରିବାର ଲୋକେ ସୁନାବେଡ଼ା ଥାନାରେ ଏହି ଘଟଣା ନେଇ ଅଭିଯୋଗ କରିଥିଲେ। ଏହି ଘଟଣାର ୬ ମାସ ପୂର୍ବରୁ ସୁଶାନ୍ତ ତାଙ୍କ ଗାଡି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା କହି ନାବାଳିକାକୁ କୌଶଳ କ୍ରମେ କଲେଜକୁ ଛାଡ଼ିବାକୁ ନେଇ ଜଙ୍ଗଲରେ ଦୁଷ୍କର୍ମ କରିଥିଲା। ଏହି ସମୟରେ ଭିଡିଓ ଓ ଫୋଟ ମଧ୍ୟ ଉଠାଇ ନେଇଥିଲା। ଏହି ଭିଡ଼ିଓ ଓ ଫୋଟକୁ ଭାଇରାଲ କରିଦେବ ବୋଲି ଧମକ ଦେଇ ବ୍ଲାକମେଲିଂ କରୁଥିଲା। ନାବାଳିକାଙ୍କୁ ବିଭିନ୍ନ ସ୍ଥାନକୁ ଡାକି ବାରମ୍ବାର ଦୁଷ୍କର୍ମ କରିଥିଲା। ଏହି ଘଟଣା ପ୍ରଘଟ କଲେ ନାବାଳିକାକୁ ଏସିଡ ପକାଇ ଜୀବନରୁ ମାରିଦେବାକୁ ଧମକ ଦେଉଥିଲା। ଏ ସମସ୍ତ ଘଟଣା ସମ୍ପର୍କରେ ନାବାଳିକା ପୁଲିସରେ ବୟନ ଦେଇଥିଲେ। ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ସୁଶାନ୍ତଙ୍କୁ ବାନ୍ଧିଥିଲା।

ଉକ୍ତ ମାମଲାରେ ୧୩ ଜଣଙ୍କ ସାକ୍ଷ୍ୟ ଓ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ପ୍ରଦୀପ କୁମାର ସାସମଲ ଅଭିଯୁକ୍ତ ସୁଶାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ କଠୋର ଜେଲ ଦଣ୍ଡ ସହ ୪୦ ହଜାର ଟଙ୍କା ଜୋରିମାନା କରାଯାଇଛି। ଅର୍ଥ ଅନାଦେୟ ହେଲେ ୧୪ ମାସ ଅଧିକ ଜେଲ ଦଣ୍ଡ ନିର୍ଦ୍ଦେଶ କରାଯାଇଛି। ଆଦାୟ ଜୋରିମାନା ଟଙ୍କା ସହ ୩ ଲକ୍ଷ ଟଙ୍କା ସରକାରଙ୍କ ପକ୍ଷରୁ ଜିଲା ଆଇନସେବା ପ୍ରାଧିକରଣ ମାଧ୍ୟମରେ ପୀଡିତାଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Related story