ପତିଆରା ପାଇଁ ଲଢ଼େଇ, ଗଡ଼ିଲା ମୁଣ୍ଡ

କଟକ (ଓଡ଼ିଶା ରିପୋର୍ଟର): କାହାର ହେବ ଯୋବ୍ରା ବ୍ୟାରେଜ? କିଏ କରିବ ଏକାକୀ ବ୍ୟବସାୟ? କଟକରେ ମାଛ ବ୍ୟବସାୟକୁ ନେଇ ଦୀର୍ଘଦିନ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଛକାପଞ୍ଝା ଶେଷରେ ନେଇଛି ହତ୍ୟାକାଣ୍ଡର ରୂପ। ଘରୁ ଡାକି ଆଣି ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ରବିବାର ରାତିରେ ମାଟିଆ ମଙ୍ଗଳା ସାହିର ତପନ ନାୟକ ତାଙ୍କ ଘରେ ବସି ଖାଉଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ହାପି, ମୁନ୍ନା ରେଡ୍ଡି ଓ […]

cuttack-crime

Manoranjan Sial
  • Published: Monday, 10 June 2019
  • , Updated: 10 June 2019, 07:33 PM IST

କଟକ (ଓଡ଼ିଶା ରିପୋର୍ଟର): କାହାର ହେବ ଯୋବ୍ରା ବ୍ୟାରେଜ? କିଏ କରିବ ଏକାକୀ ବ୍ୟବସାୟ? କଟକରେ ମାଛ ବ୍ୟବସାୟକୁ ନେଇ ଦୀର୍ଘଦିନ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଛକାପଞ୍ଝା ଶେଷରେ ନେଇଛି ହତ୍ୟାକାଣ୍ଡର ରୂପ। ଘରୁ ଡାକି ଆଣି ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।

ରବିବାର ରାତିରେ ମାଟିଆ ମଙ୍ଗଳା ସାହିର ତପନ ନାୟକ ତାଙ୍କ ଘରେ ବସି ଖାଉଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ହାପି, ମୁନ୍ନା ରେଡ୍ଡି ଓ ଅନ୍ୟ କିଛି ଦୁର୍ବୃତ୍ତ ତାଙ୍କୁ ବାହାରକୁ ଡ଼ାକି ଆଣିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେମାନଙ୍କ ଡାକରା ପାଇ ତପନ ବାହାରକୁ ଆସିଥିଲେ। ସେଠାରେ ସେମାନଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥିଲା। ଆଉ ତା’ପରେ ଦୁର୍ବୃତ୍ତମାନେ ତପନକୁ ଭୁଜାଲିରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ପରିବାର ଲୋକେ ତପନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଦେଖିବାକୁ ଗଲେ ମୃତ ତପନଙ୍କ ଲମ୍ବା ଅପରାଧିକ ରେକର୍ଡ ରହିଛି। କିଛି ଦିନ ପୂର୍ବେ ତପନ ଜାମିନରେ ଆସିଥିଲେ। ଗତବର୍ଷ ଡିସେମ୍ବର ୮ ତାରିଖରେ ସେ ପୁଲିସ ଏନ୍‌କାଉଣ୍ଟରରେ ଆହତ ହୋଇଥିଲେ। ତାଙ୍କ ନାଁରେ ଦାଦାବଟି, ଲୁଟ୍, ଗୁଳିକାଣ୍ଡ, ବୋମାମାଡ଼ ଆଦି ଅନେକ ଗୁରୁତର ମାମଲା ରହିଛି। ଅନ୍ୟପଟେ ଏହି ଘଟଣାରେ ସଂପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ହାପି ମହାନ୍ତି ନାଁରେ ମଧ୍ୟ ରହିଛି ଏକାଧିକ ମାମଲା। କିଛିଦିନ ତଳେ ସେ ଜାମିନରେ ଆସିଥିଲା। ତା ନାଁରେ ରହିଛି ବେଆଇନ୍‌ ବନ୍ଧୁକ ରଖିବା, ଧମକ ଚମକ ଦେବା, ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ମାମଲା। ହତ୍ୟାକାଣ୍ଡ ପରେ ସେ ଓ ତାର ସହଯୋଗୀ ଫେରାର ଅଛନ୍ତି।

ପୁଲିସ ତିନିଟି ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ଖୁବଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଅତିରିକ୍ତ ଡିସିପି ତ୍ରିନାଥ ପଟେଲ କହିଛନ୍ତି। ହତ୍ୟାକାଣ୍ଡ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ସୁରକ୍ଷା ଦୃଷ୍ଟିରୁ ସେଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Related story