ଦେବଗଡ଼ (ଓଡ଼ିଶା ରିପୋର୍ଟର): ତିଳେଇବଣି ବିଡ଼ିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ବରିଷ୍ଠ ବିଜେପି ନେତା ତଥା ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଜାମିନ ମିଳିଛି। ବିଧାୟକ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ମଧ୍ୟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ଜିଲ୍ଲା ଜଜ୍। ସମସ୍ତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଓ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମିଳିଥିବା ଜଣାଯାଇଛି। କାହାକୁ ଧମକ ଚମକ ନ ଦେବା ସହ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ କୋର୍ଟ ସର୍ତ୍ତ ରଖିଛନ୍ତି।
ମେ’ ୧ ତାରିଖ ଶନିବାର ଦିନ ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ଏତଲା ଆଧାରରେ ଦେବଗଡ଼ ପୁଲିସ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ସରକାରୀ ବାସଭବନରୁ ଗିରଫ କରିଥିଲା। ବିଧାୟକଙ୍କ ସହିତ ତାଙ୍କ ଦୁଇ ଜଣ ସହଯୋଗୀ ଅକାଳୁ ଧଳ ଓ କୁମରମଣି ସାହୁଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
ରବିବାର ଜାମିନ ନାମଞ୍ଜୁର ହୋଇଯିବାରୁ ବିଧାୟକଙ୍କୁ ୭ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ବେଳେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସେହି ଦିନ ରାତିରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।