ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା):ନିଜ ଦୁଇ ବର୍ଷର ଝିଅକୁ ଛାଡ଼ିବାର ଦିନକ ପରେ ମା’ ଆସିଲା। ସେହି ପିଲାର ମା ବୋଲି ପରିଚୟ ଦେଲେ। ହେଲେ ନିଜର କଁଅଳ ଶିଶୁକୁ ନେବା ପାଇଁ ଅକ୍ଷମତା ପ୍ରକାଶ କଲେ। ପିଲାର ଲାଳନପାଳନ ପାଇଁ ସେ ସକ୍ଷମ ନୁହଁ ବୋଲି କହି ତାକୁ ସାଙ୍ଗରେ ନେବାକୁ ଅମଙ୍ଗ ହୋଇଛନ୍ତି ଜଗତସିଂହପୁର ଜିଲ୍ଳାର ପ୍ରସିଦ୍ଧ ଶୈବପୀଠ ଗୋରେଖନାଥ ମନ୍ଦିର ପରିସରରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା ଘଟଣାରେ ଏବେ ଏମିତି ଖବର ଆସିଛି। ପିଲାଟିକୁ ଏବେ ଶିଶୁମଙ୍ଗଳ ସମିତି ନିକଟରେ ରଖାଯାଇଛି।
ସୂଚନାଯୋଗ୍ୟ ଯେ କଟକ ଜିଲ୍ଳା କନ୍ଦରପୁର ଥାନା ଅନ୍ତର୍ଗତ ଦାମୋଦରପୁର ଗ୍ରାମର ଜଣେ ମହିଳା ଗତ ୧୫ ତାରିଖଦିନ ଜଗତସିଂହପୁର ଜିଲ୍ଳାର ଗୋରେଖନାଥ ପୀଠରେ ତାଙ୍କର ୩ ବର୍ଷର ଝିଅକୁ ଛାଡି କେଉଁଆଡେ ପଳାଇଥିଲେ । ସ୍ଥାନୀୟ ଲୋକେ ଉକ୍ତ ଝିଅକୁ ପୁଲିସ ଉପସ୍ଥିତିରେ ଜଗତସିଂହପୁର ଚାଇଲ୍ଡ ଲାଇନ ସଦସ୍ୟଙ୍କୁ ହସ୍ତାନ୍ତର କରିଥିଲେ । ପରେ ଶିଶୁକନ୍ୟାକୁ ସ୍ଥାନୀୟ ଶିଶୁଆଶ୍ରମରେ ରଖାଯାଇଥିଲା । ଏ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଗତ ୧୬ ତାରିଖ ସଂଧ୍ୟାରେ ମହିଳା ଜଣକ ଜଗତସିଂହପୁର ଶିଶୁଆଶ୍ରମରେ ପହଞ୍ଚି ଝିଅକୁ ନେବା ପାଇଁ କହିଥିଲେ । ପ୍ରାୟ ୨ ଘଣ୍ଟା ଧରି ସମସ୍ତ ପ୍ରମାଣପତ୍ର ତନଖି କରାଯାଇଥିଲା। ପରେ ଶିଶୁଆଶ୍ରମ କର୍ତ୍ତୃପକ୍ଷ ଉଭୟ ମା’ ଓ ଝିଅକୁ ଶିଶୁମଙ୍ଗଳ ସମିତି ନିକଟରେ ହାଜର କରିଥିଲେ ଏବଂ ସମିତିର ନିଷ୍ପତ୍ତି କ୍ରମେ ଉଭୟଙ୍କୁ ଶିଶୁଆଶ୍ରମରେ ରଖାଯାଇଥିଲା ।
ତେବେ ଗତକାଲି ସମିତି ଅଧ୍ୟକ୍ଷା ବିଶ୍ୱେଶ୍ୱରୀ ମହାନ୍ତିଙ୍କ ସମେତ ଅନ୍ୟ ୩ ଜଣ ସଦସ୍ୟ ପିଲାର ମା’ ବୋଲି ଦାବି କରୁଥିବା ମହିଳାଙ୍କୁ କାଉନସିଲିଂ କରିବା ପରେ ଉପରୋକ୍ତ ନିଷ୍ପତ୍ତି ନେଇଥିଲେ । ସ୍ୱାମୀ ଘରଛାଡି ଫେରାର ହୋଇଯାଇଥିବାରୁ ମହିଳା ଜଣକ ମାନସିକ ଭାରସାମ୍ୟ ହରାଇଛନ୍ତି। ତେବେ ଝିଅକୁ ଫେରିପାଇଥିବାରୁ ଖୁସି ଅଛନ୍ତି । ହେଲେ ଅଧିକ କିଛି କହିପାରିବେ ନାହିଁ ବୋଲି ସମ୍ପୃକ୍ତ ମହିଳା ଜଣକ କହିଛନ୍ତି। ପରିସ୍ଥିତିକୁ ଦେଖି ଶିଶୁକନ୍ୟାକୁ ଏବେ ଶିଶୁ ମଙ୍ଗଳ ସମିତିର ହେପାଜତରେ ଶିଶୁଆଶ୍ରମରେ ରଖିବା ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଅଧ୍ୟକ୍ଷା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।