‘ଫୋନି’ରେ ଶ୍ରୀକ୍ଷେତ୍ରର ମଠ ଓ ମନ୍ଦିର ଶ୍ରୀହୀନ, ଧରାଛୁଆଁ ଦେଉନାହାନ୍ତି ସରକାର

ପୁରୀ(ଓଡ଼ିଶା ରିପୋର୍ଟର): ଓଡ଼ିଶା ଆଧ୍ୟାତ୍ମିତ ରାଜଧାନୀ ଶ୍ରୀକ୍ଷେତ୍ର ପୁରୀରେ ବାତ୍ୟା ‘ଫୋନି’ ଉଜାଡ଼ି ଦେଇଥିଲା ମଠ ଓ ମନ୍ଦିର। ବାତ୍ୟା ଯିବାକୁ ମାସେରୁ ଅଧିକ ସମୟ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ଛାଡ଼ିଦେଲେ କୌଣସି ମଠ ଓ ମନ୍ଦିରକୁ ସରକାରୀ ସହାୟତା ମିଳିନି। ଯାହାକୁ ନେଇ ମଠାଧିଶଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ମଠର ମହନ୍ତମାନେ ବାରମ୍ୱର ତହସିଲଦାର ଓ ଜିଲ୍ଲାପାଳଙ୍କ ପାଖକୁ ଯାଇ ନିରାଶ ହୋଇ ଫେରୁଛନ୍ତି। ମଠ ଓ ମନ୍ଦିର ପାଇଁ […]

Mutts-in-puri-yet-to-get-any-attention-from-admin-despite-heavy-damages-in-cyclone-Fani

Manoranjan Sial
  • Published: Wednesday, 12 June 2019
  • , Updated: 12 June 2019, 06:24 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଓଡ଼ିଶା ଆଧ୍ୟାତ୍ମିତ ରାଜଧାନୀ ଶ୍ରୀକ୍ଷେତ୍ର ପୁରୀରେ ବାତ୍ୟା ‘ଫୋନି’ ଉଜାଡ଼ି ଦେଇଥିଲା ମଠ ଓ ମନ୍ଦିର। ବାତ୍ୟା ଯିବାକୁ ମାସେରୁ ଅଧିକ ସମୟ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ଛାଡ଼ିଦେଲେ କୌଣସି ମଠ ଓ ମନ୍ଦିରକୁ ସରକାରୀ ସହାୟତା ମିଳିନି। ଯାହାକୁ ନେଇ ମଠାଧିଶଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ମଠର ମହନ୍ତମାନେ ବାରମ୍ୱର ତହସିଲଦାର ଓ ଜିଲ୍ଲାପାଳଙ୍କ ପାଖକୁ ଯାଇ ନିରାଶ ହୋଇ ଫେରୁଛନ୍ତି। ମଠ ଓ ମନ୍ଦିର ପାଇଁ କୌଣସି ବ୍ୟବସ୍ଥା କରାଯାଇନି ବୋଲି ସେମାନଙ୍କୁ କୁହାଯାଉଛି। ସରକାରଙ୍କଠାରୁ ନିରାଶ ହେବା ପରେ ସାଧୁସନ୍ଥମାନେ ଗଣମାଧ୍ୟମରେ ନିଜର ଅସନ୍ତୋଷ ଜାହିର କରିଛନ୍ତି। ଯଥା ଶୀଘ୍ର ମଠ ଓ ମନ୍ଦିର ଗୁଡ଼ିକୁ ମରାମତି କରିବାକୁ ଗଣମାଧ୍ୟମରେ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଏନେଇ ନିଖିଳ ଉତ୍କଳ ମଠ ମନ୍ଦିର ସେବା ସଂଘର ସମ୍ପାଦକ ଡକ୍ଟର ବିଜୟ ନାରାୟଣ ରମାନୁଜ ଦାଶ କହିଛନ୍ତି-“ଫୋନି ଯିବାକୁ ପ୍ରାୟ ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତଙ୍କୁ ରିଲିଫ୍‌ ମିଳିଲା। ହେଲେ ମଠ ଓ ମନ୍ଦିର ଗୁଡ଼ିକୁ ଆଜି ପର୍ଯ୍ୟନ୍ତ କିଛି ସହାୟତା ମିଳିନାହିଁ। ଏ ସମ୍ପର୍କରେ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କୁ ପଚାରିଲେ ଶୁଣିବାକୁ ମିଳୁଛି ମଠ ଓ ମନ୍ଦିର ପାଇଁ କୌଣସି ବ୍ୟବସ୍ଥା ନାହିଁ।”

ସେ ଆହୁରି କହିଛନ୍ତି-“ମଠ ଓ ମନ୍ଦିରମାନେ ସେମାନଙ୍କ ବ୍ୟବସ୍ଥାରେ ରହିଛନ୍ତି। ସେମାନେ ତାଙ୍କ ଗୁରୁ-ଶିଷ୍ୟ ପରମ୍ପରାକୁ ଧରି ବସିଛନ୍ତି। ଭଗବାନଙ୍କୁ ନେଇ ବଞ୍ଚିଛନ୍ତି। ଆଉ ଯେତେବେଳେ ଦୂରାବସ୍ଥା ଆସିଛି, ତାକୁ ସେମାନେ ନିଜେ ସାମ୍ନା କରୁଛନ୍ତି। ଏହି ଦୃଷ୍ଟିରୁ ମଠ ଓ ମନ୍ଦିରଙ୍କ ଉପରେ ସରକାରଙ୍କ ନଜର ପଡୁନାହିଁ। ବାତ୍ୟା ଫୋନିରେ ମଠ ଓ ମନ୍ଦିରରେ ୮ରୁ ୧୦ କୋଟି ଟଙ୍କାର କ୍ଷୟକ୍ଷତି ଘଟିଛି। ଏଥିପ୍ରତି ଦୃଷ୍ଟି ଦେବାକୁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ।”

ନିଖିଳ ଉତ୍କଳ ମଠ ଓ ମନ୍ଦିର ସେବା ସଂଘର କାର୍ଯ୍ୟକାରୀ ସଭାପତି ତଥା ନିର୍ମଳ ଦାଶ ମଠର ମହନ୍ତ ଡକ୍ଟର ରାମଚନ୍ଦ୍ର ଦାସ କହିଛନ୍ତି-“ବାତ୍ୟା ଫୋନି ପୁରୀରେ ଲ୍ୟାଣ୍ଡଫଲ୍‌ କରିବା ପରେ ଏଠାରେ ଥିବା ସବୁ ମଠରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗୋଶାଳାଠାରୁ ଆରମ୍ଭ କରି ମଠର ଛାତ ଉଡି ଯାଇଛି। ଆଜିପର୍ଯ୍ୟନ୍ତର ଏସବୁର ଆକଳନ କରାଗଲା ନାହିଁ। ଆମେ ଅନୁମାନ କରୁଛୁ ମଠ ଓ ମନ୍ଦିରରେ ପ୍ରାୟ ୧୦ କୋଟିରୁ ଅଧିକ କ୍ଷୟକ୍ଷତି ଘଟିଛି। ଅନ୍ୟପକ୍ଷରେ ଫୋନି କ୍ଷତିଗ୍ରସ୍ତଙ୍କ ପାଇଁ ୧୯୭ କୋଟି ଟଙ୍କା ଆସିଛି ବୋଲି ଶୁଣିବାକୁ ପାଇଛୁ। ମାତ୍ର ଏଥିରେ ମଠ ଓ ମନ୍ଦିରଙ୍କୁ ସାମିଲ କରାଯାଇନି। ଏପରିକି ସେମାନଙ୍କୁ ସହାୟତା ମିଳିବ ନାହିଁ ବୋଲି କୁହାଯାଉଛି। ଅନ୍ୟପକ୍ଷରେ କ୍ଷୟକ୍ଷତି ନେଇ ଆମେ ତହସିଲଦାର ଓ ଜିଲ୍ଲାପାଳଙ୍କ ପାଖକୁ ଯାଇଥିଲୁ। ମାତ୍ର ସେମାନେ ରୋକ୍‌ଠୋକ୍‌ ମନା କରିଦେଲେ। କାରଣ ମଠ ଓ ମନ୍ଦିର ପାଇଁ ସରକାର କୌଣସି ନୀତି କରିନାହାନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଆମେ କଣ ସରକାରଙ୍କ ଭିତରେ ନାହୁଁ? ଆମେ କଣ ସମ୍ୱିଧାନ ବାହାରେ? ନା ଆମର ଭୋଟ ଦେବାର ଅଧିକାର ନାହିଁ? ଆମେ କଣ ଏମିତି ନିଷ୍ପେଶିତ ଓ ଅବେହେଳିତ ହୋଇ ରହିଥିବୁ? ଆଉ କିଛି ଦିନ ପରେ ମୌସୁମୀ ଚାଲି ଆସିବ। ଏହାଛଡ଼ା ଆଗକୁ ରଥଯାତ୍ରା ଆସୁଛି। ଏହି ସମୟରେ ବାହାରୁ ଆସୁଥିବା ସାଧୁ ଓ ସନ୍ଥମାନେ କେଉଁଠି ରହିବେ?”

Related story