ମହାମାରୀରେ ମହାଯଜ୍ଞ, ନାଏବ ସରପଞ୍ଚଙ୍କ ସହ ୧୧ ଗିରଫ
ଛତ୍ରପୁର (ଆଲୋକ ଗୌଡ଼): ‘କରୋନା’ ମହାମାରୀ ସମୟରେ ଗାଁରେ ମହାଯଜ୍ଞ ଆୟୋଜନ କରାଯାଇଛି। ମହାଯଜ୍ଞ ପୂର୍ବରୁ ହୋଇଛି ଶହଶହ ମହିଳା ଦ୍ୱାରା କଳସୀ ଶୋଭାଯାତ୍ରା। ଏଥିରେ ସରକାରଙ୍କ କୋଭିଡ୍ ଗାଇଡ୍ଲାଇନ୍କୁ ଖୋଲାଖୋଲି ଭାବେ ଉଲ୍ଲଘଂନ କରିଛି। ଆଜି ଏପରି ଅଭିଯୋଗ ଆସିଛି ‘କରୋନା’ ହଟ୍ସ୍ପଟ୍ ଜିଲ୍ଲା ଗଞ୍ଜାମରୁ। ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ତତ୍ପର ହୋଇଛି ପ୍ରଶାସନ। ମହାଯଜ୍ଞର ମୁଖ୍ୟ କାର୍ପଟଦାର କୁହାଯାଉଥିବା ନାଏବ ସରପଞ୍ଚଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି ପୁଲିସ।
ପୋଲସରା ବ୍ଲକ୍ ଜା.ଡେଙ୍ଗା ପଦର ପଞ୍ଚାୟତ ମର୍ଦ୍ଧରାଜପୁର ଗାଁରେ ପଞ୍ଚମୁଖି ହନୁମାନ ମନ୍ଦିର ପ୍ରତିଷ୍ଠା ହୋଇଛି। ଏହି ଅବସରରେ କଳସ ଶୋଭାଯାତ୍ରା ସହ ମହାଯଜ୍ଞ କରାଯାଇଥିଲା। କଳସୀ ଶୋଭାଯାତ୍ରାରେ ଶହଶହ ମହିଳା ସାମିଲ ହୋଇଥିଲେ। ଏଥିରେ କୋଭିଡ୍ ଗାଇଡ୍ଲାଇନ୍କୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ ହୋଇଛି। ସାମାଜିକ ଦୂରତାକୁ ଫୁ’ କରି ଦେଇଛନ୍ତି ଗାଁ ଲୋକ। ଏପରିକି ମହାଯଜ୍ଞରେ ୫୦୦ରୁ ଅଧିକ ଲୋକ ସାମିଲ୍ ହୋଇଛନ୍ତି। ଏଠି କାହା ମୁହଁ ମାକ୍ସ ଅଛି ନା ସାମାଜିକ ଦୂରତା। ସବୁ କୋଭିଡ୍ ନିୟମକୁ ଜଳାଞ୍ଜଳି ଦେଇଛନ୍ତି ଗାଁ ଲୋକ। ସବୁଠାରୁ ଉଦ୍ବେଗଜନକ କଥା ହେଉଛି ଏହି ଭବ୍ୟ ଆୟୋଜନ ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନା କରିଥିବା ଅଭିଯୋଗ ହେଉଛି।
FIR lodged, against naib sarpanch Krishna ch. Jena, J dengapadar GP & priest.
naib sarpanch & 10 others r arrested for violating social distancing norms.
programme organised in Mardarajpur village of J. Dengapadar GP..
Report sent to govt for further more action @CMO_Odisha pic.twitter.com/RqGeGLHPx6— Collector & District Magistrate, Ganjam (@Ganjam_Admin) July 11, 2020
ତେବେ ମନ୍ଦିର ପ୍ରତିଷ୍ଠାକୁ ଗାଁର ଜଣେ ଯୁବକ ବିରୋଧ କରିଥିଲେ। ଯେଉଁଥିପାଇଁ ଗାଁ ଲୋକେ ତାକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ଯୁବକ ପୋଲସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଚୁପ୍ ବସିଥିଲା।ଅନ୍ୟପକ୍ଷରେ ମନ୍ଦିର ପ୍ରତିଷ୍ଠା ଉତ୍ସବର ଭିଡିଓ ସୋଶାଲ ମିଡ଼ିଆରେ ଭାଇରଲ୍ ହୋଇଥିଲା। ଏହା ସତ୍ତ୍ୱେ ସ୍ଥାନୀୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଯାହାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନାରେ ଶିକାର ହେବା ପରେ ପ୍ରଶାସନ ତତ୍ପର ହୋଇଛି। ଯଜ୍ଞ ଆୟୋଜନର ମୁଖ୍ୟ କାର୍ପଟଦାର କୁହାଯାଉଥିବା ନାଏବ ସରପଞ୍ଚଙ୍କ ସହ ୧୧ ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ନାଏବ ସରପଞ୍ଚଙ୍କୁ ନିଲମ୍ବନ କରାଯାଇଥିବା ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।