'ବିଜେଡି ସରକାରଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଅଛି'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବିଜେଡି ସରକାରଙ୍କ ପ୍ରଶାସନିକ ମଡେଲ ଉପରେ ଆସ୍ଥା ରଖି ରାଜ୍ୟର ସାଢ଼େ ୪କୋଟି ଲୋକ କ୍ରମାଗତ ପଞ୍ଚମଥର ପାଇଁ କ୍ଷମତାକୁ ଆଣିଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ଶାନ୍ତିପୂର୍ଣ୍ଣ ଥିବାରୁ ଓଡ଼ିଶା ଅଧିକ ପରିମାଣର ପୁଞ୍ଜିନିବେଶ ସଂଗ୍ରହ କରିପାରୁଛି। ରାଜ୍ୟର ଆଇନଶୃଙ୍ଖଳା ଓ ଅପରାଧ ସ୍ଥିତି ବ୍ୟାପକ ଭାବେ ନିୟନ୍ତ୍ରଣାଧୀନ ରହିଛି। ” ଆଜି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନାର ଉତ୍ତର ରଖି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଢଙ୍ଗରେ ବିରୋଧୀ […]

naveen-in-assembly

Subrat Kumar Nayak
  • Published: Monday, 29 July 2019
  • , Updated: 29 July 2019, 10:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବିଜେଡି ସରକାରଙ୍କ ପ୍ରଶାସନିକ ମଡେଲ ଉପରେ ଆସ୍ଥା ରଖି ରାଜ୍ୟର ସାଢ଼େ ୪କୋଟି ଲୋକ କ୍ରମାଗତ ପଞ୍ଚମଥର ପାଇଁ କ୍ଷମତାକୁ ଆଣିଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ଶାନ୍ତିପୂର୍ଣ୍ଣ ଥିବାରୁ ଓଡ଼ିଶା ଅଧିକ ପରିମାଣର ପୁଞ୍ଜିନିବେଶ ସଂଗ୍ରହ କରିପାରୁଛି। ରାଜ୍ୟର ଆଇନଶୃଙ୍ଖଳା ଓ ଅପରାଧ ସ୍ଥିତି ବ୍ୟାପକ ଭାବେ ନିୟନ୍ତ୍ରଣାଧୀନ ରହିଛି। ” ଆଜି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନାର ଉତ୍ତର ରଖି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଢଙ୍ଗରେ ବିରୋଧୀ ଦଳ ସଦସ୍ୟମାନଙ୍କୁ ଜବାବ ଦେଇଛନ୍ତି।

ବିରୋଧୀ ଦଳ ସଦସ୍ୟଙ୍କ ଦ୍ୱାରା ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗକୁ ଖଣ୍ଡନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଜାତୀୟ ଅଭିବୃଦ୍ଧି ହାର ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ ଅଛି। ଓଡ଼ିଶା ବହୁ କୋଟି ଟଙ୍କାର ପୁଞ୍ଜିନିବେଶକୁ ଆକୃଷ୍ଟ କରିପାରୁଛି। ଏହାର ମୁଖ୍ୟ କାରଣ ହେଉଛି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ତା’ଛଡ଼ା ଆମର ପ୍ରଶାସନିକ ମଡେଲ ଉପରେ ସାଢ଼େ ୪କୋଟି ରାଜ୍ୟବାସୀଙ୍କ ଆସ୍ଥା ଯୋଗୁ ସେମାନେ ଆମକୁ କ୍ରମାଗତ ୫ମଥର କ୍ଷମତାସୀନ କରାଇଛନ୍ତି। ରାଜ୍ୟରେ ସାମଗ୍ରିକ ଭାବେ ଆଇନଶୃଙ୍ଖଳା ଓ ଅପରାଧ ସ୍ଥିତି ବ୍ୟାପକ ଭାବେ ନିୟନ୍ତ୍ରଣାଧୀନ ରହିଛି।

ଖୁବଶୀଘ୍ର ପୁଲିସ ଆଇନକୁ ଗୃହୀତ କରାଇବା ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି। ଏବେଏବେ ସାଧାରଣ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ରାଜ୍ୟରେ କୌଣସି ଦଙ୍ଗା କିମ୍ବା ଛାତ୍ର ଅଶାନ୍ତ ଦେଖାଦେଇନି। ନକ୍ସଲ ଉପଦ୍ରବ ସ୍ଥିତିରେ ଗତ କିଛିବର୍ଷ ମଧ୍ୟରେ ସୁଧାର ଆସିଛି। ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ସୀମାବର୍ତ୍ତୀ କିଛି ଅଞ୍ଚଳରେ ଏହି ସମସ୍ୟା ରହିଛି। ୨୦୧୮ ମସିହାରେ ୧୯ଜଣ ହାର୍ଡକୋର ସିପିଆଇ ମାଓବାଦୀ କ୍ୟାଡର ନିହତ ହୋଇଥିବାବେଳେ ଚଳିତବର୍ଷ ୯ଜଣ କ୍ୟାଡରଙ୍କ ପ୍ରାଣ ହରାଇଛନ୍ତି। ୨୯ଟି ଜିଲ୍ଲାରେ ଅତିରିକ୍ତ ମହିଳା ଓ ଶିଶୁ ଡେସ୍କ ସ୍ଥାପନ ହୋଇଛି ଯେଉଁଠି କି ମହିଳାଙ୍କ ବିରୋଧରେ ହିଂସା ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତାକାରୀ ୟୁନିଟ୍ ରହିଛି। ସମସ୍ତ ନାବାଳିକା ଦୁଷ୍କର୍ମ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ମାମଲାକୁ ରେଡ୍ ଫ୍ଲାଗ୍ କେସ୍ ଭାବେ ବିବେଚନା କରାଯାଉଛି।

ସଂଗଠିତ ଅପରାଧ ଓ ଅର୍ଥନୀତିକ ଅପରାଧକୁ ନିୟନ୍ତ୍ରଣ କରିବାରେ ଓଡ଼ିଶା ପୁଲିସ ଉଲ୍ଲେଖନୀୟ ଭାବେ କାର୍ଯ୍ୟ କରୁଛି। ବହୁ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଓ ମାଫିଆମାନଙ୍କୁ ଗିରଫ କରାଯାଇଛି। ଇ-ପ୍ରିଜନ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଫୋନି ବାତ୍ୟାରେ ପୁଲିସ ବାହିନୀର ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପ୍ରଶଂସନୀୟ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଉରକେଲାରେ ଖୋଲିବ ନୂଆ ଭିଜିଲାନ୍ସ ଡିଭିଜନ

ରାଜ୍ୟ ଭିଜିଲାନ୍ସକୁ ଅତ୍ୟାଧୁନିକ ଓ ଦକ୍ଷତାସମ୍ପନ୍ନ କରିବା ପାଇଁ ବହୁ ପଦକ୍ଷେପ ନିଆଯାଇଛି। ଗତବର୍ଷ ରାଜ୍ୟ ଭିଜିଲାନ୍ସ ଏକାଡେମୀ ସ୍ଥାପନ ହୋଇଥିବାବେଳେ ଏଥିରେ ବହୁ ପ୍ରଶିକ୍ଷଣ କୋର୍ସ ପରିଚାଳିତ ହେଉଛି। ରାଉରକେଲାରେ ଏକ ନୂଆ ଭିଜିଲାନ୍ସ ଡିଭିଜନ ଖୋଲିବା ପାଇଁ ସରକାର ଅନୁମୋଦନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ୨୦୧୯ ମସିହାରେ ରାଜ୍ୟ ଭିଜିଲାନ୍ସରେ ୧୩୭ଟି ଅପରାଧ ମାମଲା ପଞ୍ଜିକୃତ ହୋଇଥିବାବେଳେ ଏଥିଷର ୨୬ଟି ଆୟବର୍ହିଭୁତ ମାମଲା, ୬୭ଟି ଲାଞ୍ଚନେବାବେଳେ ସରକାରୀ କର୍ମଚାରୀ ଧରାପଡ଼ିଥିବା ମାମଲା ଓ ୪୪ଟି ସରକାରୀ ଅର୍ଥ ତୋଷରପାତ ମାମଲା ବୋଲି ସେ କହିଛନ୍ତି।

Related story