ନବୀନଙ୍କ ପାଇଁ ବାଧ୍ୟବାଧକତା: ମୋଦି-ଶାହ ଭାୟା ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରରେ ପ୍ରଚଣ୍ଡ ଜନାଦେଶ ସହ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପୁଣିଥରେ କ୍ଷମତାସୀନ ହେବାପରେ ବିଜେଡି ଆଶଙ୍କିତ ହୋଇପଡ଼ିଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ରାଜ୍ୟରେ ପଞ୍ଚମ ପାଳିର ସରକାର ଗଠନ କରିଥିଲେ ମଧ୍ୟ ବିଜେପିର ଶୀର୍ଷ ନେତୃତ୍ୱଙ୍କ ଫୋକସରେ ଓଡ଼ିଶା ରହିଥିବାରୁ ବିଜେଡି ଚିନ୍ତାରେ ପଡ଼ିଛି। ତା’ଛଡ଼ା ବିଭିନ୍ନ ପ୍ରକାରର ଦୁର୍ନୀତି ମାମଲା, ସଂଘୀୟ ବ୍ୟବସ୍ଥାରେ ରାଜ୍ୟକୁ ସହଯୋଗ ଆଦି ପାଇଁ କେନ୍ଦ୍ର ସରକାରଙ୍କ ସହ ଭଲ ସମ୍ପର୍କ ରଖିବା ଜରୁରୀ ହୋଇପଡ଼ିଥିବାରୁ […]

naveen-patnik

Manoranjan Sial
  • Published: Thursday, 13 June 2019
  • , Updated: 13 June 2019, 08:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରରେ ପ୍ରଚଣ୍ଡ ଜନାଦେଶ ସହ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପୁଣିଥରେ କ୍ଷମତାସୀନ ହେବାପରେ ବିଜେଡି ଆଶଙ୍କିତ ହୋଇପଡ଼ିଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ରାଜ୍ୟରେ ପଞ୍ଚମ ପାଳିର ସରକାର ଗଠନ କରିଥିଲେ ମଧ୍ୟ ବିଜେପିର ଶୀର୍ଷ ନେତୃତ୍ୱଙ୍କ ଫୋକସରେ ଓଡ଼ିଶା ରହିଥିବାରୁ ବିଜେଡି ଚିନ୍ତାରେ ପଡ଼ିଛି। ତା’ଛଡ଼ା ବିଭିନ୍ନ ପ୍ରକାରର ଦୁର୍ନୀତି ମାମଲା, ସଂଘୀୟ ବ୍ୟବସ୍ଥାରେ ରାଜ୍ୟକୁ ସହଯୋଗ ଆଦି ପାଇଁ କେନ୍ଦ୍ର ସରକାରଙ୍କ ସହ ଭଲ ସମ୍ପର୍କ ରଖିବା ଜରୁରୀ ହୋଇପଡ଼ିଥିବାରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ନେତୃତ୍ୱଙ୍କ ନିକଟତର ହେବାର ବାଟ ଖୋଜିବାରେ ଲାଗିଛନ୍ତି। ଯେଉଁଥିପାଇଁ ରାଜ୍ୟରେ ଇସ୍ପାତ ଓ ପେଟ୍ରୋଲିୟମ ପ୍ରକଳ୍ପର ଅଗ୍ରଗତି ଓ ବିକାଶ ଆଳରେ ନବୀନ ଆସନ୍ତାକାଲି ଅପରାହ୍ନରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ତଥା ଓଡ଼ିଶାରେ ବିଜେପିର ଚେହେରା ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ସୂଚନା ଅନୁସାରେ, ଧର୍ମେନ୍ଦ୍ର କେନ୍ଦ୍ରରେ ପୁଣିଥରେ ମନ୍ତ୍ରୀ ଓ ନବୀନ ରାଜ୍ୟରେ ପଞ୍ଚମପାଳି ସରକାରର ନେତୃତ୍ୱ ନେବାପରେ ଏହା ଉଭୟ ନେତାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ। ଅବଶ୍ୟ ଗତ ଏପ୍ରିଲ ୩୦ତାରିଖରେ ଦିଲ୍ଲୀ ବିମାନ ବନ୍ଦରରେ ଦୁଇ ନେତାଙ୍କ ମଧ୍ୟରେ ଅପ୍ରତ୍ୟାଶିତ ଭେଟଘାଟ ହୋଇଥିଲା। ମେ’ ୬ ତାରିଖରେ ରାଜ୍ୟରେ ‘ଫୋନି’ ବାତ୍ୟାର କ୍ଷୟକ୍ଷତି ଅନୁଧ୍ୟାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିଥିବାବେଳେ ବି ନବୀନ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଆଉ ଏହି ସାକ୍ଷାତ ପରଠୁ ଆଜି ପର୍ଯ୍ୟନ୍ତ ବିଜେଡି ଓ ନବୀନ ସରକାର ପ୍ରତି ଶ୍ର୍ରୀ ପ୍ରଧାନ କୌଣସି ଆକ୍ଷେପମୂଳକ ବୟାନ ଦେଇନଥିବାବେଳେ ବିଜେଡି ମଧ୍ୟ ଅନୁରୂପ ଭାବେ ଶସ୍ତା ବୟାନବାଜିିରୁ ବିରତ ରହିଛି। ୨୦୧୭ ଅଗଷ୍ଟ ୧୮ତାରିଖରେ ମଧ୍ୟ ନବୀନ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଓଡ଼ିଶା ଭବନରେ ରାଜ୍ୟର ପେଟ୍ରୋଲିୟମ ପ୍ରକଳ୍ପ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ଯାହାର ଫାଇଦା(ଇଣ୍ଡିଆନ ଅଏଲଠୁ ବକ୍ରେୟା ଅର୍ଥ) ଓଡ଼ିଶାକୁ ମିଳିପାରିଥିଲା।

ଆଉ ଏସବୁ ମଧ୍ୟରେ ନବୀନ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଆସନ୍ତାକାଲି ଅପରାହ୍ନ ୪ଟାରେ ଓଡ଼ିଶା ଭବନରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବିଜେଡି ମୁଖପାତ୍ର ତଥା ବିଧାୟକ ପ୍ରତାପ ଦେବ ମଧ୍ୟ ଏହି ସାକ୍ଷାତ କାର୍ଯ୍ୟକ୍ରମ ରହିଥିବା ସ୍ୱୀକାର କରି କହିଛନ୍ତି ଯେ, ଧର୍ମେନ୍ଦ୍ର କେନ୍ଦ୍ରରେ ଇସ୍ପାତ ମନ୍ତ୍ରୀ ଅଛନ୍ତି ଓ ରାଜ୍ୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତାଙ୍କ ସହ ଆଲୋଚନା କରିବେ ଏଥିରେ ଅସୁବିଧା ରହିଲା କେଉଁଠି?

ଅନ୍ୟପକ୍ଷରେ ରାଜନୀତିକ ବିଶ୍ଲେଷକଙ୍କ ମତରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଯୋଡ଼ିର ସ୍ପଷ୍ଟ ରଣନୀତି ଓ କାର୍ଯ୍ୟଶୈଳୀ ଯୋଗୁ ବିଜେପି ଗତଥର ତୁଳନାରେ ଅଧିକ ସଂଖ୍ୟକ ଆସନ ଜିଣି କେନ୍ଦ୍ରରେ ସରକାର ଗଢ଼ିଥିବାବେଳେ ଓଡ଼ିଶାରେ ଦଳର ଲୋକସଭା ଆସନକୁ ୧ରୁ ୮କୁ ବୃଦ୍ଧି କରାଇ ପାରିଛନ୍ତି। ବିଶେଷକରି ଖଣି,କୋଇଲା, ବ୍ଲାକରୋଜ୍ ଓ ଚିଟଫଣ୍ଡ ଭଳି ମାମଲାର ସିବିଆଇ ତଦନ୍ତକୁ ନେଇ ବି ନବୀନ ସରକାର ଆଶଙ୍କାରେ ରହିଛି। କେନ୍ଦ୍ରରେ ଏନଡିଏ ସରକାରକୁ ବିଜେଡିର ସମର୍ଥନ ଅନାବଶ୍ୟକ ହୋଇପଡ଼ିଥିବାରୁ ବିଜେଡି ସୁପ୍ରିମୋ ଏବେ ମୋଦି-ଶାହ ଯୋଡ଼ି ସହ ସମ୍ପର୍କ ବୃଦ୍ଧି କରିବାକୁ ଚାହୁଁଛନ୍ତି। ସମ୍ପର୍କ ବୃଦ୍ଧି ମାଧ୍ୟମରେ ସିବିଆଇ ତଦନ୍ତକୁ ଦିଶାହୀନ କରିବା ଓ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାରଠୁ ବିଭିନ୍ନ ଦାବି ହାସଲ କରିବାକୁ ବିଜେଡି ନେତୃତ୍ୱ ଚାହୁଁଛନ୍ତି। ‘ଫୋନି’ ପାଇଁ ଅଧିକ ଆର୍ଥିକ ସହାୟତା, ଓଡ଼ିଶାରେ ବିଧାନ ପରିଷଦ ଗଠନ ବିଲକୁ ସଂସଦର ଉଭୟ ସଦନ ଓ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ଅଧିକ ପରିମାଣର ଖଣି ରାଜସ୍ୱ ହାସଲ ଓ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ କେନ୍ଦ୍ର ସରକାରଙ୍କ ସହ ଭଲ ସମ୍ପର୍କ ଜରୁରୀ। ବିଜେପିର ଯେଉଁ ବରିଷ୍ଠ ନେତାମାନଙ୍କ ସହ ନବୀନଙ୍କ ସହ ସମ୍ପର୍କ ଥିଲା ସେମାନେ ଏବେ ପ୍ରଭାବହୀନ ହୋଇଥିବାବେଳେ ମୋଦି-ଶାହଙ୍କ ପ୍ରଭାବଶାଳୀ ଯୋଡ଼ି ସହ ସମ୍ପର୍କ ଯୋଡ଼ିବାକୁ ହେଲେ ନବୀନଙ୍କ ପାଖରେ ଧର୍ମେନ୍ଦ୍ର ହିଁ ଏବେ ଏକମାତ୍ର ବିକଳ୍ପ। ୧୧ ତାରିଖରେ ମୋଦିଙ୍କୁ ସାକ୍ଷାତବେଳେ କୌଣସି ପ୍ରକାର ରାଜନୀତିକ ଫାଇଦା(ସାକ୍ଷାତ ସମ୍ପୂର୍ଣ୍ଣ ଭାବେ ସରକାରୀ ଥିଲା) ମିଳିନଥିବାରୁ ବିଜେଡି ଏବେ ଧର୍ମେନ୍ଦ୍ରଙ୍କୁ ପ୍ରଭାବିତ ପାଇଁ ଉଦ୍ୟମ କରିଛି। ଧର୍ମେନ୍ଦ୍ରଙ୍କ ମାଧ୍ୟମରେ ନବୀନ ଏବେ ମୋଦି-ଶାହ ଯୋଡ଼ିର ନିକଟତର ହେବାକୁ ପ୍ରୟାସ କରିଛନ୍ତି। ତେବେ ରାଜ୍ୟର ଇସ୍ପାତ ଓ ପେଟ୍ରୋଲିୟମ ପ୍ରକଳ୍ପ ଆଳରେ ନବୀନଙ୍କ ଏହି ସାକ୍ଷାତ ବିଜେଡି ପାଇଁ ରାଜନୀତିକ ଦୃଷ୍ଟିରୁ କେତେ ସଫଳ ହେଉଛି ତାହା ଉପରେ ସମସ୍ତଙ୍କ ନଜର।

Related story