ଓଡ଼ିଶାକୁ ମାଡ଼ି ଆସୁଛି ଏହି ବିଦେଶୀ ପୋକ, ରାତିକରେ ଯାଉଛି ୪୦୦ କିମି

ରାଜଗାଙ୍ଗପୁର/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଚାଷୀଙ୍କ ପାଇଁ କାଳଭଳି ମାଡ଼ି ଆସୁଛି ଆଫ୍ରିକାନ୍ ଫଲ୍ ଆର୍ମି ଓ୍ୱର୍ମ। ଗୋଟିଏ ରାତିରେ ପ୍ରାୟ ୪୦୦ କିଲୋମିଟର ଗତିକରୁଥିବା ଏ ବିଦେଶୀ ପୋକକୁ ନେଇ ଏବେ ସୁନ୍ଦରଗଡ଼ ଚାଷୀଙ୍କ ଭିତରେ ଆତଙ୍କ ଖେଳି ଯାଇଛି । କାରଣ ମକା ଫସଲରେ ଅଧିକ ଭାବେ ଦେଖାଦେଉଥିବା ଏ ପୋକ ଧାନ, ପନିପରିବା ସହ ୧୨୦ ପ୍ରକାର ଫସଲକୁ ଖୁବ୍ କମ୍ ଦିନରେ ଧ୍ୱଂସ କରିପାରେ। ତେଣୁ ଏହି ପୋକ ଚିହ୍ନଟ ସହ ଦମନ ପାଇଁ ଏବେ […]

worm-1

Tapas Behera
  • Published: Friday, 02 August 2019
  • , Updated: 02 August 2019, 08:55 PM IST

ରାଜଗାଙ୍ଗପୁର/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଚାଷୀଙ୍କ ପାଇଁ କାଳଭଳି ମାଡ଼ି ଆସୁଛି ଆଫ୍ରିକାନ୍ ଫଲ୍ ଆର୍ମି ଓ୍ୱର୍ମ। ଗୋଟିଏ ରାତିରେ ପ୍ରାୟ ୪୦୦ କିଲୋମିଟର ଗତିକରୁଥିବା ଏ ବିଦେଶୀ ପୋକକୁ ନେଇ ଏବେ ସୁନ୍ଦରଗଡ଼ ଚାଷୀଙ୍କ ଭିତରେ ଆତଙ୍କ ଖେଳି ଯାଇଛି । କାରଣ ମକା ଫସଲରେ ଅଧିକ ଭାବେ ଦେଖାଦେଉଥିବା ଏ ପୋକ ଧାନ, ପନିପରିବା ସହ ୧୨୦ ପ୍ରକାର ଫସଲକୁ ଖୁବ୍ କମ୍ ଦିନରେ ଧ୍ୱଂସ କରିପାରେ। ତେଣୁ ଏହି ପୋକ ଚିହ୍ନଟ ସହ ଦମନ ପାଇଁ ଏବେ କୃଷିବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

କୃଷିକ୍ଷେତ୍ରରେ ଭୟଙ୍କର ଧ୍ୱଂସଲୀଳା ସୃଷ୍ଟି କରିବାର କ୍ଷମତା ରଖୁଥିବା ଏ ପୋକ ଏବେ ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ କୁତ୍ରା ଅଞ୍ଚଳର ଚାଷୀଙ୍କ ନିଦ ହଜାଇ ଦେଇଛି। କେବଳ ମକା ନୁହେଁ  ଧାନ, ଭେଣ୍ଡି ଭଳି ପନିପରିବା ଫସଲରେ ମଧ୍ୟ ଏଇ ପୋକ ଲାଗି ନଷ୍ଟ କରି ଚାଲିଥିବା ଅଭିଯୋଗ କରିଛନ୍ତି ଚାଷୀ।

ଫଲ୍ ଆର୍ମି ଓ୍ୱର୍ମ ପୋକ ଆକ୍ରମଣର ଇତିହାସ ଉପରେ ନଜର ପକାଇଲେ ଜାଣିପାରିବା ଯେ, ଏହା ମୂଳତଃ ଆମେରିକୀୟ ପୋକ ହେଲେ ବି ୨୦୧୬ ପ୍ରାରମ୍ଭରେ ଆଫ୍ରିକୀୟ ମହାଦେଶରେ ତା’ର ପ୍ରାଦୁର୍ଭାବ ଦେଖାଇଥିଲା। ପରେ ଖୁବ୍ କମ୍ ଦିନରେ ବିଶ୍ୱର ୫୦ଟି ଦେଶକୁ ବ୍ୟାପି  ଗତବର୍ଷଠୁ ଭାରତରେ ବି କାୟା ବିସ୍ତାର ଆରମ୍ଭ କରିଛି।

ତାମିଲନାଡୁ ଓ ଆନ୍ଧ୍ରରେ ବ୍ୟାପକ ଫସଲହାନିର କାରଣ ପାଲଟିଥିବା ଫଲ୍ ଆର୍ମି ଓ୍ୱର୍ମର ଉପସ୍ଥିତି ଗତ ବର୍ଷ କଟକ ଓ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଥିଲା। ଆଉ ଏବର୍ଷ ସୁନ୍ଦରଗଡ଼ରେ  ଏ ପୋକ ଚାଷୀ ଓ କୃଷିବିଭାଗର ଚିନ୍ତା ବଢ଼ାଇ ଦେଇଛି।  ତେଣୁ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଆଜି ଏକ କର୍ମଶାଳା ଆୟୋଜନ କରାଇ ତୃଣମୂଳସ୍ତରରେ କାମ କରୁଥିବା କୃଷି କର୍ମଚାରୀଙ୍କୁ ପୋକ ଚିହ୍ନଟ ଏବଂ ପରିଚାଳନା ସଂପର୍କିତ ପରାମର୍ଶ ଦିଆଯାଇଛି।

କେବଳ ସୁନ୍ଦରଗଡ଼ ନୁହେଁ,  ରାଜ୍ୟର ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ସୁନ୍ଦରଗଡ଼, ଫୁଲବାଣୀ ଓ କଟକ ଭଳି ଜିଲ୍ଲାରେ ମଧ୍ୟ ଫସଲରେ ଫଲ ଆର୍ମି୍ ଓ୍ୱର୍ମ ପୋକ ସଂକ୍ରମଣର ଖବର ମିଳିଛି। ସବୁଠୁ ବଡ଼ କଥା ହେଉଛି ଏଇ ପୋକ ଗୋଟିଏ ରାତିରେ ୪ଶହ କିଲୋମିଟର ଗତିକରୁଥିବା ବେଳେ ୧୨୦ ପ୍ରକାର ଫସଲ ନଷ୍ଟ କରିବାର କ୍ଷମତା ରଖେ। ଏପରିକି ଏହି ପୋକ ଗୋଟିଏ ରାତିରେ ୨ଶହରୁ ୩ଶହ ଅଣ୍ଡା ଦେଇପାରୁଥିବାରୁ ଶୀଘ୍ର ବଂଶବିସ୍ତାର ବି କରିଥାଏ। ତେଣୁ ତୁରନ୍ତ ଏହାର ପ୍ରତିକାର କରାନଗଲେ ଆଗକୁ ସ୍ଥିତି ବିଗିଡିଯିବାର ଆଶଙ୍କା ରହିଛି।

Related story