କାମାକ୍ଷାନଗର(ବିଦ୍ୟାଧର ବରାଳ): ସରକାରୀ ଓ ଗୋଚର ଜମିରୁ ଜବରଦଖଳ ଉଚ୍ଛେଦ ଦାବିରେ ଏନ୍ଏଚ୍ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଭେଜିଆ ଗାଁ ଛକ ନିକଟରେ ୧୪୯ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ବିରିବୋଲେଇ ଗାଁଲୋକେ । ଏଥିଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଛି। ରାସ୍ତା ଅବରୋଧ ଯୋଗୁ ପିତିରି-ପାଲଲହଡା ମଧ୍ୟରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଛି ।
ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁଯାୟୀ, ଗାଁରେ ଥିବା ସରକାରୀ ଓ ଗୋଚର ଜମିରେ କିଛି ମୁଷ୍ଟିମେୟ ଲୋକ ଘର ନିର୍ମାଣ କରିବା ସହ ଜମି ଅକ୍ତିଆର କରି ନେଇଛନ୍ତି । ଏନେଇ ସରକାରଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲା । ମାତ୍ର ଏ ନେଇ କୌଣସି ସୁଫଳ ମିଳି ପାରିନଥିଲା ।
ଫଳରେ ଗ୍ରାମବାସୀ ଗତ ୨୧ ତାରିଖରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ୭ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ପାଇଁ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଏ ନେଇ ପ୍ରଶାସନର କୌଣସି ହସ୍ତକ୍ଷେପ ନହେବା ଯୋଗୁଁ ଆଜି ଗ୍ରାମବାସୀ ମାନେ ୧୪୯ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନଗଲେ ଆନ୍ଦୋଳନ ଜାରି ରହିବ ବୋଲି ଲୋକମାନେ ଚେତାବନୀ ଦେଇଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।