ଭଦ୍ରକ: ନିଗମ ଗୋଦାମରେ ପଡିରହିଛି ୧୨ ହଜାର କୁଇଣ୍ଟାଲ ବିହନ, ହେଲେ ବିହନ ନ ପାଇ ଚାଷୀ ହତାଶ

ଭଦ୍ରକ: ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି। ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ଖରିଫ ଚାଷ ପାଇଁ ପ୍ରସ୍ତୁତ ହେଉଛନ୍ତି ଭଦ୍ରକ ଜିଲ୍ଲାର ଚାଷୀ। ଜିଲ୍ଲାର ଅଧିକାଂଶ ସ୍ଥାନରେ ଏକମାସ ହେଲା ଖରିପ ଧାନ ଚାଷ ପାଇଁ ମାଟି କର୍ଷଣ କାର୍ଯ୍ୟ ଶେଷ ହୋଇଛି। ବର୍ଷା ଆରମ୍ଭ ହୋଇ ଯାଇଥିବାବେଳେ ଧାନ ଚାଷ ପାଇଁ ମଧ୍ୟ ଜମିକୁ କାଦୁଅ କରିବା କାର୍ଯ୍ୟ ତ୍ୱରାନ୍ୱିତ କରାଗଲାଣି। କିନ୍ତୁ ଧାନ ଚାଷ ପାଇଁ ଏପର୍ଯ୍ୟନ୍ତ ଚାଷୀଙ୍କୁ ବିହନ ମିଳିନାହିଁ । […]

bhadrakh

Rakesh Mallick
  • Published: Saturday, 20 June 2015
  • , Updated: 20 June 2015, 09:52 AM IST

ଭଦ୍ରକ: ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି। ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ଖରିଫ ଚାଷ ପାଇଁ ପ୍ରସ୍ତୁତ ହେଉଛନ୍ତି ଭଦ୍ରକ ଜିଲ୍ଲାର ଚାଷୀ। ଜିଲ୍ଲାର ଅଧିକାଂଶ ସ୍ଥାନରେ ଏକମାସ ହେଲା ଖରିପ ଧାନ ଚାଷ ପାଇଁ ମାଟି କର୍ଷଣ କାର୍ଯ୍ୟ ଶେଷ ହୋଇଛି। ବର୍ଷା ଆରମ୍ଭ ହୋଇ ଯାଇଥିବାବେଳେ ଧାନ ଚାଷ ପାଇଁ ମଧ୍ୟ ଜମିକୁ କାଦୁଅ କରିବା କାର୍ଯ୍ୟ ତ୍ୱରାନ୍ୱିତ କରାଗଲାଣି। କିନ୍ତୁ ଧାନ ଚାଷ ପାଇଁ ଏପର୍ଯ୍ୟନ୍ତ ଚାଷୀଙ୍କୁ ବିହନ ମିଳିନାହିଁ । ବିହନ ନିଗମରେ ଆବଶ୍ୟକ ପରିମାଣର ବିହନ ଗଚ୍ଛିତ ରହିଛି। ହେଲେ ଚାଷୀ ଏପର୍ଯ୍ୟନ୍ତ ବିହନ ପାଇ ନାହାନ୍ତି। ଏହାକୁ ନେଇ ଜିଲ୍ଲାରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପାଇଛି। ଏପରି ସ୍ଥିତିରେ ଚାଷୀ ପାରମ୍ପାରିକ ଧାନ ବିହନକୁ ବ୍ୟବହାର କରିବାକୁ ମନ ସ୍ଥିର କରୁଥିବା ଜଣାପଡିଛି ।



ବିହନ ଯୋଗାଣ ଦାୟିତ୍ୱରେ ଥିବା ଘରୋଇ ଡିଲର ଓ ସମବାୟ ସମିତିଗୁଡିକର ମଧ୍ୟରେ ସମନ୍ୱୟ ଅଭାବରୁ ଏହିପରି ଅବ୍ୟବସ୍ଥା ଦେଖିବାକୁ ମିଳୁଛି ବୋଲି ଅଭିଯୋଗ ହେଉଛି। ଜିଲ୍ଲାରେ ସରକାରୀ ବିହନ ବିକ୍ରି ପାଇଁ କୃଷି ବିଭାଗ ଜରିଆରେ ୨୫ଟି ଘରୋଇ ଡିଲର ଓ ୧୫ଟି ସମବାୟ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଚଳିତବର୍ଷ ଦାୟିତ୍ୱ ନେଇଥିବା ସଂସ୍ଥାଗୁଡିକୁ ନୂଆ କିସମର ବିହନ କେଜି ପ୍ରତି ୧୪ଟଙ୍କା ୫୦ ପଇସା ଓ ପୁରୁଣା କିସମର ବିହନ ବିକ୍ରି ପାଇଁ ୧୬ ଟଙ୍କାଦରରେ ବିକ୍ରି ପାଇଁ ସରକାରୀ ସ୍ତରରେ ନିର୍ଦ୍ଦେଶ ରହିଛି। ଲାଇସେନ୍ସଧାରୀମାନେ ବିହନ ନିଗମରେ ଆଗୁଆ ଅର୍ଥ ପୈଠ କରି ନିଗମର ଭଣ୍ଡାରରୁ ବିହନ ଉଠାଣର ନିୟମ ରହିଛି। ହେଲେ ଏପର୍ଯ୍ୟନ୍ତ ଏହି ବିକ୍ରେତାମାନେ ନିଗମରୁ ବିହନ ଉଠାଇ ନାହାନ୍ତି। ସେହିପରି ଏକାଧିକ ବ୍ଲକରେ ଏପର୍ଯ୍ୟନ୍ତ ବିହନ ଉଠାଣ ହୋଇପାରିନାହିଁ। ଫଳରେ ଅଧିକାଂଶ ବ୍ଲକରେ ଧାନ ବିହନର ଉତ୍କଟ ଅଭାବ ଦେଖା ଦେଇଛି। ବିଶେଷ କରି ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକରେ ବିହନ ସମସ୍ୟା ଜଟିଳ ହୋଇଛି।

ଜିଲ୍ଲା କୃଷି ବିଭାଗ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଚାଷୀମାନଙ୍କୁ ୬ ହଜାର କୁଇଣ୍ଟାଲ ବିହନ ଯୋଗାଣ ସରିଛି। ଭଦ୍ରକ ହଳଦୀଡିହ ଛକ ନିକଟରେ ଥିବା ବିହନ ନିଗମ ଓ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ ନିଗମ ଗୋଦାମରେ ୧୨ ହଜାର କୁଇଣ୍ଟାଲରୁ ଅଧିକ ବିହନ ପଡିରହିଛି। ଲାଇସେନ୍ସଧାରୀଙ୍କ ଧୀମା ବିହନ ଉଠାଣ ଯୋଗୁଁ ଏହିଭଳି ପରିସ୍ଥିତି ଉପୁଜିଛି। ନିଗମ ନିକଟରେ ବିହନ କିଣିବା ପାଇଁ ପ୍ରଥମେ ଅର୍ଥ ଦେବାକୁ ପଡୁଥିବାରୁ ବିକ୍ରେତାମାନେ ହତୋତ୍ସାହିତ ହେଉଥିବା ଆଲୋଚନା ହେଉଛି। ଗତବର୍ଷ ଜିଲ୍ଲାର ଚାଷୀଙ୍କୁ ବିହନ କୁଇଣ୍ଟାଲ ପ୍ରତି ୧୦୦ଟଙ୍କା ରିହାତି ମିଳିଥିବା ବେଳେ ଚଳିତବର୍ଷ ଏହା ଦିଆଯାଉ ନ ଥିବା ଅଭିଯୋଗ କରିଛନ୍ତି ଚାଷୀ। ଜିଲ୍ଲା କୃଷି ଉପ ନିର୍ଦ୍ଦେଶକ ମହେଶ ରଥଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, ଜିଲ୍ଲାରେ ଧାନ ବିହନର ଅଭାବ ନାହିଁ। ବିହନ ପାଇଁ ଲାଇସେନ୍ସ ନେଇଥିବା ବିକ୍ରେତାମାନେ ଉଠାଣରେ ବିଳମ୍ବ କରୁଥିବାରୁ କାଁ ଭାଁ ଏପରି ପରିସ୍ଥିତି ଉପଜୁଛି। ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଜିଲ୍ଲାରେ ୧ଲକ୍ଷ ୭୪ ହଜାର ହେକ୍ଟର ଖରିଫ ଧାନ ଚାଷ ହୋଇଥାଏ। ସରକାରୀସ୍ତରରେ ଚାଷୀମାନଙ୍କୁ ୧୫ ପ୍ରତିଶତ ବିହନ ଯୋଗାଇ ଦିଆଯିବାର ନିର୍ଦ୍ଦେଶ ରହିଥିବା ବେଳେ ଚାଷୀ ଅବଶିଷ୍ଟ ୮୫ ପ୍ରତିଶତ ନିଜସ୍ୱ ବିହନ ବ୍ୟବହାର କରିଥାନ୍ତି ।

Related story