ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ମାସରେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କର ପରଲୋକ ହୋଇଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମେ’ ୧୨ ତାରିଖରେ କେନ୍ଦୁଝର ଜିଲ୍ଲା ଘଟଗାଁ କଲେଜ ଛକ ନିକଟରେ ସଲିଲଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏକ ଗାଈକୁ ବଞ୍ଚାଇବାକୁ ଯାଇ ଡ୍ରାଇଭର ଜୋରରେ ବ୍ରେକ୍‌ ଦେବାରୁ କାର୍‌ଟି ରାସ୍ତା […]

Salil-Mitra

Jyoshna Pradhan
  • Published: Tuesday, 04 June 2019
  • , Updated: 04 June 2019, 09:49 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ମାସରେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କର ପରଲୋକ ହୋଇଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ମେ’ ୧୨ ତାରିଖରେ କେନ୍ଦୁଝର ଜିଲ୍ଲା ଘଟଗାଁ କଲେଜ ଛକ ନିକଟରେ ସଲିଲଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏକ ଗାଈକୁ ବଞ୍ଚାଇବାକୁ ଯାଇ ଡ୍ରାଇଭର ଜୋରରେ ବ୍ରେକ୍‌ ଦେବାରୁ କାର୍‌ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଏଥିଯୋଗୁ ତାଙ୍କ ଛାତିରେ ଜୋରରେ ମାଡ଼ ହୋଇଥିଲା। ଘଟଗାଁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା। ଏଠାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସଲିଲ ମିତ୍ରଙ୍କ ଜଣେ ସଂପର୍କୀୟ କହିଛନ୍ତି,“ମୁଁ ମୋ ଭାଇଙ୍କୁ ହରାଇଛି। ଗତ ୧୨ ତାରିଖରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ସେହିଦିନ ସକାଳ ୬ଟାରେ ସେ କରଞ୍ଜିଆ ଯାଇଥିଲେ। ସେଠାରେ ସେ ଏକ ଗୀତ ଶୁଟିଂ କରିଥିଲେ। ଏହାପରେ ସେ କରଞ୍ଜିଆରେ ଥିବା ଆମ ଘରକୁ ଯାଇ ମଧ୍ୟାହ୍ନ ଭୋଜନ କରିଥିଲେ। ତା’ପରେ ପୁଣି ଶୁଟିଂ ପାଇଁ ବାହାରି ଯାଇଥିଲେ। ହେଲେ ସେ ଘରୁ ବାହାରି ଯିବାର ଘଣ୍ଟାଏ ଭିତରେ ତାଙ୍କ କାର୍ ଘଟଗାଁ ପାଖରେ ଦୁର୍ଘଟଣା ହୋଇଥିବା ସୂଚନା ଆସିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଘଟଗାଁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏହାପରେ ଆମେ ତାଙ୍କୁ କିମ୍‌ସ ହସ୍ପିଟାଲକୁ ଆଣିଥିଲୁ। ତାଙ୍କ ଛାତିର ଉଭୟ ବାମ ଓ ଡାହାଣ ପାର୍ଶ୍ୱର ହାଡ଼ ଭାଙ୍ଗି ଯାଇଥିଲା। ମେରୁଦଣ୍ଡରେ ସବୁଠୁ ବେଶୀ ଆଘାତ ଲାଗିଥିଲା। ତେଣୁ ତାଙ୍କ ହାତଗୋଡ଼ ଚାଲୁ ନଥିଲା। ତାଙ୍କୁ ଭେଣ୍ଟିଲିଟରରେ ରଖାଯାଇଥିଲା।”

ଓଡ଼ିଆ ଚଳଚ୍ଚିତ୍ର ଜଗତର ସଲିଲ ଜଣେ ଲୋକପ୍ରିୟ ହାସ୍ୟାଭିନେତା ଭାବେ ଜଣାଶୁଣା। ଫିଲ୍ମ ସହିତ ଧାରାବାହିକରେ ମଧ୍ୟ ହାସ୍ୟ ଅଭିନେତା ଭାବେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।

୧୯୯୯ ମସିହାରେ ‘ପୁଅ ଭାଙ୍ଗିଦେଲା ସୁନା ସଂସାର’ ଚଳଚ୍ଚିତ୍ରରୁ ସଲିଲ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ‘ଶାସ୍ତି’, ‘ଲଭ୍ ଷ୍ଟେସନ୍’, ‘ଲଭ୍ ପାଇଁ କୁଛ୍ ଭି କରେଗା’, ‘ମହାନାୟକ’, ‘ଗପ ହେଲେ ବି ସତ’ ଓ ‘ସିଷ୍ଟର ଶ୍ରୀଦେବୀ’ ଭଳି ଅନେକ ଫିଲ୍ମରେ ଅଭିନୟ କରି ସେ ଓଡ଼ିଆ ଦର୍ଶକଙ୍କ ମନ ଜିଣି ପାରିଥିଲେ। ତାଙ୍କ ମୃତ୍ୟୁରେ ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି।

ହାସ୍ୟ ଅଭିନେତା ପପୁ ପମ୍ ପମ୍ କହିଛନ୍ତି,“ସଲିଲ ଦା’ ଜଣେ ବିଚିତ୍ର କଳାକାର ଥିଲେ। ତାଙ୍କ ଶୂନ୍ୟସ୍ଥାନ କେହି ପୂରଣ କରି ପାରିବେ ନାହିଁ। ତାଙ୍କ ସହ ମୋର ବହୁତ ଭଲ ସମ୍ପର୍କ ଥିଲା। ବହୁ ସିନେମାରେ ତାଙ୍କ ସହ ମୁଁ କାମ କରିଛି। ଆମ ସିନେମାରେ ସେ ଲକି ମାସ୍କଟ ଥିଲେ। ସବୁ ନିର୍ଦ୍ଦେଶକଙ୍କ ଧାରଣା ଥାଏ ଯେ, ସଲିଲ ଦା ଅଛନ୍ତି ତ ସିନେମା ଭଲ ଚାଲିବ। ଡାଏଲଗ୍‌ ନଥିଲେ ବି ଲୋକ ତାଙ୍କୁ ଦେଖିଲେ ହସନ୍ତି।”

ସଲିଲଙ୍କ ମୃତ୍ୟୁରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି,“ ଏହା ଅତି ଦୁଃଖଦ ଖବର। ନିଖୁଣ ଅଭିନୟ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ।” ଏହା ସହିତ ସେ ସଲିଲଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Related story