ଓଡ଼ିଶା ପ୍ରତି ମୋଦି ସରକାରଙ୍କ ଅବଦାନ ଅତୁଳନୀୟ: ସମୀର ମହାନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଆଙ୍କ ବିକାଶ, ସମ୍ମାନ ଓ ଦୁର୍ବିପାକ ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଅବଦାନ ଅତୁଳନୀୟ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ଆଜି ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ମୋଦି ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଫୋକସରେ ପୂର୍ବ ଭାରତର ବିକାଶ ରହିଛି। ପୂର୍ବ ଭାରତର ବିକାଶର ରୋଡମ୍ୟାପର କେନ୍ଦ୍ରରେ ଓଡ଼ିଶା […]

samir-mohanty

samir-mohanty

Manoranjan Sial
  • Published: Monday, 01 June 2020
  • Updated: 01 June 2020, 09:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଆଙ୍କ ବିକାଶ, ସମ୍ମାନ ଓ ଦୁର୍ବିପାକ ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଅବଦାନ ଅତୁଳନୀୟ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

ଆଜି ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ମୋଦି ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଫୋକସରେ ପୂର୍ବ ଭାରତର ବିକାଶ ରହିଛି। ପୂର୍ବ ଭାରତର ବିକାଶର ରୋଡମ୍ୟାପର କେନ୍ଦ୍ରରେ ଓଡ଼ିଶା ଅଛି। କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ମଧ୍ୟରେ ମୋଦି ସରକାର ଜାତୀୟ ସ୍ତରରେ କିଛି ଏପରି ନିଷ୍ପତ୍ତି ନେଇଛନ୍ତି ଯାହା ଭାରତର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ସେହିପରି ସମାନ ଢଙ୍ଗରେ ଓଡ଼ିଶା ପାଇଁ ମଧ୍ୟ ମୋଦି ସରକାର ଏହି ଗୋଟିଏ ବର୍ଷରେ ଅନେକ ନିଷ୍ପତ୍ତି ନେଇଛନ୍ତି, ଯାହା ଓଡ଼ିଶାବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଫନି ମହାବାତ୍ୟା ଆସିବା ପୂର୍ବରୁ ବାତ୍ୟା ମୁକାବିଲା ପାଇଁ ଓଡ଼ିଶାକୁ ମୋଦି ସରକାର ଅଗ୍ରିମ ଆକାରରେ ୩୪୧ କୋଟି ଟଙ୍କା ଦେଇଥିଲେ। ବାତ୍ୟା ମୁକାବିଲା ପାଇଁ କେନ୍ଦ୍ରରୁ ଆଗୁଆ ଅର୍ଥ ଦେବାରେ ମୋଦି ସରକାର ଥିଲେ ପ୍ରଥମ। ବାତ୍ୟା ପରେ ପରେ ଓଡ଼ିଶା ଆସି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଆଉ ୧ ହଜାର କୋଟି ଟଙ୍କା ଦେଲେ। ସମ୍ପୂର୍ଣ୍ଣ କ୍ଷୟକ୍ଷତି ଆକଳନ ପରେ ଆହୁରି ୩୩୩୮ କୋଟି ଟଙ୍କା ଓଡ଼ିଶାକୁ ମିଳିଲା। ଏଭଳି ମୋଟ ୪୬୭୯ କୋଟି ଟଙ୍କା କେବଳ ଫନି ମୁକାବିଲା ପାଇଁ ମିଳିଥିଲା। ସେହିପରି ଅମ୍ଫାନ ବାତ୍ୟାରେ ଓଡ଼ିଶାରେ ଯେଉଁ କ୍ଷତି ହୋଇଛି ସେଥିପାଇଁ ନରେନ୍ଦ୍ର ମୋଦି ନିଜେ କ୍ଷତିଗ୍ରସ୍ତ ଅଂଚଳ ବୁଲିବା ସହିତ ୫୦୦ କୋଟି ଟଙ୍କାର ପ୍ୟାକେଜ ଓଡିଶାକୁ ଦେଇଛନ୍ତି। ଘୋଷଣା କରିବାର ୨୪ ଘଂଟା ଭିତରେ ଓଡିଶା ସରକାରଙ୍କ ପାଖରେ ପଇସା ପହଂଚି ଯାଇଛି। ଓଡିଆଙ୍କ ସହ ଦୁର୍ଦ୍ଧିନରେ ସବୁବେଳେ ପ୍ରଧାନମନ୍ତ୍ରୀ ମୋଦି ଠିଆ ହୋଇଛନ୍ତି।
୨୦୧୪-୧୫ ମସିହାରୁ ୨୦୨୦-୨୧ ମସିହା ମଧ୍ୟରେ କେନ୍ଦ୍ରୀୟ ଅନୁଦାନ ଓ କେନ୍ଦ୍ରୀୟ ଟିକସ ବାବଦରେ ଓଡ଼ିଶାକୁ ୩,୬୮,୫୯୨ କୋଟି ଟଙ୍କା ମିଳିଛି। ଆଗରୁ ଓଡ଼ିଶାକୁ ରେଳ ଅନୁଦାନ କେବେ ବାର୍ଷିକ ୧୦୦୦ କୋଟି ଛୁଇଁ ନଥିବା ବେଳେ ୨୦୨୦-୨୧ ରେଳ ବଜେଟରେ ଓଡ଼ଶାକୁ ମିଳିଛି ୫୨୯୬ କୋଟି ଟଙ୍କା ମିଳିଛି। ମୋଦି ସରକାରଙ୍କ ୬ ବର୍ଷରେ ଓଡ଼ିଶା ରେଳ ବିକାଶ ପାଇଁ ପାଇଛି ୩୧,୪୪୪ କୋଟି ଟଙ୍କା।

ଚଳିତ ବର୍ଷ ୨୦୨୦ରେ ପଦ୍ମ ପୁରସ୍କାରରେ ଓଡ଼ିଶାରୁ ୧୨ ଜଣ ଓଡ଼ିଆ ସମ୍ମାନିତ ହୋଇଛନ୍ତି, ଯାହା ଏକ ରେକର୍ଡ। ମୋଦିଙ୍କ ସମୟରେ ଓଡ଼ିଶାରୁ ୩ଜଣ ରାଜ୍ୟପାଳ, ପ୍ରଥମ ଓ ଦ୍ୱିତୀୟ ଉଭୟ ସରକାରରେ ୨ ଜଣ କେନ୍ଦ୍ରମନ୍ତ୍ରୀ, ଓଡ଼ିଶାରୁ ପ୍ରଥମ ଥର ପାଇଁ ଦୁଇ ମନୋନୀତ ରାଜ୍ୟସଭା ସଦସ୍ୟ, ଓଡ଼ିଆ ଘରର ମାଣବସା, ଛଉ ନାଚ ଓ ରାବଣ ଛାୟାକୁ କେନ୍ଦ୍ରୀୟ ଐତିହ୍ୟ ମାନ୍ୟତା ଦେବା ଓଡ଼ିଶା ପାଇଁ ଗର୍ବର କଥା। କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ସମେତ ପ୍ରବାସୀଙ୍କୁ ଫେରାଇ ଆଣିବା ନିମନ୍ତେ ମୋଦି ସରକାର ସହାୟତାର ହାତ ବଢାଇଛନ୍ତି। ଏବେ ସୁଦ୍ଧା ବାହାରେ ରହୁଥିବା ଓଡ଼ିଆ ଲୋକଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଓଡ଼ିଶାକୁ ୧୭୮ଟି ସ୍ପେଶାଲ ଟ୍ରେନ ମାଧ୍ୟମରେ ୩ ଲକ୍ଷ ୩୦ ହଜାରରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ଫେରାଇ ଅଣାଯାଇଛି ଓ ଟିକେଟ ମୂଲ୍ୟର ୮୫% ଅର୍ଥ କେନ୍ଦ୍ର ସରକାର ବହନ କରୁଛନ୍ତି। ରାଜ୍ୟରେ କୋଭିଡ ହସ୍ପିଟାଲ ନିର୍ମାଣରେ କେନ୍ଦ୍ର ସରକାରଙ୍କର ଭୂମିକା ମହତ୍ୱପୂର୍ଣ୍ଣ ରହିଛି। କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ସଂସ୍ଥା ନାଲକୋ, ଏମସିଏଲ, ଏନଟିପିସି, ଆଇଓସିଏଲ, ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ରାଜ୍ୟରେ କୋଭିଡ ହସ୍ପିଟାଲ ନିର୍ମାଣ ପାଇଁ ଅର୍ଥ ଦିଆଯାଇଛି। ଏବେ ରାଜ୍ୟରେ ୫ରୁ ଅଧିକ କେନ୍ଦ୍ରୀୟ ଅନୁଷ୍ଠାନ କରୋନା ପରୀକ୍ଷା କରାଯିବାର ବ୍ୟବସ୍ଥା କରାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଦିଲ୍ଲିପ ମହାନ୍ତି ଓ ସୁଦୀପ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲୋ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos