'କାଳିଆ' ପାଇଁ ଓଡ଼ିଶା ଆକସ୍ମିକ ପାଣ୍ଠିରୁ ୧୨୦୦ କୋଟି ଟଙ୍କା ଦେବାକୁ କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ‘କାଳିଆ’ ଯୋଜନା ନିମନ୍ତେ ଓଡ଼ିଶା ଆକସ୍ମିକ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯିବ। ଏଥିପାଇଁ ଆଜି ଓଡ଼ିଶା ଆକସ୍ମିକ ପାଣ୍ଠି (ସଂଶୋଧନ) ଆଇନକୁ ଅଧ୍ୟାଦେଶ ବଳରେ ସଂଶୋଧନ କରିବାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଫଳରେ ଓଡ଼ିଶା ଆକସ୍ମିକ ପାଣ୍ଠିର ପରିମାଣ ୪୦୦କୋଟି ଟଙ୍କାରୁ ୧୬୦୦ କୋଟି ଟଙ୍କାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଏହି ଅର୍ଥ ‘କାଳିଆ’ ଯୋଜନା ପାଇଁ ବ୍ୟୟ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ […]

cabinet

cabinet

Manoranjan Sial
  • Published: Saturday, 29 December 2018
  • Updated: 29 December 2018, 09:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ‘କାଳିଆ’ ଯୋଜନା ନିମନ୍ତେ ଓଡ଼ିଶା ଆକସ୍ମିକ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯିବ। ଏଥିପାଇଁ ଆଜି ଓଡ଼ିଶା ଆକସ୍ମିକ ପାଣ୍ଠି (ସଂଶୋଧନ) ଆଇନକୁ ଅଧ୍ୟାଦେଶ ବଳରେ ସଂଶୋଧନ କରିବାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଫଳରେ ଓଡ଼ିଶା ଆକସ୍ମିକ ପାଣ୍ଠିର ପରିମାଣ ୪୦୦କୋଟି ଟଙ୍କାରୁ ୧୬୦୦ କୋଟି ଟଙ୍କାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଏହି ଅର୍ଥ ‘କାଳିଆ’ ଯୋଜନା ପାଇଁ ବ୍ୟୟ କରାଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ ‘କାଳିଆ’ ଯୋଜନା ପାଇଁ ଚଳିତ ଆର୍ଥିକ ବର୍ଷର ବଜେଟରେ ବ୍ୟୟବରାଦ ହୋଇପାରିନାହିଁ। ୨୦୧୯-୨୦ ବର୍ଷର ବଜେଟ୍ ପର୍ଯ୍ୟନ୍ତ ମଧ୍ୟ ଅପେକ୍ଷା କରିବା ସମ୍ଭବପର ନୁହେଁ। ଚଳିତ ଆର୍ଥିକ ବର୍ଷରେ ‘କାଳିଆ’ ଯୋଜନା ପାଇଁ ୧୭୩୩କୋଟି ଟଙ୍କାର ଆବଶ୍ୟକତା ଥିବାବେଳେ ୨୦୧୮-୧୯ ମସିହା ବଜେଟରେ କୃଷକ କଲ୍ୟାଣ ନିମନ୍ତେ ୨୫୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ବିଭିନ୍ନ ଯୋଜନାଗୁଡ଼ିକ ଅଧୀନରେ ଚିହ୍ନିତ ସଞ୍ଚୟ ଅର୍ଥ ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ନୁହେଁ। ତେଣୁ ‘କାଳିଆ’ ଯୋଜନା ପାଇଁ ଓଡ଼ିଶା ଆକସ୍ମିକ ପାଣ୍ଠିରୁ ୧୨୦୦କୋଟି ଟଙ୍କା ଉପଯୋଗ ନିମନ୍ତେ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ସେହିପରି ନିର୍ବାଚନୀ ବର୍ଷରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୧୪୦୫୩ଟି ସୁଲଭ ମୂଲ୍ୟ ଦୋକାନ ମଧ୍ୟରୁ ୭୬୮୩ଟିକୁ ବେସରକାରୀ ଡିଲରମାନେ ପରିଚାଳନା କରୁଛନ୍ତି। ଏହି ବେସରକାରୀ ଡିଲରମାନଙ୍କ ବାର୍ଷିକ ଲାଇସେନ୍ସକୁ ୨୦୧୯ ମାର୍ଚ୍ଚରୁ ଏକବର୍ଷ ପାଇଁ ବୃଦ୍ଧି କରାଯାଇଛି। ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଅର୍ଡର,୨୦୧୬ରେ ଘରୋଇ ଡିଲର ବ୍ୟବସ୍ଥା ଉଚ୍ଛେଦ ପାଇଁ ସମୟସୀମା ୨୦୧୯ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରହିଥିଲା।

ସେହିପରି ୟୁଜିସି ସ୍କେଲରେ ଦରମା ପାଉଥିବା ଅଧ୍ୟାପକମାନଙ୍କ ଦରମାରେ ସଂଶୋଧନ କରିବା ପାଇଁ ରାଜ୍ୟ ସରକାର ଗଠନ କରିଥିବା ଫିଟମେଣ୍ଟ କମିଟି ରିପୋର୍ଟକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି। ଏହାଫଳରେ ବିଭିନ୍ନ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ପ୍ରାୟ ୫୨୦୩ଜଣ ଶିକ୍ଷକ ଉପକୃତ ହେବେ। ଏହି ସଂଶୋଧିତ ବେତନ ଯୋଗୁ ରାଜ୍ୟ ରାଜକୋଷରୁ ବାର୍ଷିକ ୧୩୬କୋଟି ଟଙ୍କା ବ୍ୟୟ ହେବ।

ସେହିପରି ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ଡଃ ନମିତା ମହାନ୍ତି ଓ ପୂର୍ଣ୍ଣଚନ୍ଦ୍ର ପାଠୀଙ୍କ ନିଯୁକ୍ତିକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି।

ଭୁବନେଶ୍ୱରସ୍ଥିତ ଏମସ ଛାତ୍ରଛାତ୍ରୀଙ୍କ ଉନ୍ନତ ତାଲିମ ଓ ଆବାସିକ ସୁବିଧା ନିମନ୍ତେ ଖୋର୍ଦ୍ଧାର ଟାଙ୍ଗୀ ତହସିଲ ଅନ୍ତର୍ଗତ ଟାଙ୍ଗୀ ମୌଜାରେ ଏକ ଟଙ୍କା ପ୍ରିମିୟମରେ ରାଜ୍ୟ ସରକାର ୨ ଏକର ୪୫ ଡେସିମିଲ୍ ଜମି ପ୍ରଦାନ କରିଛନ୍ତି। ଏହି ଜମିର ମୂଲ୍ୟ, ଆନୁସଙ୍ଗିକ ଖର୍ଚ୍ଚ ଓ ପଞ୍ଜୀକୃତ ମୂଲ୍ୟ ବାବଦକୁ ସରକାର ମୋଟ ୧କୋଟି ୨୮ଲକ୍ଷ ଟଙ୍କା ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେହିପରି ପୁରୀରେ ‘ବାଲୁକା କଳା ପାର୍କ ’ ସ୍ଥାପନ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ୩୦ବର୍ଷ ସବ୍ ଲିଜ୍ ପ୍ରଦାନ କରାଯାଇଛି। ଉକ୍ତ ଜମିର ବାର୍ଷିକ ଖଜଣା ଓ ସେସ ଦେୟ ବାବଦକୁ ରିହାତି ଦରରେ ଶ୍ରୀ ପଟ୍ଟନାୟକଙ୍କୁ ମୋଟ ୮୪୦୦ଟଙ୍କା ରାଜ୍ୟ ସରକାରଙ୍କୁ ପୈଠ କରିବାକୁ ହେବ।

ଏସବୁ ପ୍ରସ୍ତାବ ସମେତ କ୍ୟାବିନେଟରେ ମୋଟ ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos