ଯୋଜନା ବାଟବଣା, କାହାକୁ ଅପେକ୍ଷା କରିଛନ୍ତି ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ପ୍ରାୟ ୬ ମାସରୁ ଅଧିକ ସମୟ ହେବ ରାଜ୍ୟ ଯୋଜନା ବୋର୍ଡ ଏକପ୍ରକାର ଅଚଳ ହୋଇପଡ଼ିଛି। ସେହିପରି ଆଦିବାସୀଙ୍କ ବିକାଶ ପାଇଁ ଗଠିତ ୯ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସଡିସି) ମଧ୍ୟରୁ ୭ଟି ଜିଲ୍ଲାରେ ଏପର୍ଯ୍ୟନ୍ତ ବି ପରିଷଦ ଗଠନ ହୋଇପାରିନି। ଖାଦ୍ୟ କମିଶନ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ମଧ୍ୟ ଦୀର୍ଘ ୮ମାସ ହେଲା ଖାଲି ପଡ଼ିଛି। ଏହା ବ୍ୟତୀତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ଏସବୁ ପୂରଣ ନିମନ୍ତେ ସରକାରଙ୍କ […]

naveen-patnaik

naveen-patnaik

Manoranjan Sial
  • Published: Monday, 20 January 2020
  • Updated: 20 January 2020, 08:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ପ୍ରାୟ ୬ ମାସରୁ ଅଧିକ ସମୟ ହେବ ରାଜ୍ୟ ଯୋଜନା ବୋର୍ଡ ଏକପ୍ରକାର ଅଚଳ ହୋଇପଡ଼ିଛି। ସେହିପରି ଆଦିବାସୀଙ୍କ ବିକାଶ ପାଇଁ ଗଠିତ ୯ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସଡିସି) ମଧ୍ୟରୁ ୭ଟି ଜିଲ୍ଲାରେ ଏପର୍ଯ୍ୟନ୍ତ ବି ପରିଷଦ ଗଠନ ହୋଇପାରିନି। ଖାଦ୍ୟ କମିଶନ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ମଧ୍ୟ ଦୀର୍ଘ ୮ମାସ ହେଲା ଖାଲି ପଡ଼ିଛି। ଏହା ବ୍ୟତୀତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ଏସବୁ ପୂରଣ ନିମନ୍ତେ ସରକାରଙ୍କ ପାଖରେ ନା ଆନ୍ତରିକତା ରହିଛି ନା ଏସବୁ ସଂସ୍ଥାକୁ କାର୍ଯ୍ୟକ୍ଷମ କରିବା ନେଇ କୌଣସି ପଦକ୍ଷେପ ମଧ୍ୟ ନେଉନଥିବା ଜଣାପଡ଼ିଛି।

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମେ’ ୨୯ତାରିଖରେ ପଞ୍ଚମ ପାଳି ସରକାର ଗଠନର ପ୍ରାୟ ଅଢ଼େଇ ମାସ ପରେ ଅଗଷ୍ଟ ମାସରେ ପ୍ରାୟ ୫୦ ଜଣ ବିଜେଡି ନେତାଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ କରାଗଲା। ଯେଉଁ ପଦବୀ (ବିଭାଗର ଉପଦେଷ୍ଟା)ର ଆବଶ୍ୟକତା ନଥିଲା ସେଭଳି ଅନାବଶ୍ୟକ ପଦବୀ ସୃଷ୍ଟି କରି ଦଳୀୟ ନେତାମାନଙ୍କୁ ବିଜେଡି ସରକାର ଥଇଥାନ କଲେ। ଏବେ ଏହି ଅନାବଶ୍ୟକ ପଦବୀରେ କାର୍ଯ୍ୟ କରୁଥିବା ଦଳୀୟ ନେତାମାନେ ନିଜକୁ ଅଣନିଶ୍ୱାସୀ ମନେକଲେଣି। ବିନା କାର୍ଯ୍ୟରେ ସେମାନେ କେବଳ ନାଁକୁ ଏହି ପଦବୀରେ ଥିବା ଜଣାପଡ଼ିଛି।

ଏପଟେ ତିର୍ତ୍ତୋଲ ବିଧାୟକ ଭାବେ ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସ ଜିତିବା ପରଠୁ ରାଜ୍ୟରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀ ଖାଲି ପଡ଼ିଛି। ରାମଚନ୍ଦ୍ର ପଣ୍ଡାଙ୍କ ଭଳି ଯୋଜନା ବୋର୍ଡରେ ସଦସ୍ୟ ଥିବା କିଛି ବିଜେଡି ନେତାଙ୍କୁ ମଧ୍ୟ ଅନ୍ୟତ୍ର ଥଇଥାନ କରାଯାଇଛି। ପ୍ରାୟ ୮ମାସ ହେବ ଯୋଜନା ବୋର୍ଡ ଅକାମୀ ହୋଇପଡ଼ିଥିଲେ ମଧ୍ୟ ସରକାର ଏହାର ପୁନର୍ଗଠନ ପାଇଁ ତତ୍ପରତା ଦେଖାଉନାହାନ୍ତି। ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀ(କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା)ରେ ଥଇଥାନ ପାଇଁ ମଧ୍ୟ ବହୁ ବିଜେଡି ନେତା ଆଶାୟୀ ଅଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରାମର୍ଶଦାତା ଏହି ପଦବୀକୁ ନେଇ ନିଜର କାର୍ଡ ଖୋଲୁନଥିବା ଜଣାପଡ଼ିଛି। ଜିଲ୍ଲା ଯୋଜନା କମିଟିରେ ଦଳୀୟ ବିଧାୟକମାନଙ୍କୁ ଥଇଥାନ କରାଯାଇଥିଲେ ମଧ୍ୟ ରାଜ୍ୟ ଯୋଜନା ବୋର୍ଡ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁନି।

ସେହିପରି, ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଦିବାସୀ ବହୁଳ ଜିଲ୍ଲାରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ ନିମନ୍ତେ ବିଜେଡି ସରକାର ୯ଟି ଆଦିବାସୀ ବହୁଳ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସଡିସି) ଗଠନ କରିଥିଲେ। ତେବେ ନୂଆ ସରକାର ଗଠନକୁ ୮ମାସ ପୁରିଲାଣି କିନ୍ତୁ ଏସଡିସି ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରୁନି। ଜିଲ୍ଲା ଏସଡିସି ଅଧ୍ୟକ୍ଷଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ମାନ୍ୟତା ମିଳୁଥିବାବେଳେ ଏଥିରେ ଦଳୀୟ ନେତାଙ୍କୁ ଗତଥର ବିଜେଡି ସରକାର ଥଇଥାନ କରିଥିଲା। ତେବେ ମାଲକାନଗିରି ଓ ସୁନ୍ଦରଗଡ଼ ଜିଲ୍ଲାକୁ ଛାଡ଼ିଦେଲେ ବାକି ୭ଟି ଜିଲ୍ଲାରେ ଏପର୍ଯ୍ୟନ୍ତ ଏସଡିସି ଗଠନ ହୋଇପାରିନି। ଏହି କାରଣରୁ ଏସଡିସି ବାବଦ ପ୍ରାୟ ୧୫୦କୋଟି ଟଙ୍କାରୁ ଅଧିକ ବଜେଟ୍ ଖର୍ଚ୍ଚ ନହୋଇ ପଡ଼ି ରହିଥିବା ଜଣାପଡ଼ିଛି।

ରାଜ୍ୟ ଯୋଜନା ବୋର୍ଡ ଓ ଏସଡିସି ପୁନର୍ଗଠନରେ ରାଜନୀତିକ ବ୍ୟକ୍ତିମାନଙ୍କୁ ଥଇଥାନ କରାଯିବାର ଥିବାବେଳେ ଅଙ୍କ ଛିଣ୍ଡୁନଥିବାରୁ ବିଜେଡି ସୁପ୍ରିମୋ ତଥା ରଣନୀତିକାର ଏହି ସଂସ୍ଥାକୁ ଅକାମୀ କରି ରଖିଛନ୍ତି। ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଖାଦ୍ୟ ସୁରକ୍ଷା କମିଶନଙ୍କ ନିଯୁକ୍ତି ବାଧ୍ୟତାମୂଳକ ଥିବାବେଳେ ଓଡ଼ିଶାରେ ଗତ ମେ’ ମାସରୁ ଏହା ଖାଲି ପଡ଼ିଛି। ଖାଦ୍ୟ କମିଶନ ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡ଼ା ଓ ସଦସ୍ୟ ମନୋଜ କୁମାର ପଣ୍ଡା ଓ ସିପ୍ରା ମଲ୍ଲିକ କାର୍ଯ୍ୟ କରୁଥିଲେ। ଶ୍ରୀମତୀ ମଲ୍ଲିକ ୨୦୧୯ ସାଧାରଣ ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କରିବାରୁ ତାଙ୍କର ସଦସ୍ୟତା ଆପେଆପେ ରଦ୍ଦ ହୋଇଯାଇଥିଲା। ଶ୍ରୀ ଜାମୁଡ଼ା ଓ ଶ୍ରୀ ପଣ୍ଡାଙ୍କ ଅବଧି ମଧ୍ୟ ସରିଛି। ଅବଶ୍ୟ ପରେ ଶ୍ରୀମତୀ ମଲ୍ଲିକଙ୍କୁ ଏହି ସ୍ଥାନରେ ସଦସ୍ୟ ଭାବେ ପୁଣିଥରେ ଥଇଥାନ କରାଯାଇଥିବା ଜଣାପଡ଼ିଛି। ତେବେ ଖାଦ୍ୟ ସୁରକ୍ଷା କମିଶନ ନିଯୁକ୍ତି ପ୍ରକ୍ରିୟାକୁ ରାଜ୍ୟ ସରକାର ଜାଣିଶୁଣି ବିଳମ୍ବ କରିବାରେ ଲାଗିଛନ୍ତି।

ରାଜ୍ୟ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଚାକିରି କାର୍ଯ୍ୟକାଳ ଚଳିତବର୍ଷ ଡିସେମ୍ବରରେ ଶେଷ ହେଉଥିବାରୁ ସେ ମାର୍ଚ୍ଚ-ଏପ୍ରିଲ ମାସ ପରେ ସ୍ୱେଚ୍ଛାକୃତ ଅବସର ନେଇ ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ପଦରେ ଥଇଥାନ ହେବେ ବୋଲି ସୂଚନା ମିଳିଛି। ତେଣୁ ଏହି କାରଣରୁ ଖାଦ୍ୟ ସୁରକ୍ଷା କମିଶନ ପଦବୀ ପୂରଣ ଦିଗରେ ସରକାର ଆଗ୍ରହ ଦେଖାଉନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos