ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟରେ ଗତ ଅଗଷ୍ଟ ମାସରେ ଆସିଥିବା ପ୍ରଳୟଙ୍କରୀ ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତି ବାବଦରେ ରାଜ୍ୟ ସରକାର ୧୫୬୯.୫୦ କୋଟି ଟଙ୍କାର ସହାୟତା ଲୋଡ଼ିଛନ୍ତି। ଏହି ବର୍ଷା ଓ ବନ୍ୟାରେ ରାଜ୍ୟରେ ମୋଟ ୧୬୪୨.୨୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଏସଡିଆରଏଫ ଓ ଏନଡିଆରଏଫ ଗାଇଡଲାଇନ୍ ଅନୁସାରେ ୧୫୬୯.୫୦ କୋଟି ଟଙ୍କା ସହାୟତା ଦେବାକୁ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ଦେଇଥିବା ଜଣାପଡ଼ିଛି। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ବିପର୍ଯ୍ୟୟ ପରିଚାଳନାର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏହି ଚୂଡ଼ାନ୍ତ ସହାୟତା ଦାବି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି।
ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ବନ୍ୟା କ୍ଷୟକ୍ଷତିଜନିତ ଚୂଡ଼ାନ୍ତ ସ୍ମାରକପତ୍ର ଆଧାରରେ ମୋଟ ୧୫୬୯.୫୦କୋଟି ଟଙ୍କା ଦାବି କରାଯାଇଛି। ଏହି ସ୍ମାରକପତ୍ରରେ ରିଲିଫ୍ ଓ ଭିତ୍ତିଭୂମି ପୁନରୁଦ୍ଧାର ବାବଦରେ ୭୧୫.୯୧ କୋଟି ଟଙ୍କା, ଜଳସମ୍ପଦ ବିଭାଗର ୬୪୮.୯୦କୋଟି ଟଙ୍କା, ପୂର୍ତ୍ତ ବିଭାଗର ୨୦୪.୭୦ କୋଟି ଟଙ୍କା ସହାୟତା ଦେବାକୁ ଓଡ଼ିଶା ଅନୁରୋଧ କରିଛି। ତେବେ ଏହି ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ ସେପ୍ଟେମ୍ବର ୧୬ ଓ ୧୭ତାରିଖରେ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତ କରିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ଆକଳନ ଅନୁସାରେ ମୋଟ୍ ୧୭୮୪.୩୦କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ତଥା ଏନଡିଆରଏଫ ଗାଇଡଲାଇନ୍ ଅନୁସାରେ ୧୧୨୪.୧୦କୋଟି ଟଙ୍କାର ତତ୍କାଳ ବନ୍ୟା ସହାୟତା ଦେବା ପାଇଁ ପ୍ରାଥମିକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ତେବେ ଇତିମଧ୍ୟରେ ଜିଲ୍ଲାପାଳ ଓ ବିଭାଗଗୁଡ଼ିକ କ୍ଷୟକ୍ଷତି ରିପୋର୍ଟ ଦେବାପରେ ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ଚୂଡ଼ାନ୍ତ ସ୍ମାରକପତ୍ରରେ ରାଜ୍ୟ ସରକାର ଦର୍ଶାଇଛନ୍ତି ଯେ, ବର୍ଷା ଓ ବନ୍ୟା ଯୋଗୁ ମୋଟ ୧୬୪୨.୨୬କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ସେଥିରେ ଭିତ୍ତିଭୂମି କ୍ଷୟକ୍ଷତି ବାବଦରେ ୮୫୮.୧୨କୋଟି, ଘର ନଷ୍ଟ ଯୋଗୁ ୧୦୮.୯୨କୋଟି, ଫସଲ ନଷ୍ଟ ଯୋଗୁ ୫୪୨.୩୦କୋଟି, ରିଲିଫ ବାବଦରେ ୧୩୨.୯୨କୋଟି ଟଙ୍କା ସାମିଲ ରହିଛି । ତେବେ ଏସଡିଆରଏଫ ଓ ଏନଡିଆରଏଫ ଗାଇଡଲାଇନ୍ ଅନୁସାରେ ରାଜ୍ୟ ସରକାର ଏଥିରୁ ୧୫୬୯.୫୦କୋଟି ଟଙ୍କାର ଚୂଡ଼ାନ୍ତ ସହାୟତା ଦାବି କରିଛନ୍ତି।
ତେବେ ବିଭାଗଗୁଡ଼ିକରୁ ମିଳିଥିବା ରିପୋର୍ଟ ଅନୁସାରେ ଯେଉଁ ୮୫୮.୧୨ କୋଟି ଟଙ୍କାର ଭିତ୍ତିଭୂମି କ୍ଷୟକ୍ଷତି ହୋଇଛି ସେଥିରେ ଜଳସମ୍ପଦ ବିଭାଗର ୩୨୮.୬୦କୋଟି, ପୂର୍ତ୍ତ ବିଭାଗର ୧୨୪.୩୭କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗର ୨୦୧.୧୫କୋଟି, ଗୃହ ଓ ନଗରଉନ୍ନୟନ ବିଭାଗର ୩୪.୮୪କୋଟି, ପଂଚାୟତିରାଜ ବିଭାଗର ୧୪୧.୬୮କୋଟି ଟଙ୍କା, ଶକ୍ତି ବିଭାଗର ୧୬.୨୨କୋଟି, ବୟନ ଓ ହସ୍ତତନ୍ତ ବିଭାଗର ୨.୩୨କୋଟି, ଜଙ୍ଗଲ ବିଭାଗ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ୧.୫କୋଟି ଓ କୃଷି ବିଭାଗର ୭.୪୦କୋଟି ଟଙ୍କାର ଭିତ୍ତିଭୂମି ନଷ୍ଟ ହୋଇଛି।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ଶେଷ ସପ୍ତାହରେ ରାଜ୍ୟରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଓ ଜୁଲାଇ-ଅଗଷ୍ଟ ମାସରେ ପ୍ରବଳ ବର୍ଷାରେ ରାଜ୍ୟର ୨୭ଟି ଜିଲ୍ଲାର ୨୦୮ଟି ବ୍ଲକ ଓ ୩୦ଟି ପୌରାଂଚଳର ୩୮.୯୦ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ୩.୧୪ଲକ୍ଷ ହେକ୍ଟର ଫସଲ ପ୍ରଭାବିତ ହୋଇଥିବାବେଳେ ୨.୩୫ଲକ୍ଷ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲା। ବନ୍ୟାରେ ୩୮ଜଣଙ୍କ ମୃତ୍ୟୁ ହୋଇଛି ଓ ୭୮,୧୩୭ଟି ଘର ଭାଙ୍ଗିଯାଇଥିଲା। ୧.୭୩ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ଜଳବନ୍ଦୀରେ ଥିବା ଗାଁ ଗୁଡ଼ିକରେ ୯୮୦ଟି ରିଲିଫ କ୍ୟାମ୍ପ ଖୋଲି ୪.୮୪ଲକ୍ଷ ଲୋକଙ୍କୁ ଅସ୍ଥାୟୀ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା ବୋଲି ସ୍ମାରକପତ୍ରରେ ଉଲ୍ଲେଖ ରହିଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।