ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ବର ପ୍ରଥମ ସପ୍ତାହରେ ଆସିଥିବା ସାମୁଦ୍ରିକ ଝଡ଼ ‘ବୁଲବୁଲ୍’ କ୍ଷୟକ୍ଷତି ପାଇଁ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ଏନଡିଆରଏଫରୁ ଅତିରିକ୍ତ ସହାୟତା ନିମନ୍ତେ କୌଣସି ସ୍ମାରକପତ୍ର ଦେଇନାହାନ୍ତି ବୋଲି ଆଜି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ସ୍ପଷ୍ଟ କରିଛନ୍ତି।
ଲୋକସଭାରେ ଏ ସମ୍ପର୍କରେ ଲିଖିତ ସୂଚନା ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଏ କହିଛନ୍ତି ଯେ, ବୁଲବୁଲ୍ ବାତ୍ୟା ପରେ କେନ୍ଦ୍ର ସରକାର ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ନିମନ୍ତେ ଏକ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ଗଠନ କରିଥିଲେ। ଏହି ଟିମ୍ ପ୍ରଭାବିତ ଦୁଇ ରାଜ୍ୟକୁ ଗସ୍ତ କରି କ୍ଷୟକ୍ଷତି ଆକଳନ କରିଛନ୍ତି। ମାତ୍ର ଏପର୍ଯ୍ୟନ୍ତ ଏନଡିଆରଏଫରୁ ଅତିରିକ୍ତ ସହାୟତା ପାଇଁ ଉଭୟ ରାଜ୍ୟ ସରକାର କୌଣସି ସ୍ମାରକପତ୍ର(ଦାବିପତ୍ର) ଦାଖଲ କରିନାହାନ୍ତି । ବିପର୍ଯ୍ୟୟ ପରିଚାଳନାର ପ୍ରାଥମିକତା ଦାୟିତ୍ୱ ରାଜ୍ୟ ସରକାରଙ୍କ ଦାୟିତ୍ୱ। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟଗୁଡ଼ିକୁ ସମସ୍ତ ପ୍ରକାର ଅତିରିକ୍ତ ସହାୟତା କେନ୍ଦ୍ର ସରକାର ଯୋଗାଇ ଦେଇଥାନ୍ତି।
କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଏ ଆହୁରି ମଧ୍ୟ କହିଛନ୍ତି ଯେ, ବୁଲବୁଲ୍ ଯୋଗୁ ଓଡ଼ିଶାରେ ମୋଟ ୩୮.୦୮ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ତେବେ କେହି ମୃତାହତ ହୋଇନାହାନ୍ତି। ମାତ୍ର ସଡ଼କ, ବ୍ରିଜ୍, ଘର ଆଦି କ୍ଷତିଗ୍ରସ୍ତ ହୋଇଛି।
ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ନଭେମ୍ବର ୧୪ ଓ ୧୫ତାରିଖ ଦୁଇଦିନ ଧରି ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଆକଳନ କରିବା ସହ ରାଜ୍ୟ ସରକାରଙ୍କ ତ୍ୱରିତ୍ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଓଡ଼ିଶା ସରକାର ନଭେମ୍ବର ମାସ ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ଦେବେ ବୋଲି ସୂଚନା ଦେଇଥିଲେ, ମାତ୍ର ଆଜିସୁଦ୍ଧା ଏହି କ୍ଷୟକ୍ଷତିର ସ୍ମାରକପତ୍ର ଦିଆଯାଇ ନାହିଁ।