Advertisment

ନିଖୋଜ ଶିଶୁ ଉଦ୍ଧାରରେ ଓଡ଼ିଶା ପୁଲିସ ସବା ତଳେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ନିଖୋଜ ଶିଶୁ ଉଦ୍ଧାର କ୍ଷେତ୍ରରେ ଓଡ଼ିଶା ପୁଲିସର ସଫଳତା ହାର ସମଗ୍ର ଦେଶରେ ସବୁଠୁ ତଳେ। ନିକଟରେ ସାର୍ବଜନୀନ ହୋଇଥିବା ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋର ରିପୋର୍ଟରେ ଏହି ତଥ୍ୟ ରହିଛି। ୨୦୧୯ ବର୍ଷର ହିସାବ ଅନୁସାରେ ଓଡ଼ିଶା ଏହି ଅଲୋଡ଼ା ରେକର୍ଡ଼ର ଅଧିକାରୀ ହୋଇଛି। ୨୦୧୯ ବର୍ଷରେ ଓଡ଼ିଶାର ଯେତେ ଶିଶୁ ନିଖୋଜ ହୋଇଥିଲେ ସେମାନଙ୍କ ମଧ୍ୟରୁ ୨୭.୧ ପ୍ରତିଶତଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା ଓଡ଼ିଶା ପୁଲିସ। ସେହି […]

author-image
Debendra Prusty
ନିଖୋଜ ଶିଶୁ ଉଦ୍ଧାରରେ ଓଡ଼ିଶା ପୁଲିସ ସବା ତଳେ

kidnap-1-1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ନିଖୋଜ ଶିଶୁ ଉଦ୍ଧାର କ୍ଷେତ୍ରରେ ଓଡ଼ିଶା ପୁଲିସର ସଫଳତା ହାର ସମଗ୍ର ଦେଶରେ ସବୁଠୁ ତଳେ। ନିକଟରେ ସାର୍ବଜନୀନ ହୋଇଥିବା ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋର ରିପୋର୍ଟରେ ଏହି ତଥ୍ୟ ରହିଛି। ୨୦୧୯ ବର୍ଷର ହିସାବ ଅନୁସାରେ ଓଡ଼ିଶା ଏହି ଅଲୋଡ଼ା ରେକର୍ଡ଼ର ଅଧିକାରୀ ହୋଇଛି।

Advertisment

୨୦୧୯ ବର୍ଷରେ ଓଡ଼ିଶାର ଯେତେ ଶିଶୁ ନିଖୋଜ ହୋଇଥିଲେ ସେମାନଙ୍କ ମଧ୍ୟରୁ ୨୭.୧ ପ୍ରତିଶତଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା ଓଡ଼ିଶା ପୁଲିସ। ସେହି ବର୍ଷର କେରଳ ପୁଲିସର ଏହି ସଫଳତା ହାର ହେଉଛି ୯୪ ପ୍ରତିଶତ। ୨୦୧୯ ବର୍ଷ ପାଇଁ ଏହି ସଫଳତା ହାରରେ କେରଳ ସବା ଉପରେ ଥିବାବେଳେ ଓଡ଼ିଶା ସବା ତଳେ ରହିଥିଲା। ତେବେ ୨୦୧୮ ବର୍ଷରେ ଓଡ଼ିଶାର ସଫଳତା ହାର ଟିକିଏ ଅଧିକ ଥିଲା। ସେହି ବର୍ଷ ଓଡ଼ିଶା ପୁଲିସ ନିଖୋଜ ଶିଶୁଙ୍କ ମଧ୍ୟରୁ ୩୧.୭ ପ୍ରତିଶତଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା।

ତଥ୍ୟ ଅନୁସାରେ ୨୦୧୯ ମସିହାରେ ଓଡ଼ିଶାର ୩୧୫୧ ଜଣ ଶିଶୁ ନିଖୋଜ ହୋଇଥିବା ନେଇ ପୁଲିସରେ ଅଭିଯୋଗ ହୋଇଥିଲା। ଏହା ପୂର୍ବ ବର୍ଷ ଅର୍ଥାତ ୨୦୧୮ ମସିହାରେ ଉଦ୍ଧାର ହୋଇପାରି ନଥିବା ନିଖୋଜ ଶିଶୁଙ୍କ ସଂଖ୍ୟା ହେଲା ୨୩୫୨। ତେଣୁ ୨୦୧୯ ବର୍ଷକୁ ଓଡ଼ିଶାର ମୋଟ ନିଖୋଜ ଶିଶୁଙ୍କ ସଂଖ୍ୟା ହୋଇଥିଲା ୫୫୦୩। ଏମାନଙ୍କ ମଧ୍ୟରୁ ଓଡ଼ିଶା ପୁଲିସ ୧୪୯୦ ଜଣଙ୍କୁ ଠାବ କରିବାରେ ସଫଳ ହୋଇଥିଲା। ଠାବ ହୋଇପାରି ନଥିବା ୪୦୧୩ ନିଖୋଜ ଶିଶୁଙ୍କ ସଂଖ୍ୟା ୨୦୨୦କୁ ଗଡ଼ିଗଲା।

Advertisment

ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ ଓଡ଼ିଶା ପୁଲିସ ତରଫରୁ ୨୦୧୫ ମସିହାରୁ ୨୦୧୯ ମଧ୍ୟରେ ମୁସ୍କାନ, ସ୍ମାଇଲ ଓ ପରୀ ନାମରେ ଅନେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଥିଲା। ଏହା ସତ୍ତ୍ୱେ ସଫଳତା ହାର ବଢ଼ି ନଥିଲା। ୨୦୨୦ ବର୍ଷରେ କରୋନା ସଂକ୍ରମଣ ଯୋଗୁଁ ଏପରି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇପାରି ନାହିଁ।

ପୁଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟରେ ଶିଶୁ ନିଖୋଜ ହେବା ଅଭିଯୋଗକୁ ଅପହରଣ ମାମଲା ଭାବେ ଗ୍ରହଣ କରାଯାଏ। ନିଖୋଜ ଶିଶୁଙ୍କ ମଧ୍ୟରୁ କେତେକ ସହରର ଧନୀ ଲୋକଙ୍କ ଘରେ ଚାକର ଭାବେ କାମ କରୁଛନ୍ତି। କେତେକ ହୋଟେଲ, ରେସ୍ତୋରାଁ, ଦୋକାନ ଓ ଅନ୍ୟାନ୍ୟ ବ୍ୟାବସାୟିକ ସଂସ୍ଥାରେ ଶିଶୁ ଶ୍ରମିକ ଭାବେ ନିୟୋଜିତ ଅଛନ୍ତି। କେତେକ ନାବାଳକ ନାବାଳିକା ପ୍ରେମ କରି ପଳାୟନ କରିଛନ୍ତି। କେତେକ ଶିଶୁଙ୍କୁ ବସ୍‌ଷ୍ଟାଣ୍ଡ ଓ ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଛି। ସରକାରୀ ଅନାଥାଶ୍ରମ ଓ ଆଶ୍ରୟ ସ୍ଥଳରେ ମଧ୍ୟ କେତେକ ରହିଥିବା ଠାବ ହୋଇଛନ୍ତି।

ନିଖୋଜ ଶିଶୁ ଉଦ୍ଧାର ହେଲା ପରେ ସେମାନଙ୍କୁ ଶିକ୍ଷାନୁଷ୍ଠାନରେ ଭର୍ତ୍ତି କରିବାକୁ ସାମାଜିକ କର୍ମୀମାନେ ଦାବି କରି ଆସୁଛନ୍ତି। ଏନେଇ ସେମାନଙ୍କ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଉଛି। ତଥାପି ଅନେକ ସମୟରେ ଉଦ୍ଧାର ଶିଶୁ ପୁଣି ଥରେ ବିଭିନ୍ନ ସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଦେଖାଯାଉଛି।