ବୀର ଓଡ଼ିଆ ଯବାନ ଅଜିତଙ୍କୁ ହରାଇ ସ୍ତବ୍ଧ ପୂରା ଗାଁ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଲାଗି ସେନା ଅଭିଯାନ ଚଳାଇଛି। କିନ୍ତୁ ଏଥିପାଇଁ ସେନାକୁ ଅନେକ କ୍ଷତି ମଧ୍ୟ ସହିବାକୁ ପଡୁଛି। ଗତ ଦୁଇ ଦିନରେ ଅନନ୍ତନାଗ ଓ ପୁଲଓ୍ୱାମାରେ ୪ ଯବାନ ସହିଦ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳ ବଡ଼ସୁଆଳର ଅଜିତ୍ ସାହୁ ଓ ଉତ୍ତରପ୍ରଦେଶର ମେଜର କେତନ୍ ଶର୍ମା। ଗତକାଲି ସନ୍ଧ୍ୟାରେ ଅଜିତ ସାହୁ ଅନ୍ୟ ଯବାନଙ୍କ ସହ ଭ୍ୟାନରେ ଯାଉଥିବା ବେଳେ ପୁଲୱାମାଠାରେ ସେମାନଙ୍କ କନଭୟ ଉପରେ […]

io

Hemant Lenka
  • Published: Tuesday, 18 June 2019
  • , Updated: 19 June 2019, 08:49 AM IST

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଲାଗି ସେନା ଅଭିଯାନ ଚଳାଇଛି। କିନ୍ତୁ ଏଥିପାଇଁ ସେନାକୁ ଅନେକ କ୍ଷତି ମଧ୍ୟ ସହିବାକୁ ପଡୁଛି। ଗତ ଦୁଇ ଦିନରେ ଅନନ୍ତନାଗ ଓ ପୁଲଓ୍ୱାମାରେ ୪ ଯବାନ ସହିଦ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳ ବଡ଼ସୁଆଳର ଅଜିତ୍ ସାହୁ ଓ ଉତ୍ତରପ୍ରଦେଶର ମେଜର କେତନ୍ ଶର୍ମା।

ଗତକାଲି ସନ୍ଧ୍ୟାରେ ଅଜିତ ସାହୁ ଅନ୍ୟ ଯବାନଙ୍କ ସହ ଭ୍ୟାନରେ ଯାଉଥିବା ବେଳେ ପୁଲୱାମାଠାରେ ସେମାନଙ୍କ କନଭୟ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ କରିଥିବା ଆଇଇଡି ବିସ୍ଫୋରଣରେ ଗୁରୁତର ଆହତ ହୋଇଥିବା ଅଜିତ ସାହୁ ଆଜି ସବୁଦିନ ପାଇଁ ଆଖିବୁଜି ଦେଇଛନ୍ତି।

ଏନେଇ ଆଜି ସେନା ପକ୍ଷରୁ ଅଜିତଙ୍କ ପରିବାରକୁ ଖବର ଦିଆଯିବା ପରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି। ପୁଅକୁ ହରାଇ ମା’ର କୋହ ଆଉ ଥୟ ଧରୁନାହିଁ। କେବଳ ପରିବାର ନୁହେଁ, ତା'ର ବୀର ସନ୍ତାନକୁ ହରାଇ ସ୍ତବ୍ଧ ପାଲଟି ଯାଇଛି ଢେଙ୍କାନାଳ କାମାକ୍ଷାନଗର ବ୍ଲକ୍ ବଡ଼ସୁଆଳ ଗାଁ।

ଅଜିତ ୨୦୧୫ ମସିହାରେ ସେନାରେ ସାମିଲ ହୋଇଥିଲେ। ପ୍ରଥମେ କୋଲକାତାରେ କାମ କରୁଥିବା ଅଜିତଙ୍କୁ କିଛି ଦିନ ତଳେ ଜମ୍ମୁ-କଶ୍ମୀରକୁ ବଦଳି କରା ଯାଇଥିଲା। ସେ ସେଠାକୁ ଯାଉଥିବା ବେଳେ ହିଁ ଆତଙ୍କବାଦୀଙ୍କ ଆଇଇଡି ବିସ୍ଫୋରଣ ଶିକାର ହୋଇଥିଲେ। ଏହି ହମ୍‌ଲାରେ ଅଜିତ୍ ସାହୁଙ୍କ ବ୍ୟତୀତ ହାବିଲଦାର ଅମରଜିତ୍ କୁମାର ମଧ୍ୟ ସହିଦ୍ ହୋଇଛନ୍ତି। ଅନ୍ୟପକ୍ଷରେ କର୍ତ୍ତବ୍ୟରତ ଅବସ୍ଥାରେ ଅଜିତ ଦେଶପାଇଁ ଜୀବନ ଦେଇଥିବାରୁ ପୂରା ଢେଙ୍କାନାଳ ଜିଲ୍ଲା ତାଙ୍କ ବଳିଦାନକୁ ନେଇ ଗର୍ବିତ ବୋଲି ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ କହିଛନ୍ତି।

ସେହିପରି ଅନନ୍ତନାଗରେ ଘଟିଥିବା ଗୁଳିବିନିମୟରେ ସହିଦ୍ ହୋଇଥିବା ମେଜର କେତନ୍ ଶର୍ମାଙ୍କ ଉତ୍ତରପ୍ରଦେଶ ଘରେ ଓ ଗାଁ ରେ ବି ସମାନ ଚିତ୍ର। ପୁଅକୁ ହରାଇ ପୂରା ପରିବାର ମର୍ମାହତ। ଖାସ୍ କରି କେତନଙ୍କ ପରିବାରକୁ ସେନା ଅଧିକାରୀ ଭେଟିବାକୁ ଯାଇଥିବା ବେଳେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ସେନା ପକ୍ଷରୁ ମେଜର କେତନ ଶର୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ମରଶରୀରକୁ ତାଙ୍କ ଘରକୁ ପଠାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ସହ ବରିଷ୍ଠ ସେନା ଅଧିକାରୀ ଦିଲ୍ଲୀଠାରେ ସହିଦ ମେଜର କେତନଙ୍କୁ ଶେଷ ସମ୍ମାନ ଜଣାଇଥିଲେ।

Related story