ମାତ୍ର ୧୦ହଜାର ଲୋକ ନେଇଛନ୍ତି ବୁଷ୍ଟର ଡୋଜ୍ : ବସିଥିଲେ ଚୁପ୍‌, ଏବେ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ଦେଶରେ କରୋନା ସଂକ୍ରମଣର ସଂଖ୍ୟା ପୁଣି ଥରେ ବଢ଼ୁଥିବାରୁ ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ସମେତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିବାବେଳେ ଓଡ଼ିଶାରେ ଅଧିକ ସଂଖ୍ୟକ ଲୋକଙ୍କୁ ‘ବୁଷ୍ଟର ଡୋଜ୍ ’ ଦେବା କାର୍ଯ୍ୟକୁ ତ୍ୱରାନ୍ୱିତ ନିମନ୍ତେ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ଉଦବେଗ ଜଣାଇବା ପରେ ଗତକାଲି ମଙ୍ଗଳବାର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ […]

covid Vaccine

covid Vaccine

Ordigital Desk
  • Published: Wednesday, 27 April 2022
  • Updated: 27 April 2022, 09:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ଦେଶରେ କରୋନା ସଂକ୍ରମଣର ସଂଖ୍ୟା ପୁଣି ଥରେ ବଢ଼ୁଥିବାରୁ ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ସମେତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିବାବେଳେ ଓଡ଼ିଶାରେ ଅଧିକ ସଂଖ୍ୟକ ଲୋକଙ୍କୁ ‘ବୁଷ୍ଟର ଡୋଜ୍ ’ ଦେବା କାର୍ଯ୍ୟକୁ ତ୍ୱରାନ୍ୱିତ ନିମନ୍ତେ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ଉଦବେଗ ଜଣାଇବା ପରେ ଗତକାଲି ମଙ୍ଗଳବାର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ‘ବୁଷ୍ଟର ଡୋଜ୍‌’ ଟିକା ଦେବା କାର୍ଯ୍ୟକୁ ଜରୁରୀକାଳୀନ ଭାବେ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶାରେ ୧୮ରୁ ୫୯ବର୍ଷ ବୟସର ମାତ୍ର ୧୦୧୮୦ଜଣ ଲୋକ ବୁଷ୍ଟର ଡୋଜ୍ ଟିକା ନେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ସମଗ୍ର ଦେଶରେ ଏବେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଓଡ଼ିଶାରେ ସ୍ଥିତି ଚିନ୍ତାଜନକ ନାହିଁ ବୋଲି କହି ରାଜ୍ୟ ସରକାର ଚୁପ୍ ହୋଇ ବସି ରହିଥିଲେ । ଯଦିଓ ରାଜ୍ୟରେ କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ଓ ବୁଷ୍ଟର ଡୋଜ୍ ଦେବା ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଟିକା ମହଜୁଦ୍ ରହିଛି ତଥାପି ଜାତୀୟ କୋଭିଡ୍ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ ନକରି ରାଜ୍ୟ ସରକାର ନିଷ୍କ୍ରିୟ ହୋଇ୍ ହୋଇ ବସି ରହିବା ଯୋଗୁ ୧୮ରୁ ୫୯ବର୍ଷ ବୟସର ମାତ୍ର ୧୦୧୮୦ଜଣ ଓ ୬୦ବର୍ଷ ବା ତଦୁର୍ଦ୍ଧ୍ୱ ବୟସର ମାତ୍ର ୫ଲକ୍ଷ ୭୮ହଜାର ୫୯୯ଜଣ ଲୋକ ବୁଷ୍ଟର ଡୋଜ୍ ଟିକା ନେବା ସମ୍ଭବପର ହୋଇପାରିଛି ।

ଏବେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଏହି ବୁଷ୍ଟର ଡୋଜ୍ ଯେଭଳି ଅଧିକ ସଂଖ୍ୟକ ଲୋକେ ନେଇପାରିବେ ସେ ନେଇ ଆବଶ୍ୟକ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ ନିମନ୍ତେ ଘରୋଇ କ୍ଷେତ୍ରର ସହଯୋଗ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏ ଦିଗରେ ଜିଲ୍ଲା ଓ ମହାନଗର ଗୁଡ଼ିକ କ’ଣ ପଦକ୍ଷେପ ନେଇଛନ୍ତି ତାହା ଜଣାଇବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ୍ କୁମାର ମହାନ୍ତି କହିଛନ୍ତି ।

ସୂଚନାଯୋଗ୍ୟ, ୨୦୨୨ ଜାନୁୟାରୀ ୧୦ରୁ ରାଜ୍ୟରେ ସମସ୍ତ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ୍ ୱାର୍କର ଓ ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କୁ ବୁଷ୍ଟର ଡୋଜ୍ ଦେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାପରେ ମାର୍ଚ୍ଚ ୧୬ତାରିଖରୁ ୬୦ବର୍ଷ ବା ତଦୁର୍ଦ୍ଧ୍ୱ ବୟସର ବ୍ୟକ୍ତିମାନଙ୍କୁ ଦେବା ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏପ୍ରିଲ ୧୦ତାରିଖରୁ ୧୮ରୁ ୫୯ବୟସର ସମସ୍ତ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍ ଦେବା ନିମନ୍ତେ ଅଭିଯାନ ଘରୋଇ ହସ୍ପିଟାଲଠୁ ସରକାରୀ ହସ୍ପିଟାଲ ପର୍ଯ୍ୟନ୍ତ ସବୁଠି ଆରମ୍ଭ ହୋଇଛି । ମାତ୍ର ରାଜ୍ୟରେ ବୁଷ୍ଟର ଡୋଜ୍ ନେଇଥିବା ଲୋକଙ୍କ ସଂଖ୍ୟା ବହୁ କମ୍ ଥିବାରୁ କେନ୍ଦ୍ର ସରକାର ଚିନ୍ତା ବ୍ୟକ୍ତ କରିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟରେ ୬୦ବର୍ଷରୁ ଅଧିକ ୬ଲକ୍ଷ ୪୩ହଜାର ୪୫୦ଜଣ ବ୍ୟକ୍ତି ନିଜର ଦ୍ୱିତୀୟ ଡୋଜ୍ ନେଇନାହାନ୍ତି । ଏହି ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ‘ହର ଘର ଦସ୍ତକ’ ଅଭିଯାନ ଆରମ୍ଭ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ପୂର୍ବରୁ ନିର୍ଦ୍ଦେଶ ଜାରି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos