ଆତଙ୍କିତ କୋଟିଏ, ପରୀକ୍ଷାଗାର ଗୋଟିଏ

କରୋନା ଯୋଗୁଁ ଏବେ ରାଜ୍ୟର ପ୍ରାୟ ସମସ୍ତ ଲୋକ ଆତଙ୍କିତ। ସରକାର ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସଙ୍ଗେସଙ୍ଗେ ତାଲାବନ୍ଦ ଓ ସଂଗରୋଧ ଆଦି ପଦକ୍ଷେପ ଘୋଷଣା କରିବାକୁ ଅଧିକ ଲୋକ ଛାନିଆ। ସମସ୍ତେ ଏବେ ଥଣ୍ଡା ଓ ଶର୍ଦ୍ଦିକୁ କରୋନା ସନ୍ଦେହ କରୁଛନ୍ତି। ସମସ୍ତେ ଚାହୁଁଛନ୍ତି କରୋନା ପରୀକ୍ଷା କରାଇନେବେ। କିନ୍ତୁ କରିବେ କେଉଁଠି? ପାଖରେ କେଉଁଠି ପରୀକ୍ଷାଗାର? କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ଆବଶ୍ୟକ ଭିତ୍ତିଭୂମିର ଅଭାବ। ସେଥିପାଇଁ ସଂକ୍ରମଣ ରୋକିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ସଙ୍ଗରୋଧ ଓ ତାଲାବନ୍ଦ ଭଳି ପଦକ୍ଷେପ ଘୋଷଣା କରାଯାଇଛି। ଏବେ ସାରା ଦେଶରେ ମାତ୍ର ୧୧୪ଟି ସରକାରୀ ପରୀକ୍ଷାଗାରରେ କରୋନା ଭୂତାଣୁ ସଂକ୍ରମଣ ପରୀକ୍ଷା ପାଇଁ ସୁବିଧା ରହିଛି। ଏଥିରୁ ୮୭ଟି କାର୍ଯ୍ୟକ୍ଷମ। ବାକି ୨୭ଟି ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ। ଏଭଳି ସ୍ଥଳେ କରୋନା ଭୂତାଣୁରେ କେତେ ଲୋକ ଆକ୍ରାନ୍ତ ତାହା କେମିତି ଜଣାପଡ଼ିବ ଓ କେତେ ଶୀଘ୍ର?

ଭାରତ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ସୂଚନା ଅନୁସାରେଏବେ ସୁଦ୍ଧା ଆନ୍ଧ୍ର ପ୍ରଦେଶରେ ୩, ଆସାମରେ ୪, ବିହାରରେ ୨, ଚଣ୍ଡଗଡ଼ରେ ୨, ଛତିଶଗଡ଼ରେ ୨, ଦିଲ୍ଲୀରେ ୬, ଗୁଜରାଟରେ ୪, ହରିଆନାରେ ୨, ହିମାଚଳ ପ୍ରଦେଶରେ ୨, ଜାମ୍ମୁକାଶ୍ମୀରରେ ୪ ଓ ଝାରଖଣ୍ଡରେ ୪ଟି କରୋନା ପରୀକ୍ଷା କେନ୍ଦ୍ର କାର୍ଯ୍ୟ କରୁଛି। ସେହିପରି କର୍ଣ୍ଣାଟକରେ ୭, କେରଳରେ ୬, ମହାରାଷ୍ଟ୍ରରେ ୭, ମଧ୍ୟ ପ୍ରଦେଶରେ ୪, ମଣିପୁରରେ ୨, ରାଜସ୍ଥାନରେ ୭, ତାମିଲନାଡ଼ୁରେ ୭, ତେଲେଙ୍ଗାନାରେ ୩ ଓ ଉତ୍ତର ପ୍ରଦେଶରେ ୨ଟି କେନ୍ଦ୍ରରେ କରୋନା ପରୀକ୍ଷା ପାଇଁ ଆବଶ୍ୟକ ସୁବିଧା ରହିଛି। ଓଡ଼ିଶାରେ ମାତ୍ର ଗୋଟିଏ ସ୍ଥାନରେ କରୋନା ସଂକ୍ରମଣ ପରୀକ୍ଷା ହୋଇପାରୁଛି। ସେଇ କେନ୍ଦ୍ରଟି ହେଲା ଭାରତ ସରକାରଙ୍କ ଅଧୀନସ୍ଥ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ବା ଆରଏମଆରସି। ଏହା ଭାରତୀୟ ଭେଷଜ ଗବେଷଣା ପରିଷଦ ବା ଆଇସିଏମଆର ଅଧୀନରେ କାର୍ଯ୍ୟ କରେ। ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏହି କେନ୍ଦ୍ରଟି ଅବସ୍ଥିତ। କରୋନା ସଂକ୍ରମଣ ଆତଙ୍କ ବ୍ୟାପିବା ପରଠାରୁ ଏଠାରେ ମାର୍ଚ୍ଚ ୨୨ ତାରିଖ ସୁଦ୍ଧା ସମୁଦାୟ ୮୧ ଜଣଙ୍କର ରକ୍ତ ଓ ସ୍ୱାବ ନମୁନା ପରୀକ୍ଷା କରାଯାଇଥିଲା। ସେଥି ମଧ୍ୟରୁ ମାତ୍ର ୨ ଜଣଙ୍କର ପଜିଟିଭ ବାହାରିଛି। ରାଜ୍ୟର ଏମ୍ସରେ ଏଯାଏଁ କରୋନା ପରୀକ୍ଷା ହୋଇନାହିଁ। ତେବେ ମାର୍ଚ୍ଚ ୨୩ ତାରିଖ ସୁଦ୍ଧା ଏ ଦିଗରେ ସମସ୍ତ ସୁବିଧା ହୋଇସାରିଛି ଓ ଖୁବଶୀଘ୍ର ସେଠାରେ ମଧ୍ୟ କରୋନା ପରୀକ୍ଷା ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଅନୁସାରେ ଏହି ସମୟ ମଧ୍ୟରେ କେବଳ ବିଦେଶ ଫେରନ୍ତା ୩ ହଜାରରୁ ଅଧିକ ଲୋକ ପଞ୍ଜିକୃତ ହୋଇସାରିଛନ୍ତି। ସେମାନଙ୍କର ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କରୋନା ସଂକ୍ରମଣ ହୋଇଛି କି ନାହିଁ ତାହା ଏଯାଏଁ ଜଣାପଡ଼ିନାହିଁ। କେବେ ସୁଦ୍ଧା ପରୀକ୍ଷା ହୋଇ ଜଣାପଡ଼ିବ ତାହାର କିଛି ଠିକଣା ନାହିଁ? ସେଯାଏଁ ସମସ୍ତେ କରୋନା ଆତଙ୍କରେ ଗୃହବନ୍ଦୀ ରହିପାରନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏହାକୁ ଏକ ଲମ୍ବା ଯୁଦ୍ଧ ଭାବେ ଘୋଷଣା କରିଛନ୍ତି।

ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଭାରତ ଓ ଭାରତର ରାଜ୍ୟ ସରକାରଗୁଡ଼ିକ ଅନେକ ପଛୁଆ ଥିବା ସରକାର ଜାଣିଛନ୍ତି। ଲୋକେ ବି ବୁଝିଛନ୍ତି। ତେଣୁ ସମସ୍ତଙ୍କୁ କରୋନା ରୋଗ ଆକ୍ରମଣ କରିବା ପୂର୍ବରୁ ଛାନିଆ ରୋଗ ମାଡ଼ି ବସିଛି। ଏହି ରୋଗର ଅନ୍ୟ ଏକ ଉପଲକ୍ଷଣ ଏବେ ପଦାକୁ ଆସିଛି। ତାହା ହେଉଛି ଆର୍ଥିକ ବୋଝ। କେନ୍ଦ୍ର ସରକାର ଘରୋଇ କ୍ଷେତ୍ରରେ ମଧ୍ୟ କରୋନା ସଂକ୍ରମଣ ପରୀକ୍ଷା ହୋଇପାରିବ ବୋଲି ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଯେଉଁ ଘରୋଇ ସଂସ୍ଥାଗୁଡ଼ିକରେ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଅନୁମୋଦିତ ପରୀକ୍ଷା ସରଞ୍ଜାମ ବା ଟେଷ୍ଟିଂ କିଟ୍‌ ଥିବ ସେଠାରେ କରୋନା ଭୂତାଣୁ ସଂକ୍ରମଣ ହୋଇଛି କି ନାହିଁ ପରୀକ୍ଷା ହୋଇପାରିବ। ତେବେ ସେସବୁ ସଂସ୍ଥା ଜଣଙ୍କର କରୋନା ପରୀକ୍ଷା ପାଇଁ ସର୍ବାଧିକ ୪୫୦୦ ଟଙ୍କା ନେଇପାରିବେ। ରାଜ୍ୟର ପ୍ରାୟ ସାଢ଼େ କୋଟି ଲୋକଙ୍କ ମଧ୍ୟରୁ ସାଢ଼େ ତିନି କୋଟି ଟଙ୍କିକିଆ ଚାଉଳ ଉପରେ ନିର୍ଭରଶୀଳ। ସେମାନଙ୍କୁ ଥଣ୍ଡା, ସର୍ଦ୍ଦି, କାଶ ଇତ୍ୟାଦି ହେଲେ ଲୋକେ ତ ସନ୍ଦେହ କରିବେ, ସରକାରୀ ଅଧିକାରୀମାନେ ବି ଟଣାଓଟରା କରିବେ। ସରକାରୀ ସ୍ତରରେ ପରୀକ୍ଷା କରିବା ବିଳମ୍ବ ହେବ। ଘରୋଇ କ୍ଷେତ୍ରରେ ଜଣକା ୪୫୦୦ ଟଙ୍କା ଦେଇ କେତେ ଲୋକ କରୋନା ପରୀକ୍ଷା କରିପାରିବେ? ସରକାରୀ କେନ୍ଦ୍ରରେ ସବୁ ସନ୍ଦିଗ୍ଧଙ୍କର କରୋନା ପରୀକ୍ଷା କରିବାକୁ ୫-୬ ମାସ ଲାଗିଯିବ। ଜଣକୁ କରୋନା ହୋଇଛି କି ନାହିଁ ଜାଣିବା ବେଳକୁ ତାଙ୍କଠାରୁ ଆଉ କେଇ ଡଜନ ଲୋକଙ୍କ ପାଖକୁ ଏ ଭୂତାଣୁ ସଂକ୍ରମଣ କରିସାରଥିବ। ଏଇଆ ହିଁ ଆତଙ୍କ।

ସେଥିପାଇଁ ସରକାର ଅଧିକ ସରକାରୀ ଡାକ୍ତରଖାନାରେ କରୋନା ପରୀକ୍ଷା ସୁବିଧା ସୃଷ୍ଟି କରିବା ଦରକାର। ବିପର୍ଯ୍ୟୟ ପାଣ୍ଠିରୁ ଯେଉଁ ୨୨୫ କୋଟି ଟଙ୍କା ମଞ୍ଜୁର ହୋଇଛି ତାହାକୁ କେବଳ ସରକାରଙ୍କ ପ୍ରଚାର ଓ ହାତଧୁଆ ଓ ସଙ୍ଗରୋଧ ସଚେତନତା ସୃଷ୍ଟିରେ ଖର୍ଚ୍ଚ ନକରି କରୋନା ପରୀକ୍ଷା ପାଇଁ ଯନ୍ତ୍ରପାତି କିଣିବାରେ ନିବେଶ କରାଗଲେ ଲୋକମାନଙ୍କର ସୁବିଧା ହୁଅନ୍ତା। ଆଜିକାଲି ଇଣ୍ଟର୍ନେଟ ଯୁଗରେ ସରକାର ଆଜି ଚାହିଁଲେ ଦି’ତିନି ଦିନ ଭିତରେ ରାଜ୍ୟରେ ଏକାଧିକ କରୋନା ପରୀକ୍ଷା ସୁବିଧା କେନ୍ଦ୍ର ଖୋଲିପାରିବ। ରାଜ୍ୟର ସବୁ ଅଞ୍ଚଳର ଲୋକମାନଙ୍କର ସୁବିଧା ପାଇଁ ରାଜ୍ୟର ବାଲେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ଭଳି ସହରରେ ଏଭଳି କେନ୍ଦ୍ର ନିହାତି ଖୋଲିବା ଜରୁରୀ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।