ବିଜେଡି ନେତ୍ରୀଙ୍କ ଥଇଥାନ କେନ୍ଦ୍ର ପାଲଟିଛି ଶିଶୁ ସୁରକ୍ଷା ଓ ଅଧିକାର କମିଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ଷମତାସୀନ ବିଜେଡି ସରକାରଙ୍କ ତୁଷ୍ଟୀକରଣ ନୀତି ଯୋଗୁ ରାଜ୍ୟରେ ଶିଶୁମାନଙ୍କ ଉପରେ ନିର୍ଯାତନା ଓ ହିଂସା ବଢ଼ିଚାଲିଛି। ଶିଶୁମାନଙ୍କ ଉପରେ ହିଂସା ରୋକିବା ଓ ସେମାନଙ୍କୁ ନିଜର ମୌଳିକ ଅଧିକାର ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ‘ଶିଶୁ ସୁରକ୍ଷା ଅଧିକାର କମିଶନ’ ଏବେ ସମ୍ପୂର୍ଣ୍ଣ ଭାବେ ବିଜେଡି ନେତ୍ରୀମାନଙ୍କ ଥଇଥାନ କେନ୍ଦ୍ର ପାଲଟିଛି। ସରକାରୀ ଅର୍ଥକୁ ଉଦରସ୍ଥ କରି ବିଜେଡି ନେତ୍ରୀମାନେ ନିଜ ନିଜର ରାଜନୀତିକ ଅସ୍ତିତ୍ୱ ରକ୍ଷା କରିବାରେ […]

child

child

Subrat Kumar Nayak
  • Published: Monday, 29 July 2019
  • Updated: 30 July 2019, 08:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ଷମତାସୀନ ବିଜେଡି ସରକାରଙ୍କ ତୁଷ୍ଟୀକରଣ ନୀତି ଯୋଗୁ ରାଜ୍ୟରେ ଶିଶୁମାନଙ୍କ ଉପରେ ନିର୍ଯାତନା ଓ ହିଂସା ବଢ଼ିଚାଲିଛି। ଶିଶୁମାନଙ୍କ ଉପରେ ହିଂସା ରୋକିବା ଓ ସେମାନଙ୍କୁ ନିଜର ମୌଳିକ ଅଧିକାର ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ‘ଶିଶୁ ସୁରକ୍ଷା ଅଧିକାର କମିଶନ’ ଏବେ ସମ୍ପୂର୍ଣ୍ଣ ଭାବେ ବିଜେଡି ନେତ୍ରୀମାନଙ୍କ ଥଇଥାନ କେନ୍ଦ୍ର ପାଲଟିଛି। ସରକାରୀ ଅର୍ଥକୁ ଉଦରସ୍ଥ କରି ବିଜେଡି ନେତ୍ରୀମାନେ ନିଜ ନିଜର ରାଜନୀତିକ ଅସ୍ତିତ୍ୱ ରକ୍ଷା କରିବାରେ ଲାଗିଥିବାବେଳେ ଶିଶୁ ଓ ନାବାଳକ-ନାବାଳିକାଙ୍କ ପ୍ରତି ହିଂସା ଉଦବେଗଜନକ ଭାବେ ବଢ଼ିଚାଲିଛି।

ରାଜ୍ୟ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ୨୦୧୭ ଓ ୨୦୧୮ ମସିହାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ମୋଟ ୧୨୩୮ଟି ଅଭିଯୋଗ ପାଇଛନ୍ତି। ସେଥିମଧ୍ୟରୁ ମାତ୍ର ୨୪୮ଟି କେସ୍ ଫଇସଲା ହୋଇଛି। ଅର୍ଥାତ୍ ଗତ ଦୁଇବର୍ଷ ମଧ୍ୟରେ ମାତ୍ର ୨୦ ପ୍ରତିଶତ ମାମଲାରେ ଏହି କମିଶନ ଫଇସଲା କରିବାରେ ସକ୍ଷମ ହୋଇଛନ୍ତି।

ଅନ୍ୟପକ୍ଷରେ, ରାଜ୍ୟ ଗୃହ ବିଭାଗର ତଥ୍ୟ ଅନୁସାରେ ୨୦୧୬ ମସିହାରୁ ୨୦୧୯ ମାର୍ଚ୍ଚ ମାସ ମଧ୍ୟରେ ବିଭିନ୍ନ କାରଣରୁ ମୋଟ ୬୦୦୨ଜଣ ନାବାଳିକା ଓ ନାବାଳକ ନିଖୋଜ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୮୫୧ ଜଣ ପୁଅ ଥିବାବେଳେ ଅନ୍ୟମାନେ ଝିଅ। ସେହିପରି ୨୦୧୦ରୁ ୨୦୧୮ ମସିହା ମଧ୍ୟରେ ମୋଟ ୧୦,୨୫୮ ଜଣ ଶିଶୁ ଓ ନାବାଳିକା-ନାବାଳକ ନିଖୋଜ ହୋଇଥିବାବେଳେ ଏଥିରୁ ମାତ୍ର ୪୫୩୫ଜଣଙ୍କୁ ପୁଲିସ ଠାବ କରିପାରିଛି। ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ରାଜ୍ୟରେ ମୋଟ ୨୪୦ଟି ଶିଶୁ ଯତ୍ନ ଅନୁଷ୍ଠାନ ରହିଛି, ଯେଉଁଥିରେ ମାତ୍ର ୯ଟି ସରକାରୀ ଓ ଅନ୍ୟଗୁଡ଼ିକ ବେସରକାରୀ।

ଉପରୋକ୍ତ ତଥ୍ୟଗୁଡ଼ିକରୁ ରାଜ୍ୟରେ ଶିଶୁମାନଙ୍କର ଉଦବେଗଜନକ ସ୍ଥିତି ଜଳଜଳ ହୋଇ ଜଣାପଡ଼ୁଥିବାବେଳେ ‘ଶିଶୁ ଅଧିକାର ସୁରକ୍ଷା କମିଶନ’ଙ୍କ କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। କମିଶନରେ ଏବେ ଅଧ୍ୟକ୍ଷାଙ୍କୁ ମିଶାଇ ମୋଟ ୭ଜଣ ସଦସ୍ୟ ଥିବାବେଳେ ଜଣେ ମହିଳା ଓଏଏସ୍ ଅଫିସର ଏବେ କମିଶନଙ୍କ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଏହିଁ ୭ଜଣ ସଦସ୍ୟଙ୍କ ମଧ୍ୟରୁ କେବଳ ହରିହର ନାଏକଙ୍କୁ ଛାଡ଼ିଦେଲେ ସମସ୍ତ ୬ଜଣ ସଦସ୍ୟା ବିଜେଡିର ସଂଗଠନ ସହ ସକ୍ରିୟ ଭାବେ ଜଡ଼ିତ। ଏହି ସଦସ୍ୟମାନଙ୍କ ନିଯୁକ୍ତିର ଆଧାରକୁ ଅଣଦେଖା କରି ରାଜ୍ୟ ସରକାର ଦଳୀୟ ନେତ୍ରୀମାନଙ୍କୁ ତୁଷ୍ଟୀକରଣ ଓ ଥଇଥାନ ପାଇଁ ଉଦ୍ୟମ କରିଛନ୍ତି।

କମିଶନଙ୍କ ଅଧ୍ୟକ୍ଷ ଭାବେ ସନ୍ଧ୍ୟାବତୀ ପ୍ରଧାନ କାର୍ଯ୍ୟ କରୁଛନ୍ତି । ସେ ବିଜେଡି ଟିକେଟରେ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି କମିଶନର ସଦସ୍ୟ ଗୀତାଞ୍ଜଳି ବସ୍ତିଆ ଏବେ ବିଜେଡି ମହିଳା ୱିଙ୍ଗର କାର୍ଯ୍ୟକାରୀ ସଭାପତି ଅଛନ୍ତି। ମନ୍ଦାକିନୀ କର ମଧ୍ୟ ଅନୁରୂପ ଭାବେ ଯୁବ ବିଜେଡିର ଉପସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ନିବେଦିତା ନାୟକ, ସୁନନ୍ଦା କୁମାର ପତି ଓ ଦିବ୍ୟା ଶାଶ୍ୱତୀ ମଧ୍ୟ ବିଜେଡିର ଜଣେ ଜଣେ ଆଗଧାଡ଼ିର ନେତ୍ରୀ। ଏହି ନେତ୍ରୀମାନଙ୍କୁ ବିଜେଡିର ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ବି ଦେଖିବାକୁ ମିଳେ। ଏମାନଙ୍କୁ ଗତ ୨ରୁ ଅଢ଼େଇ ବର୍ଷ ମଧ୍ୟରେ ନିଯୁକ୍ତି ମିଳିଛି।

ତେବେ ପ୍ରଶ୍ନ ଉଠିଛି, ରାଜ୍ୟରେ ଶିଶୁମାନଙ୍କ ଉପରେ ଅତ୍ୟାଚାର ଓ ହିଂସା ବଢ଼ିଚାଲିଥିବାବେଳେ ଏହି କମିଶନ କାହିଁକି ସ୍ଥାଣୁ ହୋଇ ବସିଛି। ନିଜଆଡ଼ୁ ମାମଲା ରୁଜୁ କରିବାର ଉତ୍ତରଦାୟିତ୍ୱ ନେବା ତ ଦୂରର କଥା, ଯେତିକି ଅଭିଯୋଗ କମିଶନଙ୍କ ପାଖକୁ ଆସୁଛି ତା'କୁ ମଧ୍ୟ ସଠିକ୍ ଭାବେ ଫଇସଲା କରିବାରେ ସକ୍ଷମ ହେଉନାହାନ୍ତି। ରାଜକୋଷ ଅର୍ଥରେ ଏହି ନେତ୍ରୀମାନଙ୍କୁ କମିଶନରେ ଥଇଥାନ କରାଇବା ପରିବର୍ତ୍ତେ ଅଭିଜ୍ଞତା ସମ୍ପନ୍ନ ମହିଳାମାନଙ୍କୁ ନିଯୁକ୍ତି ଦେଲେ ଅନ୍ତତଃପକ୍ଷେ ରାଜ୍ୟରେ ଶିଶୁମାନଙ୍କ ଉପରେ ଅତ୍ୟାଚାର ଓ ହିଂସା ଉପରେ ନିୟନ୍ତ୍ରଣ ସମ୍ଭବପର ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos