ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଟିଭି ସିଏଫଓ ମନୋରଞ୍ଜନ ଷଡଙ୍ଗୀଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ। ତେବେ ତାଙ୍କୁ ବିନା ନୋଟିସରେ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିବା ଜଣାପଡ଼ିଛି। ବହୁ ସମୟ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ମଧ୍ୟ ସୂଚନା ଦିଆଯାଇ ନାହିଁ। ଏହା ପୂର୍ବରୁ ମଧ୍ୟ ମନୋରଂଜନ ଷଡ଼ଙ୍ଗୀଙ୍କୁ ଓଟିଭି ଅଫିସରରେ ପଚରା ଉଚରା କରାଯାଇଥିଲା। ଏପରିକି ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନାକୁ ଡାକି ମଧ୍ୟ ପଚରା ଉଚରା କରାଯାଇଥିଲା।
ଏବେ ପୁଣି ବିନା ନୋଟିସ ଏବଂ ବିନା ମାମାଲାରେ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ। ତାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଶ୍ରୀ ଷଡଙ୍ଗୀଙ୍କର ଉଚ୍ଚ ରକ୍ତଚାପ ରହିଛି ଏବଂ ସକାଳୁ ସେ ମେଡିସିନ୍ ଓ ଖାଦ୍ୟ ଗ୍ରହଣ ମଧ୍ୟ କରିନାହାନ୍ତି।
ଏପରିକି ତାଙ୍କଠାରୁ ମୋଇବାଲ୍ ଫୋନ୍ ମଧ୍ୟ ଛଡ଼ାଇ ନିଆଯାଇଛି। ଘରେ ତାଙ୍କର ୮୪ ବର୍ଷୀୟା ବୃଦ୍ଧା ମା'ଙ୍କ ସମେତ ମାତ୍ର ତିନିଜଣ ମହିଳା ଅଛନ୍ତି। ତେବେ ତାଙ୍କୁ କାହିଁକି ଏବଂ କେଉଁ କାରଣରୁ କ୍ରାଇମବ୍ରାଞ୍ଚ ଉଠାଇ ନେଲା, ତାହା ଜଣାପଡ଼ିନାହିଁ।
ଘଟଣା ସଂପର୍କରେ ମନୋରଂଜନଙ୍କ ଝିଅ ଗାୟତ୍ରୀ କହିଛନ୍ତି, ୫ ଜଣ ଆସିଥିଲେ। ବିନା ନୋଟିସ୍ ଜବରଦସ୍ତି ଘରେ ପଶି ବାପାଙ୍କୁ ଉଠାଇ ନେଲେ। ବାପା ଡାଇବେଟିସ୍ ରୋଗୀ। ସାଙ୍ଗରେ ଔଷଧ ନେବାକୁ ବି ତାଙ୍କୁ ଦିଆଗଲାନି। ସେ କିଛି ଖାଇ ମଧ୍ୟ ନଥିଲେ। କେଉଁଠିକୁ ନେଲେ କିଛି କହିଲେନି। ବାପାଙ୍କ ସହ ଯୋଗାଯୋଗ ହୋଇପାରୁନି। ତେଣୁ ଆମ ସମସ୍ତଙ୍କୁ ଖୁବ୍ ବ୍ୟସ୍ତ ଲାଗୁଛି। ବାପାଙ୍କୁ ସେମାନେ ନେଇ ଯିବା ପରଠୁ ଜେଜେ ମା’ ଅସୁସ୍ଥ ଅଛନ୍ତି।
ଏହି ଘଟଣାରେ ପ୍ରତିକ୍ରିୟା ରଖି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଏସବୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି। ଏହା ସରକାରଙ୍କ ଅହଙ୍କାର ନା ସରକାର ଡରି ଯାଇଛନ୍ତି। ନା ସରକାର କିଛି ଲୁଚେଇବାକୁ ଚାହୁଁଛି।
ଅପରାଜିତା କହିଛନ୍ତି, ଏହା ସରକାରଙ୍କ ଅସୁରକ୍ଷାର ଭାବନା ଓ ନିଜ ଦୁର୍ବଳତା ଲୁଚାଇବାକୁ ଚେଷ୍ଟା। ଶାସନରେ ଥିବା ଅସୁବିଧାକୁ ଏକ ଟିଭି ଚ୍ୟାନେଲ ପ୍ରକାଶ କରୁଛି। ଯଦି ଅପ୍ରିୟ ସତ୍ୟ ପଦାକୁ ଆସୁଛି, ତଦନ୍ତ କରି ପଦକ୍ଷେପ ନେବାକଥା। ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯିବା ଜଳଜଳ ଦିଶୁଛି। ଏସବୁ ଭୁଲ୍। ଗୋଟିଏ ପରେ ଗୋଟିଏ ଭୁଲ୍ ନକରନ୍ତୁ ରାଜ୍ୟ ସରକାର। ଏହା ବିନାଶ କାଳେ ବିପରୀତ ବୁଦ୍ଧି, ଏମିତି କରନ୍ତୁନି।
ସେ ଆହୁରି କହିଛନ୍ତି, ସରକାର ଆତ୍ମସମୀକ୍ଷା କରନ୍ତୁ। ଏହା ଠିକ୍ କି ଭୁଲ୍ ନିଜକୁ ପଚାରନ୍ତୁ। ଶାସନରେ ଭୁଲ୍ ଅଛି। ଓଡ଼ିଶାରେ ଏମିତି ଏକଛତ୍ରବାଦ ନକରାଯାଉ। ରିପୋର୍ଟ କହୁଛି ଶାସନ କ୍ଷେତ୍ରରେ ଓଡ଼ିଶା ତଳଆଡୁ ତୃତୀୟରେ ରହିଛି।
ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର କହିଲେ- ତଦନ୍ତକାରୀ ସଂସ୍ଥା ‘କ୍ରାଇମବ୍ରାଞ୍ଚ’ ଆଇନକୁ ପାଳନ କରୁ ନଥିବା ଜଣାପଡୁଛି। ଏପରି ଘଟଣା ଦ୍ୱାରା ସଂସ୍ଥାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠୁଛି। ଆଇନ ଅନୁସାରେ କୌଣସି ବ୍ୟକ୍ତିଙ୍କୁ ଅଜ୍ଞାତ ସ୍ଥାନରେ ରଖିପାରିବେନି। ଯେଉଁଠିକି ବି ନେବେ ସେକଥା ପରିବାରକୁ ଜ୍ଞାତ ହେବା ଦରକାର।
ସେ ଆହୁରି କହିଛନ୍ତି, ଏମିତି ତାଙ୍କୁ ଉଠାଇ ନେବା ସାମ୍ବିଧାନିକ ଅଧିକାରକୁ କ୍ଷୂଣ୍ଣ କରୁଛି। ଏହା ପଛରେ କିଛି ଆକ୍ରୋଶ ଓ ମନ୍ଦ ଉଦ୍ଦେଶ୍ୟ ଥିବା ଧରିନେବାକୁ ହେବ। ଚାପର ବଶବର୍ତ୍ତୀ ହୋଇ କ୍ରାଇମବ୍ରାଞ୍ଚ ଆଇନ ଉଲ୍ଲଂଘନ କରୁଥିବା ଜଣାପଡୁଛି। ଚାପର ବଶବର୍ତ୍ତୀ ହୋଇ କ୍ରାଇମବ୍ରାଞ୍ଚ ଆଇନ ଉଲ୍ଲଂଘନ କରୁଥିବା ଜଣାପଡୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।