ପିଟିଥିବା ବିଜେଡି ନେତାଙ୍କ ସମ୍ପର୍କୀୟଙ୍କୁ ଫଟାଫଟ ଜାମିନ୍‌, ପଟେଇବା ପାଇଁ ରାତି ଅଧିଆ ପ୍ଲାନ୍‌ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାତି ଅଧରେ ପରବିନ୍ଦରଙ୍କ ଘର ଆଗରେ ପୁଲିସ ଅଧିକାରୀଙ୍କ ସହ ବିଧାୟକ ଅନନ୍ତ ନାରାୟଣ ଜେନା କାହିଁକି? ପରବିନ୍ଦରଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ମିଳିବାର ଠିକ୍ ପରେ ତାଙ୍କ ଘରକୁ ବିଧାୟକଙ୍କ ଅନ୍ଧାରି ବିଜେକୁ ନେଇ ତେଜିଛି ରାଜନୀତି। କଂଗ୍ରେସ ଏନେଇ ବିଧାୟକଙ୍କ ନାଁରେ ମାମଲା କରାଯିବାକୁ ଦାବି କରିଥିଲା ବେଳେ, ଅଭିଯୁକ୍ତଙ୍କ ପ୍ରତି କୋହଳ ଦଫାକୁ ନେଇ ବିଜେପି ମଧ୍ୟ ବର୍ଷିଛି। ସେପଟେ ନ୍ୟାୟ ନମିଳିଲେ ରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି ଶିରୋମଣି […]

nbv

nbv

Tapas Behera
  • Published: Thursday, 16 January 2020
  • Updated: 16 January 2020, 08:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାତି ଅଧରେ ପରବିନ୍ଦରଙ୍କ ଘର ଆଗରେ ପୁଲିସ ଅଧିକାରୀଙ୍କ ସହ ବିଧାୟକ ଅନନ୍ତ ନାରାୟଣ ଜେନା କାହିଁକି? ପରବିନ୍ଦରଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ମିଳିବାର ଠିକ୍ ପରେ ତାଙ୍କ ଘରକୁ ବିଧାୟକଙ୍କ ଅନ୍ଧାରି ବିଜେକୁ ନେଇ ତେଜିଛି ରାଜନୀତି। କଂଗ୍ରେସ ଏନେଇ ବିଧାୟକଙ୍କ ନାଁରେ ମାମଲା କରାଯିବାକୁ ଦାବି କରିଥିଲା ବେଳେ, ଅଭିଯୁକ୍ତଙ୍କ ପ୍ରତି କୋହଳ ଦଫାକୁ ନେଇ ବିଜେପି ମଧ୍ୟ ବର୍ଷିଛି। ସେପଟେ ନ୍ୟାୟ ନମିଳିଲେ ରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି ଶିରୋମଣି ଅକାଳି ଦଳ।

ଇଟା, ପଥରରେ ପୁଲିସ ଉପସ୍ଥିତିରେ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ। ରକ୍ତ ବୋହିଲା। ଆଖି ଫାଟିଲା, ମର୍ଯ୍ୟଦାର ପଗଡ଼ି ମାଟିରେ ଲୋଟିଲା। ଦିନ ଦ୍ୱିପ୍ରହରରେ ଗୁଣ୍ଡାଗର୍ଦ୍ଦିର ଏମିତି ଦୃଶ୍ୟ ସିସିଟିଭିରେ କଏଦ୍ ହୋଇ ଗଣମାଧ୍ୟମ ଜରିଆରେ ସାରା ଦୁନିଆ ଦେଖିଲା।

ଗିରଫ ହେଲେ ବିଜେଡିର ପୂର୍ବତନ କର୍ପୋରେଟରଙ୍କ ପୁତୁରା ଦୀପକ ଜେନା, ତାଙ୍କ ସହଯୋଗୀ ଶଙ୍କର ରାଉତ ଓ ଦୀପକ ମହାନ୍ତି। ହେଲେ ଦଫା ଏମିତି ଲାଗିଲା, ଗିରଫର ମାତ୍ର କେଇ ଘଣ୍ଟା ଭିତରେ ଆକ୍ରମଣକାରୀଙ୍କୁ ବେଲ୍। ଯାହାକୁ ନେଇ ଆଶ୍ଚର୍ଯ୍ୟପ୍ରକଟ କରିବା ସହ ଆଉ କଣ ହୋଇଥିଲେ ହତ୍ୟା ଉଦ୍ୟମର ଦଫା ୩୦୭ ଲାଗିଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି ପୀଡ଼ିତ ପରବିନ୍ଦର ସିଂ।

ଗୋଟିଏ ପଟେ ଆକ୍ରମଣକାରୀଙ୍କୁ ଜାମିନ୍, ଆଉ ଆରପଟେ ପରବିନ୍ଦରଙ୍କ ଘରକୁ  ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୁଲିସ ଅଧିକାରୀ ଅନୁପ କାନୁନ୍‌ଗୋ ଯିବାକୁ ନେଇ ଚର୍ଚ୍ଚା । କାହିଁକି ପରବିନ୍ଦରଙ୍କ ଘରକୁ ଅନନ୍ତଙ୍କ ଅନ୍ଧାରିବିଜେ? ଅନନ୍ତଙ୍କ ସହ ଅନୁପ କାନୁନ୍‌ଗୋ କାହିଁକି ? ପରବିନ୍ଦରଙ୍କ ପତ୍ନୀଙ୍କ ଅଭିଯୋଗ ରାତି ପ୍ରାୟ ଗୋଟାଏ ବେଳେ ୩-୪ ଜଣ ଲୋକ ବହୁ ସମୟ ଧରି ତାଙ୍କ ଘର କବାଟ ବାଡ଼େଇଥିଲେ, ହେଲେ ଭୟରେ ସେ କବାଟ ଖୋଲି ନଥିଲେ । ଆଜି ସକାଳେ ବିଧାୟକ ଅନନ୍ତ ନାରାୟଣ ପୁଣି ଆସି ଆମେ ତୁମ ସହ ଅଛୁ, ଡରନି ବୋଲି କହିଥିଲେ । ହେଲେ ଆକ୍ରମଣକାରୀଙ୍କୁ ଜାମିନ କେମିତି ମିଳିଲା ବୋଲି ପ୍ରଶ୍ନ କରିଛନ୍ତି କମଲଜିତ୍।

ସେପଟେ ଘଟଣାକୁ ନେଇ ରାଜନୀତି ବି ତେଜିଛି।  ଶିରୋମଣି ଅକାଳି ଦଳ  ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ନ୍ୟାୟ ନମିଳିଲେ ଦିଲ୍ଲୀସ୍ଥିତ ଓଡ଼ିଶା ଭବନ ଆଗରେ ବିକ୍ଷୋଭର ଧମକ ଦେଇଛି ବିରୋଧୀ ବିଜେପି ଓ କଂଗ୍ରେସ। ଏହି ଘଟଣାରେ ପୁଲିସ ପ୍ରଶାସନ ସହ ସିଧା ସରକାରଙ୍କୁ ଘେରିଛନ୍ତି । ରାତି ଅଧିଆ ଜଣେ ବିଧାୟକ ପୀଡ଼ିତ ପରବିନ୍ଦରଙ୍କ ଘରକୁ କାହିଁକି ଯାଇଥିଲେ ବୋଲି ପ୍ରଶ୍ନ କରିଛନ୍ତି । ତେବେ ବିଧାୟକ କହିଛନ୍ତି ଗୁରୁଦ୍ୱାରା ସଭାପତି ସତ୍ପାଲ୍ ସିଂଙ୍କ ସହ ପରବିନ୍ଦରଙ୍କ ପରିବାରକୁ ଶାନ୍ତ୍ୱନା ଦେବାକୁ ଯାଇଥିଲି।

ଅପରପକ୍ଷେ ଅଭିଯୁକ୍ତଙ୍କୁ ଜାମିନ୍ ମିଳିବା ପରଠୁ ପରବିନ୍ଦରଙ୍କ ଘର ଆଗରେ ସୁରକ୍ଷା ବଢ଼ାଇ ଦିଆଯାଇଛି।

ଆକ୍ରମଣକାରୀଙ୍କ ବିରୋଧରେ କୋହଳ ଦଫାକୁ ନେଇ ପୋଲିସ୍‌ର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। କିନ୍ତୁ ଏନେଇ କ୍ୟାମେରା ସାମ୍ନାରେ ପୁଲିସ ମୁହଁ ଖୋଲି ନଥିଲା ବେଳେ ଓଡ଼ିଶା ଶିଖ୍ ପ୍ରତିନିଧି ବୋର୍ଡର ଏକ ଚିଠିକୁ ଟୁଇଟ୍ କରି ଶିଖ୍ ସଂପ୍ରଦାୟ ପୁଲିସର କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟ ଥିବା ଦର୍ଶାଇ ଏଥିପାଇଁ ଧନ୍ୟବାଦ ଦେଇଛି। କମିଶନରେଟ୍ ପୁଲିସ ଆସନ୍ତାକାଲି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ହେବ ବୋଲି ଏହି ଟୁଇଟ୍‌ରେ ଦର୍ଶାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos