ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଗୁମର ଖୋଲିବ। ଧରା ପଡ଼ିବା ମୃତ୍ୟୁ ଉପହାର ପଠାଇଥିବା ଜହ୍ଲାଦ। ଏହି ଗୁମର ଖୋଲିବା ପାଇଁ କ୍ରାଇମବ୍ରାଞ୍ଚ ଏସ୍ଆଇଟିର ୪ ଜଣିଆ ଟିମ୍ ଆଜି ପାଟଣାଗଡ଼ର ମୃତ ସୌମ୍ୟଶେଖରଙ୍କ ଭୋଳାନାଥପଡ଼ା ଘରକୁ ଯାଇ ପରିବାର ଲୋକଙ୍କୁ ପଚରା ଉଚରା କରିଥିଲା। ବିସ୍ଫୋରଣ କେଉଁ ସମୟରେ, କେଉଁଠି ଓ କିଭଳି ହୋଇଥିଲା ତାହାର ଯାଞ୍ଚ ମଧ୍ୟ କରିଥିଲା। ଏହାପରେ ପାର୍ସଲ ଆଣି ପହଞ୍ଚାଇଥିବା ପାଟଣାଗଡ଼ର ସ୍କାଏକିଙ୍ଗ କୋରିୟର ଅଫିସ ଯାଇ ଖୋଳତାଡ଼ କରିଥିଲା। ସନ୍ଧ୍ୟାବେଳେ ଏସ୍ଆଇଟି ଟିମ୍ ପାଟଣାଗଡ଼ କେନ୍ଦୁଲିଫ୍ ଡାକବଙ୍ଗାରେ ସୌମ୍ୟଙ୍କ ବାପା ରବିନ୍ଦ୍ର ସାହୁ, ମାଆ ସଂଯୁକ୍ତା ଓ ସ୍କଏକିଙ୍ଗ କୋରିଆର ମାଲିକଙ୍କୁ ପଚରାଉଚରା କରିଛି। ମାତ୍ର କେଉଁ ବିଷୟରେ ସେମାନଙ୍କୁ ପଚରାଉଚରା କରାଯାଇଛି, ତାହା ଜଣାପଡ଼ିନାହିଁ।
ଗତ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ଉପହାର ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଫଳରେ ସୌମ୍ୟ ଓ ତାଙ୍କ ଜେଜେ ମାଆଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ରୀମାଙ୍କୁ ବଲାଙ୍ଗିର, ବୁର୍ଲା ପରେ କଟକ ଏସ୍ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ସାମାନ୍ୟ ସୁସ୍ଥ ହେବା ପରେ ସୌମ୍ୟଙ୍କୁ ଖୋଜିଥିଲେ ରୀମା। ବିଭିନ୍ନ ବାହାନା ଦେଖାଇ ପରିବାର ଲୋକେ ରୀମାଙ୍କୁ ବୁଝାଇ ଦେଉଥିଲେ। ଦିନ ହଠାତ୍ ପେପର ପଢ଼ୁ ପଢ଼ୁ ଜାଣିବାକୁ ପାଇଲେ ସ୍ୱାମୀ ସୌମ୍ୟ ଆଉ ଦୁନିଆରେ ନାହାନ୍ତି। ଏଥିରେ ଖବର ପଢ଼ି ସେ ମର୍ମାହତ ହୋଇପଡ଼ି ଥିଲେ। ମୁଖ୍ୟଅଭିଯୁକ୍ତକୁ ଗିରଫ କରିବା ପାଇଁ କୋହଭରା କଣ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।