ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଉଗ୍ର ହେଲା ରାଜ୍ୟ କଂଗ୍ରେସର କନ୍ଦଳ। ବାଉନସର୍ ବଳୟରେ ରାଜ୍ୟ ପିସିସି କାର୍ଯ୍ୟାଳୟ। ଗଣ୍ଡଗୋଳ ଆଶଙ୍କାରେ ପିସିସି କାର୍ଯ୍ୟାଳୟରେ ବାଉନ୍ସରଙ୍କୁ ନିୟୋଜିତ କରାଗଲା। ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜ୍ୟ ପିସିସି କାର୍ଯ୍ୟାଳୟରେ। ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ସହ ବାଉନ୍ସର ପିସିସି କାର୍ଯ୍ୟାଳୟକୁ ଆସିଥିବା ଦେଖିବାକୁ ମିଳିଛି। ଆଜି ରାଜ୍ୟ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିଲା।
୨୦୧୯ ନିର୍ବାଚନରେ ଦଳର ପରାଜୟକୁ ନେଇ କିଛି ଉପକୂଳ ନେତାଙ୍କ ସହ ପ୍ରଭାରୀ, ସଭାପତି ଓ ଅନ୍ୟ ବରିଷ୍ଠ ନେତାଙ୍କ ଆଲୋଚନା ହେବାର ଥିଲା। ହେଲେ ବାହାରେ କିଛି ନେତା ହଟ୍ଟଗୋଳ ଆରମ୍ଭ କରିଥିଲେ। ବିଶେଷ କରି ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତିଶ୍ ପ୍ରଧାନଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଏହି ହଟ୍ଟଗୋଳ ହୋଇଥିଲା। ସେ ସମର୍ଥକଙ୍କ ସହ ଧାରଣାରେ ବସିଛନ୍ତି।
ଭିତରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟ କେନ୍ଦ୍ର ନେତୃବୃନ୍ଦ ଆଲୋଚନା କରୁଥିବାବେଳେ ବାହାରେ ଇତିଶ ପ୍ରଧାନ ଏବଂ ତାଙ୍କ ସମର୍ଥକ ଜୋରଦାର ନାରାବାଜି କରିଛନ୍ତି। ଇତିଶଙ୍କ ସମର୍ଥକ କଂଗ୍ରେସ ଭବନ ମୁଖ୍ୟ ଫାଟକରେ ତାଲା ପକାଇଦେଇଛନ୍ତି। ଗତକାଲି ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । କିଛି ନେତା ପ୍ରବଳ ହଟ୍ଟଗୋଳ କରିବା ସହ ଖୋଲାଖୋଲି ପିସିସି ସଭାପତି ବଦଳାଇବା ପାଇଁ ଦାବି କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।