ଦୌଡ଼ିଲେ ଥାନା ବାବୁ, ଗୋଡ଼େଇ ପିଟିଲେ ଲୋକେ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଦୌଡ଼ିଲେ ପୁଲିସ ବାବୁ। ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ। ପ୍ରାୟ ୧ କିଲୋମିଟର ରାସ୍ତାରେ ଏଭଳି ପୁଲିସକୁ ପିଛା କରି ମାଡ଼ ମାରିଥିଲେ ଲୋକେ। ଲୋକଙ୍କ ଆକ୍ରମଣରେ ୩ ପୁଲିସ ଅଧିକାରୀ ଆହତ ହୋଇଛନ୍ତି। ଏକ ମୃତଦେହକୁ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବାକୁ ପଦକ୍ଷେପ ନେବାରୁ ଏହି ଘଟଣା ଘଟିଛି। ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇଲେ ପୁଲିସ ଘଟିଥିବା ଘଟଣାର ଆଉ ତଦନ୍ତ କରିବ ନାହିଁ ବୋଲି ଲୋକଙ୍କ ମନରେ ଧାରଣା […]

iic

  • Published: Tuesday, 19 July 2022
  • , Updated: 19 July 2022, 09:29 PM IST

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଦୌଡ଼ିଲେ ପୁଲିସ ବାବୁ। ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ। ପ୍ରାୟ ୧ କିଲୋମିଟର ରାସ୍ତାରେ ଏଭଳି ପୁଲିସକୁ ପିଛା କରି ମାଡ଼ ମାରିଥିଲେ ଲୋକେ। ଲୋକଙ୍କ ଆକ୍ରମଣରେ ୩ ପୁଲିସ ଅଧିକାରୀ ଆହତ ହୋଇଛନ୍ତି। ଏକ ମୃତଦେହକୁ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବାକୁ ପଦକ୍ଷେପ ନେବାରୁ ଏହି ଘଟଣା ଘଟିଛି। ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇଲେ ପୁଲିସ ଘଟିଥିବା ଘଟଣାର ଆଉ ତଦନ୍ତ କରିବ ନାହିଁ ବୋଲି ଲୋକଙ୍କ ମନରେ ଧାରଣା ଜନ୍ମିଥିଲା। ଯାହାକୁ ନେଇ ଲୋକେ ଏଭଳି ଅଭାବନୀୟ କାଣ୍ଡ ଘଟାଇଛନ୍ତି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡ଼ା ଗ୍ରାମରେ ଏହି ଘଟଣା ଘଟିଛି।

ସୂଚନା ମୁତାବକ, ଗତକାଲି ଝରିଗୁଡ଼ା ଗ୍ରାମର ସୁଶୀଳ କୁମାର ନାଗଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଲୋକେ ଠାବ କରିଥିଲେ। ଏହି କାଣ୍ଡ ମହିଳାଙ୍କ ସ୍ୱାମୀ ଘଟାଇଥିବା ଆଶଙ୍କା କରି ତାଙ୍କୁ ଘେରାଉ କରି ରଖିଥିଲେ। ଖବର ପାଇ ଆଜି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ସମୟରେ ମୃତ ମହିଳାଙ୍କ ପରିବାର ପକ୍ଷରୁ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଅଭିଯୋଗ ହୋଇଥିଲା। ତେଣୁ ପୁଲିସ ସାଇଣ୍ଟିଫିକ୍ ଟିମ୍ ଡକାଇ ତଦନ୍ତ ଆରମ୍ଭ କରିଥିଲା। ପରେ ଏହି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବାକୁ ପଦକ୍ଷେପ ନେବା ବେଳେ ଲୋକଙ୍କ ବିରୋଧ ଆରମ୍ଭ ହୋଇଥିଲା। ମୃତଦେହ ଛାଡିବୁ ନାହିଁ କହି ଡାବୁଗାଁ ଥାନା ଅଧିକାରୀ ଏବଂ ତାଙ୍କ ସହ ଥିବା ୨ ଅଫିସରଙ୍କ ଉପରେ ଗ୍ରାମବାସୀ ଆକ୍ରମଣ କରିଥିଲେ। ଅଧିକାରୀମାନେ ରାସ୍ତାରେ ଚାଲିଚାଲି ସେମାନଙ୍କ କବଳରୁ ମୁକ୍ତିବାକୁ ଚେଷ୍ଟା କରୁଥାନ୍ତି। ହେଲେ ଲୋକେ ସେମାନଙ୍କ ପିଛା କରି ମାଡ଼ ମାରୁଥାନ୍ତି। ଏହି ସମୟରେ ପୁଲିସ ଅଧିକାରୀଙ୍କ ସହ ଥିବା ପୁଲିସ ଫୋର୍ସ ଲୋକଙ୍କୁ ଅଟକାଇବାରେ ବହୁ ପ୍ରୟାଶ କରି ବିଫଳ ହେଉଥିଲା।

ଗ୍ରାମବାସୀଙ୍କ ଆକ୍ରମଣରେ ଡାବୁଗାଁ ଥାନାର ଜଣେ ମହିଳା କର୍ମଚାରୀଙ୍କ ସମେତ ତିନି ଜଣ ଆହତ ହୋଇଥିଲେ। ପରେ ଉମରକୋଟ ଏସଡିପିଓ ନିହାର ରଞ୍ଜନ ପ୍ରଧାନଙ୍କ ସମେତ ଉମରକୋଟ ଓ ଝରିଗାଁ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଏଥିସହ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଆମ୍ବୁଲାନ୍ସରେ ପଠାଇଥିଲେ। ମୃତ ମହିଳାଙ୍କ ସ୍ୱାମୀ ସୁଶୀଳ କୁମାର ନାଗଙ୍କୁ ଗିରଫ କରିବା ସହ ଲୋକଙ୍କ କବ୍‌ଜାରୁ ମୁକାଳି ଡାବୁଗାଁ ଥାନାକୁ ଆଣିଥିଲେ। ସେଠାରେ ତାଙ୍କୁ ଅଧିକ ପଚରା ଉଚରା କରାଯାଉଥିବା ଉମରକୋଟ ଏସଡିପିଓ ସୂଚନା ଦେଇଛନ୍ତି। ପୁଲିସ ଉପରେ ଆକ୍ରମଣ କରିଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ସେ କହିଛନ୍ତି।

Related story