ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣକୁ ବିତିଯାଇଛି ୬ ଦିନ । ବିସ୍ଫୋରଣରେ ସର୍ବହରା ହୋଇଯାଇଥିବା ପରିବାର ଗୁମୁରି ଗୁମୁରି କାନ୍ଦୁଛନ୍ତି । କିଏ ରୋଜଗାରିଆ ବାପାଙ୍କୁ ଝୁରୁଛି ତ’ ଆଉ କିଏ ବାପାଙ୍କ ଫେରିବା ବାଟକୁ ଅନାଇ ରହିଛି। ବିଡ଼ମ୍ବନାର କଥା ହେଉଛି, ଏତେବଡ଼ ଦୁର୍ଘଟଣାରେ ଜଣଙ୍କୁ ଛାଡ଼ିଦେଲେ ଆଉ କିଏ ମୃତ ନା ଜୀବିତ, କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ । ଏଭଳି ସ୍ଥିତିରେ ଆଶା ଆଶଙ୍କା ଭିତରେ ରହି ଶୋକାକୂଳ ଅବସ୍ଥାରେ କାଳ କାଟୁଛନ୍ତି ପରିବାର ।
ଯେଉଁ ବାପା ଦିନେ/ଦୁଇଦିନ ଭିତରେ ଫେରିବାର ପ୍ରତିଶ୍ରୁତି ଦେଇଥିଲେ, ଆସିଲାବେଳେ ବହୁ ଜିନିଷ ଆଣିଦେବି କହିଥିଲେ, ସେହି ବାପା ଏବେ ଗଲେ କୁଆଡ଼େ ? ଖୁଆଇଦେବାଠୁ ଶୁଆଇଦେବା ପର୍ଯ୍ୟନ୍ତ ସବୁ କାମ କରୁଥିବା ବାପା ଆସୁନାହାଁନ୍ତି କାହିଁକି? ପାଠ ପଢ଼ି ଭଲ ମଣିଷ ହେବାର ମନ୍ତ୍ର ଦେଉଥିବା ବାପାଙ୍କ କଥା ଆଜି ଗୋଟି ଗୋଟିଏ ହୋଇମନେପଡୁଛି ଏହି ଅବୋଧ ଟିକି ପୁଅକୁ । କାରଣ ସେ ଜାଣିନି, ବାପା କାହିଁକି ଫେରୁନାହାଁନ୍ତି । ରାଜଧାନୀର ସେହି ରାକ୍ଷସ ରୂପୀ ବିସ୍ଫୋରଣ ପରଠୁ ତାବାପା ସୀମାଞ୍ଚଳ ପରିଡ଼ା ଏବେ ବି ବି ନିଖୋଜ। ଅକ୍ଟୋବର ୭ ଅପରାହ୍ନ ପ୍ରାୟ ଗୋଟାଏ । ଅନ୍ଲାଇନ୍ କ୍ଲାସ ଥିବାରୁ ପୁଅକୁ ମୋବାଇଲରେ ପଠାଇଦେଇଥିଲେ ଲିଙ୍କ୍ । ହେଲେ ସେହି ମେସେଜ୍ ପରଠୁ ସୁଇଚ୍ ଅଫ୍ ହୋଇଯାଇଛି ଆସିକା ଗହଙ୍ଗୁ ଗାଁର ସୀମାଞ୍ଚଳଙ୍କ ମୋବାଇଲ୍ । ବିସ୍ଫୋରଣ ପୂର୍ବରୁ ସେହି LPG ଟ୍ୟାଙ୍କର୍ରେ କାମ କରୁଥିଲେ ସୀମାଞ୍ଚଳ । କିନ୍ତୁ ତାଙ୍କର ପତ୍ତା ମିଳୁନଥିବାରୁ ମୃତ୍ୟୁ ହୋଇଯାଇଥିବା ଆଶଙ୍କା କରି ପରିବାର ଲୋକେ ପ୍ରତୀକାତ୍ମକ ଅନ୍ତିମ ସଂସ୍କାର ବି କରିସାରିଲେଣି।
ସେମିତି ଆସିକା ରଘୁନାଥନଗରର ସଦାନନ୍ଦ ନାୟକ ଓରଫ୍ ସତ୍ୟଙ୍କ ପୁଅ ପିନୁ ଆଜି ବାପ ଛେଉଣ୍ଡ ହୋଇଯାଇଛି । ସେ ବି ଭୁଲିପାରୁନି ତା ବାପା ସହିତ ବିତିଯାଇଥିବା ପ୍ରତିଟି କଥାକୁ । ସେ ବି ଝୁରି ହେଉଛି ବାପାକୁ, ଘାଣ୍ଟି ହେଉଛି ତା କୁନି ପ୍ରାଣ । ହେଲେ ବାପା କୁଆଡ଼େ ଗଲେ ସେ ବୁଝିପାରୁନି ଏହି ଅବୋଧ ବୟସରେ । ଅପେକ୍ଷା କରିଛି କାଳେ ବାପା ଫୋନ୍ କରିବେ। ହେଲେ ଅଫେରା ବାଟ ଦେଇ ବାହୁଡ଼ି ଯାଇଥିବା ବାପା ବା ଆସିବେ କେମିତି ।
ଘଟଣା ଦିନ ପେଟ୍ରୋଲ୍ ପମ୍ପ ପରିସରରେ ଥିବା LPG ଟ୍ୟାଙ୍କରେ ଚାଲିଥିଲା ଗ୍ୟାସ୍ ଭର୍ତ୍ତି ପ୍ରକ୍ରିୟା। ଏହି କାମରେ ନିୟୋଜିତ ଥିଲେ ସଦାନନ୍ଦଙ୍କ ସମେତ ୩ରୁ ୪ ଜଣ। କିନ୍ତୁ ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟା ଯୋଗୁ ହଠାତ୍ ବିସ୍ଫୋରଣ ହୋଇ ଛିନ୍ଛତ୍ର ହୋଇଗଲା ଚତୁର୍ଦ୍ଦିଗା। ଏଥିରେ ପ୍ରାଣ ହରାଇଥିଲେ ସଦାନନ୍ଦ। ଅଳ୍ପକେ ବର୍ତ୍ତିଯାଇଥିଲେ ୨ ଜଣ । ଆଉ ଜଣଙ୍କ ଏଯାଏଁ ପତ୍ତା ମିଳିନି । ହରିୟାଣା ଫରିଦାବାଦର ସୂର୍ଯ୍ୟ ଶକ୍ତି ଭେସେଲ୍ ନାମକ ଏକ ସଂସ୍ଥା ଠିକାରେ ଏହି ଗ୍ୟାସ ଭର୍ତ୍ତି କାମ କରୁଥିବାବେଳେ ଘଟିଥିଲା ଏହି ବିସ୍ଫୋରଣ।