ପିପିଲି( ଓଡ଼ିଶା ରିପୋର୍ଟର): ରାତି ପାହିଲେ ପିପିଲି ଉପନିର୍ବାଚନ ଲାଗି ହେବ ଭୋଟଗ୍ରହଣ । ଏନେଇ ପ୍ରସ୍ତୂତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ପୋଲିଂ ପାର୍ଟି ବୁଥ୍ରେ ପହଞ୍ଚି ସାରିଛନ୍ତି । ଆସନ୍ତା କାଲି ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ।
ଏହି ଉପନିର୍ବାଚନରେ ପିପିଲିର ୨ଲକ୍ଷ ୨୯ ହଜାର ୯୯୮ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ନିର୍ବାଚନ ମଣ୍ଡଳୀରେ ୩୪୮ଟି ମତଦାନ କେନ୍ଦ୍ର କରାଯାଇଛି । ଏସବୁ ବୁଥ୍ ମଧ୍ୟରୁ ୨୦୧ଟି ସମ୍ବେଦନଶୀଳ ରହିଛି । ମତଦାତାଙ୍କ ପରିଚୟ ଜାଣିବା ଲାଗି ଭୋଟର କାର୍ଡ ସହ ୧୧ଟି ଅନ୍ୟ ପ୍ରମାଣପତ୍ର ବ୍ୟବହାର କରାଯାଇପାରିବ । ମତଦାନ ଲାଗି ୨୨୦୦ ପୋଲିଂ ପର୍ସେନାଲ୍ ନିଯୁକ୍ତ ହୋଇଛନ୍ତି ।
ସେହିପରି ମତଦାନକୁ ସୁରୁଖୁରରେ ସମ୍ପାଦନ କରିବା ଲାଗି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୱେବକାଷ୍ଟିଂ କିମ୍ବା ସିସିଟିଭି ସହ ଅନ୍ୟ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ରାଜ୍ୟ ପୋଲିସର ୨ ହଜାର ପୋଲିସ ପର୍ସନେଲ, ୩ କମ୍ପାନି କେନ୍ଦ୍ରୀୟ ଫୋର୍ସ ଓ ୩୨ଟି ମୋବାଇଲ ପାର୍ଟି ଆଇନଶୃଙ୍ଖଳା ଦାୟିତ୍ୱରେ ରହିବେ ।
କୋଭିଡ ଗାଇଡଲାଇନ୍ ଅନୁସାରେ ବୁଥରେ ସାମାଜିକ ଦୂରତ୍ୱ ସହ ମାସ୍କ, ସାନିଟାଇଜର୍ ନିୟମର ଅନୁପାଳନ ହେବ । ସେଥିଲାଗି ଡବଲ ଡୋଜ୍ ଟିକା ନେଇଥିବା କର୍ମଚାରୀଙ୍କୁ ହିଁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରାଯାଇଛି । କୋଭିଡ୍ ଲାଗି ପ୍ରତି ବୁଥ୍ରେ ହଜାରେ ଭୋଟରଙ୍କ ମତଦାନ ଲାଗି ବ୍ୟବସ୍ଥା ହୋଇଛି । ଥର୍ମାଲ ସ୍କାନିଂ ସହ ବୁଥ୍ରେ ସାମାଜିକ ଦୂରତ୍ୱ ରକ୍ଷା , ମାସ୍କ ପିନ୍ଧିବା ଓ ସାନିଟାଇଜର୍ ବ୍ୟବହାର ଲାଗି ନିର୍ଦ୍ଦେଶ ଦିଆଯାଇଛି । ଭୋଟରଙ୍କ ପାଇଁ ଗ୍ଲୋବସ୍ ବ୍ୟବସ୍ଥା ମଧ୍ୟ ହୋଇଛି। କେହି ଭୋଟର ଯଦି ଜ୍ୱରରେ ପୀଡିତ ଥିବେ ତେବେ ତାଙ୍କୁ ଚିରୁକୁଟି ଦିଆଯିବ ଓ ସେ ଶେଷ ଘଣ୍ଟାରେ ଆସି ମତଦାନ କରିବେ । ଅକ୍ଟୋବର ୩ ତାରିଖରେ ଭୋଟଗଣତି ହେବ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।