ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତୀବ୍ର ହୋଇଛି ପ୍ରତିବାଦର ସ୍ୱର। ଦୋଷୀଙ୍କୁ କଡ଼ା ଦଣ୍ଡ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଏହାକୁ ନେଇ ଆଜି ସଂସଦରେ ଉଦ୍ବେଗ ପ୍ରକାଶ ପାଇଥିବା ବେଳେ ମହିଳାଙ୍କ ସୁରକ୍ଷା ନେଇ ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସ ଜାରି କରିଛି ଗାଇଡ୍ଲାଇନ୍। ଅସୁବିଧାରେ ପଡ଼ିଥିବା ମହିଳାମାନେ ତୁରନ୍ତ ୧୦୦କୁ ଡାଏଲ୍ କରି ପିସିଆର ଭ୍ୟାନ୍ ନପହଞ୍ଚିବା ଯାଏଁ ସପିଂ ଏରିଆ ବା ପେଟ୍ରୋଲ ପମ୍ପ ଭଳି ପବ୍ଲିକ ପ୍ଲେସ୍ ରହିବାକୁ ପରାମର୍ଶ ଦେଇଛି।
ଗତ ବୁଧବାର ଭେଟେରିନାରୀ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ପୋଡ଼ି ହତ୍ୟା କରାଯାଇଥିଲା। ଏଭଳି ନୃଶଂସ ଘଟଣାକୁ ନେଇ ସାରା ଦେଶରେ ବିରୋଧର ବହ୍ନି ଜଳିଛି। ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ ପକ୍ଷରୁ ଆଜି ଦିଲ୍ଲୀ ଜନ୍ତରମନ୍ତରରେ ଛାତ୍ରଛାତ୍ରୀମାନେ ମୁହଁରେ କଳାପଟି ବାନ୍ଧି ପ୍ରତିବାଦ କରିଥିଲେ। ଦୁଷ୍କର୍ମ ଅଭିଯୁକ୍ତଙ୍କୁ କଡ଼ା ଦଣ୍ଡ ସହ କେନ୍ଦ୍ର ସରକାର କଠୋର ଆଇନ ଆଣିବାକୁ ଦାବି କରିଥିଲେ।
ସେପଟେ ହାଇଦ୍ରାବାଦର ଲୋମଟାଙ୍କୁରା ଘଟଣାକୁ ନେଇ ସଂସଦରେ ଗଭୀର ଉଦ୍ବେଗ ଓ କ୍ଷୋଭ ପ୍ରକାଶ ପାଇଥିଲା। ଏଭଳି ଏକ ସ୍ପର୍ଶକାତର ଘଟଣାରେ ପୁଣି ଦଳମତ ନିର୍ବିଶେଷରେ ଏକାଠି ହୋଇଥିଲେ ସବୁ ରାଜନୈତିକ ଦଳ। ଉଭୟ ଲୋକସଭା ଓ ରାଜ୍ୟସଭାରେ ସାଂସଦମାନେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ କଠୋର ଆଇନ୍ ଆଣିବାକୁ ଦାବି କରିଥିଲେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ। ସେ କହିଥିଲେ, ଜଘନ୍ୟକାଣ୍ଡରେ ସଂପୃକ୍ତ ଅଭିଯୁକ୍ତଙ୍କୁ ସାଧାରଣ ଜନତାଙ୍କୁ ହସ୍ତାନ୍ତର କରାଯାଉ। ସେମାନେ ହିଁ ପିଶାଚମାନଙ୍କୁ ଦଣ୍ଡ ଦେବେ ଦରକାର।
ତେଲେଙ୍ଗାନା ଘଟଣା ପରେ ମହିଳାଙ୍କ ଜୀବନ ପ୍ରତି ବଢୁଥିବା ବିପଦକୁ ଦେଖି ଆଡଭାଇଜରି ଜାରି କରିଛି କଟକ-ଭୁବନେଶ୍ୱର କମିଶନରେଟ୍ ପୁଲିସ୍। ଅସୁବିଧାରେ ପଡ଼ିଥିବା ମହିଳାମାନେ ତୁରନ୍ତ ୧୦୦କୁ ଡାଏଲ୍ କରିବାକୁ କୁହାଯାଇଛି। ପିସିଆର ଭ୍ୟାନ ନପହଞ୍ଚିବା ଯାଏଁ ଜନଗହଳି ଓ ପେଟ୍ରୋଲ ପମ୍ପ ଭଳି ପବ୍ଲିକ ପ୍ଲେସ୍ରେ ରହିବାକୁ ପରାମର୍ଶ ଦିଆଯାଇଛି। ତା’ସହିତ ‘ସହାୟତା’ ମୋବାଇଲ୍ ଆପ୍ ଜରିଆରେ ଏସ୍ଓଏସ୍ ମେସେଜ ଦେଲେ, ବିପଦରେ ପଡ଼ିଥିଲା ମହିଳାଙ୍କ ନିକଟରେ ପୁଲିସ୍ ତୁରନ୍ତ ପହଞ୍ଚି ପାରିବ ବୋଲି ଗାଇଡ୍ଲାଇନ୍ରେ କୁହାଯାଇଛି।