ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହୋଇଛି ନୂଆ ଶିକ୍ଷାବର୍ଷ। ଖୋଲିଛି ରାଜ୍ୟର ଅଧିକାଂଶ କଲେଜ। ତେବେ ଏଯାଏ ବାହାରି ପାରିନି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ। ଯାହାକୁ ନେଇ ଆଶା ଓ ଆଶଙ୍କା ଭିତରେ ଛାତ୍ରଛାତ୍ରୀମାନେ ଅଛନ୍ତି। ଏଣେ ପରୀକ୍ଷା ଫଳ ବାହାରି ନଥିବାରୁ ଯୁକ୍ତ ତିନି ଆଡମିଶନ ପ୍ରକ୍ରିୟାରେ ମଧ୍ୟ ବିଳମ୍ବ ଘଟିଛି। ଖାଲି ବିଜ୍ଞାନ ପରୀକ୍ଷା ଫଳ ବାହାରିଥିବାରୁ ଉଚ୍ଚଶିକ୍ଷା ବିଭାଗ ନାମଲେଖା ବିଜ୍ଞପ୍ତି ପ୍ରକାଶ କରିପାରୁନାହିଁ।
ସେହିପରି ଜୁନ୍ ୩ ତାରିଖରୁ ଯୁକ୍ତ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଯୁକ୍ତ ତିନିରେ ନାମ ଲେଖାଇବା ଲାଗି ଛାତ୍ରଛାତ୍ରୀମାନେ ୧୫ ଦିନ ହେଲାଣି ବିଜ୍ଞପ୍ତିକୁ ଅପେକ୍ଷା କରି ରହିଛନ୍ତି। ପରୀକ୍ଷା ଫଳ ଓ ଆଡ୍ମିଶନ ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ।
ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ଲାଗି ବାତ୍ୟା ‘ଫୋନି’ ଓ ସାଧାରଣ ନିର୍ବାଚନକୁ ପୂର୍ବରୁ ଦାୟୀ କରିଆସୁଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ଅବସରରେ ଜୁନ ଦ୍ୱିତୀୟ ସପ୍ତାହରେ ସୁଦ୍ଧା କଳା ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ରେଜଲ୍ଟ ପ୍ରକାଶନ ତୃତୀୟ ସପ୍ତାହକୁ ଘୁଞ୍ଚିଛି। ଏପଟେ ଅଭିଭାବକ ମହାସଂଘ ଫୋନି ଓ ନିର୍ବାଚନକୁ ପରିଷଦ ଆଳ କରୁଥବାରୁ ତା'ର ନିନ୍ଦା କରିବା ସହ ପିଲାଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ରେଜଲ୍ଟ ଯଥାଶୀଘ୍ର ବାହାର କରାଯିବା ପାଇଁ ଦାବି କରିଛି।
ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୩୫ ହଜାର ୧୮୩ ଜଣ ଏବଂ ବାଣିଜ୍ୟରେ ୨୭ହଜାର ୨୭୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।