ପାଟକୁରା: ବିଜୟଙ୍କ ସଫଳ ରଣନୀତି, ଚିନ୍ତାରେ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପରେ ଏବେ ପାଟକୁରା ବିଧାନସଭା ନିର୍ବାଚନ ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି। ପାଟକୁରା ଆସନକୁ ଅକ୍ତିଆର କରିବା ପାଇଁ ବିଜେପି ଓ ବିଜେଡି ଏବେ ନିଜର ରଣନୀତି ଆଧାରରେ ମଇଦାନକୁ ଓହ୍ଲାଇଥିବା ବେଳେ ବିଧାନସଭା ନିର୍ବାଚନମଣ୍ଡଳୀର ବାସ୍ତବ ସ୍ଥିତିକୁ ନେଇ ଗୁଇନ୍ଦା ରିପୋର୍ଟ ବିଜେଡିର ଚିନ୍ତା ବଢ଼ାଇ ଦେଇଛି। ପାଟକୁରା ଆସନ ପାଇଁ ବିଜେପି ପ୍ରାର୍ଥୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର ନିଜର ପ୍ରଚାର […]

bijay-mohapatra

Manoranjan Sial
  • Published: Saturday, 15 June 2019
  • , Updated: 15 June 2019, 07:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପରେ ଏବେ ପାଟକୁରା ବିଧାନସଭା ନିର୍ବାଚନ ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି। ପାଟକୁରା ଆସନକୁ ଅକ୍ତିଆର କରିବା ପାଇଁ ବିଜେପି ଓ ବିଜେଡି ଏବେ ନିଜର ରଣନୀତି ଆଧାରରେ ମଇଦାନକୁ ଓହ୍ଲାଇଥିବା ବେଳେ ବିଧାନସଭା ନିର୍ବାଚନମଣ୍ଡଳୀର ବାସ୍ତବ ସ୍ଥିତିକୁ ନେଇ ଗୁଇନ୍ଦା ରିପୋର୍ଟ ବିଜେଡିର ଚିନ୍ତା ବଢ଼ାଇ ଦେଇଛି।

ପାଟକୁରା ଆସନ ପାଇଁ ବିଜେପି ପ୍ରାର୍ଥୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିଥିବାବେଳେ ବିଜେଡି ନିଜର ପ୍ରଭାବଶାଳୀ ଯୁବନେତା, ମନ୍ତ୍ରୀ ଓ ବିଧାୟକମାନଙ୍କୁ ସେଠାରେ ମୁତୟନ କରି ଯେନତେନ ପ୍ରକାରେ ଆସନକୁ ସୁରକ୍ଷିତ ରଖିବାକୁ ପ୍ରଶାସନିକ କଳ ଉପରେ ଚାପ ପକାଇବାରେ ଲାଗିଥିବା ସୂଚନା ମିଳିଛି। ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତାରୁ ବାହାରେ ଥିବା ବିଜୟଙ୍କ ପାଇଁ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ଭିତରେ ସହାନୁଭୂତି ବୃଦ୍ଧି ପାଉଥିବା ଯୋଗୁ ବିଜେଡି ବିଚଳିତ ହୋଇପଡ଼ିଛି।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଇତିମଧ୍ୟରେ ପାଟକୁରାରେ ରୋଡ୍ ଶୋ’ ଓ କ୍ୟାମ୍ପେନ୍ କରିଥିବାବେଳେ ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମଧ୍ୟ ବିଜୟଙ୍କ ପାଇଁ ଖୁବଶୀଘ୍ର ପ୍ରଚାର ମଇଦାନକୁ ଓହ୍ଲାଇବେ। ସେହିପରି ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଜୁନ୍ ଶେଷ ସପ୍ତାହରେ ପ୍ରଚାର ମଇଦାନକୁ ଓହ୍ଲାଇବାର କାର୍ଯ୍ୟକ୍ରମ ରହିଛି। ଦଳର ଅନ୍ୟାନ୍ୟ ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଦାୟିତ୍ୱ ଏବେଠୁ ସମ୍ଭାଳିଲେଣି। ସେହିପରି ନିଜର ଅଭିଜ୍ଞତା ଓ ପୁରୁଣା ସଂଗଠନକୁ ସକ୍ରିୟ କରିବାର କୌଣସି ସୁଯୋଗକୁ ବିଜୟ ହାତଛଡ଼ା କରୁନଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ବିଜେଡି ମଧ୍ୟ ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ୩ଟି ବ୍ଲକ(ମୋଟ ୫୧ଟି ପଞ୍ଚାୟତ)ର ଦାୟିତ୍ୱ ନିଜର ମନ୍ତ୍ରୀ ଓ ବିଧାୟକଙ୍କୁ ନ୍ୟସ୍ତ କରିସାରିଛି। ସେହିପରି ଜିଲ୍ଲା ଓ ବ୍ଲକ୍ ପ୍ରଶାସନ ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ଯଥାସାଧ୍ୟ ଉଦ୍ୟମ ଚଳାଇଛି। ମାତ୍ର ଦଳର ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ(ଦିବଂଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ)ଙ୍କ ପ୍ରତି ଲୋକ ବିମୁଖ ରହୁଥିବାରୁ ବିଜେଡିର ସମସ୍ୟା ବଢ଼ିଯାଇଛି।

ତଥ୍ୟ ଅନୁସାରେ, ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକର ମୋଟ ୨୬ଟି ପଞ୍ଚାୟତରେ ବିଜେଡିର ଦବଦବା ରହିଛି। ମାତ୍ର ‘ଫୋନି’ ବାତ୍ୟା ପରେ ଲୋକଙ୍କୁ ପଲିଥିନ ଓ ଟଙ୍କା ବଣ୍ଟାରେ ବ୍ୟାପକ ଅନିୟମିତତା ଓ ପ୍ରିୟାପ୍ରୀତି ତୋଷଣ ହୋଇଛି, ଯାହାର ପ୍ରଭାବ ଏବେ ତୃଣମୂଳସ୍ତରରେ ପ୍ରତିଫଳିତ ହୋଇଛି। ଡେରାବିଶ ବ୍ଲକରେ ଭଲ ସ୍ଥିତିରେ ଥିବା ବିଜେଡି ଦ୍ରୁତ ଗତିରେ ଦୁର୍ବଳ ହେବାରେ ଲାଗିଛି ଓ ଏହାର ଫାଇଦା ବିଜୟ ଉଠାଇବାରେ ଲାଗିଛନ୍ତି। ସାଧାରଣ ନିର୍ବାଚନରେ ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ଏଠାରେ ଭଲ ଭୋଟ୍ ମିଳିଥିଲେ ମଧ୍ୟ ଏବେ ସେଠାରେ ଓଲଟା ପବନ ବୋହିବାରେ ଲାଗିଛି।

ସେହିପରି ଗରଦପୁର ବ୍ଲକର ୧୮ ପଞ୍ଚାୟତ ଓ ମାର୍ଶାଘାଇ ବ୍ଲକର ୭ଟି ପଞ୍ଚାୟତରେ ବିଜେଡିକୁ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିବ। ଏହି ଦୁଇ ବ୍ଲକରେ ବିଜୟଙ୍କ ଅଧିକ ପ୍ରଭାବ ରହିଛି, ବିଶେଷକରି ମାର୍ଶାଘାଇ ବ୍ଲକର ୭ଟି ପଞ୍ଚାୟତରେ ବିଜେଡିର ସ୍ଥିତି ଅତ୍ୟନ୍ତ ସଙ୍ଗିନ। ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ମାର୍ଶାଘାଇ ବ୍ଲକରେ ବିଜେଡି ତୁଳନାରେ ଭଲ ଭୋଟ୍ ମିଳିଥିଲା। ନିଜର ପୁରୁଣା ସଂଗଠନ ମଧ୍ୟ ବିଜୟଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ଫଳରେ ବିଜେଡିର ଶତପ୍ରୟାସ ସତ୍ତେ୍ୱ ବିଜୟ ଏହି ଦୁଇ ବ୍ଲକରେ ସୁବିଧାଜନକ ସ୍ଥିତିରେ ରହିଛନ୍ତି। ଏକ ଆକଳନ ଅନୁସାରେ, ଯଦି ଏବେ ସେଠାରେ ନିର୍ବାଚନ ହୁଏ ତା’ହେଲେ ଶ୍ରୀ ମହାପାତ୍ର ଅତିକମରେ ୧୫ରୁ ୨୦ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହେବାର ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ, ‘ଫୋନି’ ବାତ୍ୟା ଯୋଗୁ ପାଟକୁରା ବିଧାନସଭା ନିର୍ବାଚନ ପ୍ରକ୍ରିୟାକୁ ୬୦ଦିନ ସ୍ଥଗିତ ରଖିଥିବା ନିର୍ବାଚନ କମିଶନଙ୍କୁ ଜୁଲାଇ ୫ତାରିଖ ସୁଦ୍ଧା ଶେଷ କରିବାକୁ ପଡ଼ିବ। ତେଣୁ ନିର୍ବାଚନ ତାରିଖ ଖୁବଶୀଘ୍ର ଘୋଷଣା ହୋଇପାରେ।

Related story