ଛତ୍ରପୁର(ଆଲୋକ ଗୌଡ): ଡିପ୍ ଡିପ୍ରେସନ ପ୍ରଭାବରେ ରାଜ୍ୟରେ ୨ ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ବେହାଲ ହେଲାଣି ଦକ୍ଷିଣ ଓଡ଼ିଶା । ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ଏହା ପ୍ରଭାବରେ ପୁରୁଷୋତ୍ତମପୁରରେ ସତର୍କ ସଙ୍କେତ ଡେଇଁଲା ଋଷିକୁଲ୍ୟା ନଦୀ । ଋଷିକୁଲ୍ୟା ନଦୀର ସତର୍କ ସଙ୍କେତ ୧୫.୮୩ ଥିବା ବେଳେ ବର୍ତ୍ତମାନ ରହିଛି ୧୬.୩୫।
ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏରେ ସତର୍କ ସଙ୍କେତ ଡେଇଁଛି ଋଷିକୁଲ୍ୟା ନଦୀ। । ନଦୀ କୂଳିଆ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ଗଞ୍ଜାମର ୩ଟି ବ୍ଲକ ଓ ଗଜପତିର ୭ଟି ବ୍ଲକ ବେଶି ପ୍ରଭାବିତ ହୋଇଛି । ଗଞ୍ଜାମରେ ୩ ଦିନରେ ୩ଶହ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ଗଜପତିର ୭ ଟି ବ୍ଲକରେ ୧୫୦ ମିମି ବର୍ଷା ହୋଇଛି।
ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଜିଲ୍ଲା ପାତ୍ରପୁର ଆଙ୍କୁଲି ପଞ୍ଚାୟତ ତଡ଼କାସାହି ଓ ଚରିଆବାଡ଼ ରାସ୍ତାରେ ମାଟି ଅତଡ଼ା ଧସିବା ପରେ ଏବେ ବି ସ୍ଥିତି ସ୍ୱାଭାବିକ ହୋଇନାହିଁ । ସ୍ଥିତି ଅନୁଧ୍ୟାନ ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ପ୍ରଶାସନ । ଗତକାଲି ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ମାଟି ଅତଡ଼ା ଧସିଯାଇଥିଲା । ଯାହା ଏବେ ବି ରାସ୍ତା ଉପରେ ପଡ଼ି ରହିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।