ସମ୍ବଲପୁର ଏସ୍‌ପି ଚମ୍ବଲର ରାଜା: ଜାତୀୟ ମହିଳା କମିଶନ ସଦସ୍ୟା

ଭୁବନେଶ୍ୱର:“ରାଜ୍ୟରେ ପୋଲିସର ବର୍ବରତାର ଚରମ ସୀମାରେ ପହଞ୍ଚିଛି। ସମ୍ବଲପୁର ଏସ୍‌ପି ନିଜକୁ ଚମ୍ବଲର ରାଜା ବୋଲି ମଣୁଛନ୍ତି।” ଶନିବାର ଏହିପରି କଡ଼ା ଭାଷାରେ ରାଜ୍ୟ ପୋଲିସ ଉପରେ ବର୍ଷିଛନ୍ତି ଜାତୀୟ ମହିଳା କମିଶନ ସଦସ୍ୟା ସୁଷମା ସାହୁ। ସେ କହିଛନ୍ତି,“ସମ୍ବଲପୁର ଏସ୍‌ପି ନିଜକୁ ଚମ୍ବଲର ରାଜା ବୋଲି ମଣୁଛନ୍ତି। ଚମ୍ବଲ ରାଜା କହିବା ଅର୍ଥ ଏହି ପ୍ରଶାସନିକ ଅଧକାରୀ ଜଣକ ସମ୍ବଲପୁର ଅଞ୍ଚଳରେ ନିଜକୁ ମୁଖିଆ ଭାବୁଛନ୍ତି। ସେ ତାଙ୍କ ମନଇଚ୍ଛା କାର୍ଯ୍ୟ କରୁଛନ୍ତି। ସେ ଯାହା […]

susma

Rakesh Mallick
  • Published: Saturday, 16 July 2016
  • , Updated: 16 July 2016, 10:05 PM IST

ଭୁବନେଶ୍ୱର:“ରାଜ୍ୟରେ ପୋଲିସର ବର୍ବରତାର ଚରମ ସୀମାରେ ପହଞ୍ଚିଛି। ସମ୍ବଲପୁର ଏସ୍‌ପି ନିଜକୁ ଚମ୍ବଲର ରାଜା ବୋଲି ମଣୁଛନ୍ତି।” ଶନିବାର ଏହିପରି କଡ଼ା ଭାଷାରେ ରାଜ୍ୟ ପୋଲିସ ଉପରେ ବର୍ଷିଛନ୍ତି ଜାତୀୟ ମହିଳା କମିଶନ ସଦସ୍ୟା ସୁଷମା ସାହୁ।

ସେ କହିଛନ୍ତି,“ସମ୍ବଲପୁର ଏସ୍‌ପି ନିଜକୁ ଚମ୍ବଲର ରାଜା ବୋଲି ମଣୁଛନ୍ତି। ଚମ୍ବଲ ରାଜା କହିବା ଅର୍ଥ ଏହି ପ୍ରଶାସନିକ ଅଧକାରୀ ଜଣକ ସମ୍ବଲପୁର ଅଞ୍ଚଳରେ ନିଜକୁ ମୁଖିଆ ଭାବୁଛନ୍ତି। ସେ ତାଙ୍କ ମନଇଚ୍ଛା କାର୍ଯ୍ୟ କରୁଛନ୍ତି। ସେ ଯାହା କହୁଛନ୍ତି ତାହା ଠିକ୍‌ ବୋଲି ମଣୁଛନ୍ତି।”

ପୋଲିସର ବର୍ବରତା ନେଇ ସେ କହିଛନ୍ତି,“ପୋଲିସର ବର୍ବରତା ଚରମ ସୀମାରେ ପହଞ୍ଚିଛି। ପୋଲିସ ରାଜ୍ୟରେ ଲୋକଙ୍କ କଥା ଜମାରୁ ଶୁଣୁ ନାହିଁ। ପୋଲିସ ଏଠାରେ ଏକଛତ୍ରବାଦ ଚଳାଇଛି। ପୋଲିସ ଡିଜି ମୋ ସହ ଯେଉଁ ଅସଦାଚରଣ କରିଛନ୍ତି, ମତେ ଅପମାନିତ କରିଛନ୍ତି। ସେଥିପାଇଁ ମୁଁ ବହୁତ ଖରାପ ଅନୁଭବ କରୁଛି।”

ନିମାପଡା ବିଧାୟକଙ୍କ ଉପରେ ବର୍ଷି ସେ କହିଛନ୍ତି,“ନିମାପଡାର ସ୍ଥାନୀୟ ବିଧାୟକ କିଛି ମହିଳାଙ୍କୁ ଦଳରେ ମିଶାଇବାକୁ ବାଧ୍ୟ କରୁଥିଲେ। ଯେତେବେଳେ ଏହି ମହିଳାମାନେ ଦଳରେ ଯୋଗ ଦେବାକୁ ମନା କରଦେଲେ ସେତେବେଳେ ବିଧାୟକ ଜଣକ ର୍ଦୁବ୍ୟବହାର କରିବା ଆରମ୍ଭ କରିଦେଲେ। ତାଙ୍କ ଉପରେ ବହୁ ମାମଲା ରୁଜୁ କରି ତାଙ୍କୁ ଗିରଫ କରାଗଲା।”

ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡା କହିଛନ୍ତି,“ଯଦି ରାଜ୍ୟରେ ଜାତୀୟ ମହିଳା କମିଶନ ସଦସ୍ୟା ସୁରକ୍ଷିତ ମଣୁ ନାହାନ୍ତି ତେବେ ଗାଁ ଗହଳିରେ ଥିବା ସାଧାରଣ ମହିଳା କ’ଣ ସୁରକ୍ଷିତ ମଣୁଥିବେ ତାହା ସହଜରେ ଅନୁମେୟ। ଯଦି ଜଣେ ରାଜ୍ୟର ଡିଜିପି ଜାତୀୟ ମହିଳା କମିଶନ ସଦସ୍ୟାଙ୍କୁ ସମ୍ମାନ ଦେଉନାହାନ୍ତି ତେବେ ଜଣେ ଆଇଆଇସି ଆମଠାରୁ କ’ଣ ଏଫ୍‌ଆଇଆର ଗ୍ରହଣ କରିବେ ତାହା ଜଣାପଡୁଛି।”

ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା କହିଛନ୍ତି,“ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସମ୍ମାନ ଦିଅନ୍ତି ନାହିଁ, ସେଥିପାଇଁ ଏ ରାଜ୍ୟର ପୋଲିସ ମହିଳାଙ୍କୁ ସମ୍ମାନ ଦେଉନାହିଁ। ପୋଲିସ ଡିଜି ଆଜି ମହିଳାଙ୍କୁ ବେଖାତିର କରିଛନ୍ତି। ମହିଳାଙ୍କୁ ନ୍ୟାୟ ଦେବାକୁ କେହି ନାହାନ୍ତି।”

ଏହି ଅଭିଯୋଗକୁ ଖଣ୍ଡନ କରି ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି,“ଜାତୀୟ ମହିଳା କମିଶନ ସଦସ୍ୟା ଓଡ଼ିଶାକୁ ରାଜନୀତି କରିବାକୁ ଆସିଛନ୍ତି। ତାଙ୍କ ଉଦ୍ଦେଶ୍ୟ ଭିନ୍ନ ରହିଛି। ସେ ଯେଉଁ ଅଭିଯୋଗ ଆଣିଛନ୍ତି ତାହାର କୌଣସି ସତ୍ୟତା ନାହିଁ କି କିଛି ପ୍ରାସଙ୍ଗିକତା ନାହିଁ।”

ହନୁମାନ ଜୟନ୍ତୀ ବେଳେ ମହିଳାଙ୍କୁ ରାତି ଅଧରେ ଗିରଫ, ରାସନକାର୍ଡଧାରୀ ମହିଳାଙ୍କୁ ଗିରଫ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତପୂର୍ବରୁ କିଛି ମହିଳାଙ୍କୁ ଗିରଫ ପରି ୫ଟି ପ୍ରସଙ୍ଗରେ ତଦନ୍ତ କରିବାକୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ଜାତୀୟ ମହିଳା କମିଶନ ସଦସ୍ୟା ସୁଷମା ସାହୁ। ତେବେ ପୋଲିସ ସହଯୋଗ ନ କରିବାରୁ ସେ ଖପ୍ପା ହୋଇ ଗୃହ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ବୋଲି କହିଛନ୍ତି। ଅବଶ୍ୟକ ପଡିଲେ କମିଶନ ପୋଲିସ ଡିଜିଙ୍କୁ ମଧ୍ୟ ସମନ କରିବ ବୋଲି କହିଛନ୍ତି କମିଶନର ସଦସ୍ୟା।

Related story