ଜଗତସିଂହପୁର (ଓଡ଼ିଶା ରିପୋର୍ଟର) ବିବାହ ବନ୍ଧନରେ ବାନ୍ଧି ହେବେ ଓଡ଼ିଶାର ଛପାକ ଗାର୍ଲ ପ୍ରମୋଦିନୀ ରାଉଳ। ଆଜି ପ୍ରମୋଦିନୀ ନିଜର ବନ୍ଧୁ ସରୋଜଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିବେ । ଏସିଡ୍ ଆକ୍ରମଣରେ ପ୍ରମୋଦିନୀଙ୍କ ସମ୍ପୂର୍ଣ୍ଣ ଚେହେରା ଜଳିଯାଇଥିଲା ବି ତାଙ୍କ ହୃଦୟକୁ ଭଲ ପାଇଛନ୍ତି ସରୋଜ। ପ୍ରମୋଦିନୀଙ୍କ ଜୀବନ ସଂଗ୍ରାମରେ ସହଯୋଗର ହାତ ବାଇଛନ୍ତି ସରୋଜ । ଦୀର୍ଘ ୫ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ପରିବାରର ସହମତି କ୍ରମେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ନିଆରା ଯୋଡ଼ି।
୨୦୦୯ ମସିହାରେ ର୍ତିତ୍ତୋଲସ୍ଥିତ ଆଦିକବି ସାରଳା ଦାସ କଲେଜରେ ଯୁକ୍ତ ୨ ପଢ଼ୁଥିବା ସମୟରେ ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ ପ୍ରମୋଦିନୀ । ୨୦୦୯ ଏପ୍ରିଲ ୧୮ ତାରିଖରେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ପ୍ରମୋଦିନୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ୨୦୦୯ରୁ ୨୦୧୪ ମସିହା ପର୍ଯ୍ୟନ୍ତ କୋମାରେ ହିଁ ରହିଥିଲେ । ଏହା ପରେ ପ୍ରମୋଦିନୀ ଧୀରେଧୀରେ ସୁସ୍ଥ ହେବା ଆରମ୍ଭ କରିଥିଲେ ।
୨୦୧୬ ମସିହାରେ ସରୋଜଙ୍କ ସହ ତାଙ୍କର ଭେଟ ହୋଇଥିଲା। ସରୋଜ, ପ୍ରମୋଦିନୀଙ୍କର ଅବଶିଷ୍ଟ ଚିକିତ୍ସାରେ ସହଯୋଗ କରିବା ସହ ତାଙ୍କର ସେବାଯତ୍ନ ମଧ୍ୟ କରିଥିଲେ। ଏହି ସମୟରେ ଉଭୟ ଉଭୟଙ୍କୁ ଭଲ ପାଇ ବସିଥିଲେ । ୨୦୧୮ ମସିହା ଲକ୍ଷ୍ନୌର ଶିରୋଜ କାଫେରେ ଏକ ସମାରୋହରେ ଉଭୟଙ୍କର ର୍ନିବନ୍ଧ ହୋଇଥିଲା । ଏବେ ଉଭୟ ପରିବାରର ସ୍ୱୀକୃତି ଓ ସାମାଜିକ ରୀତିନୀତିରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଜଗତସିଂହପୁରସ୍ଥିତ ପ୍ରମୋଦିନୀଙ୍କ ବାସଭବନରେ ଉଭୟଙ୍କର ବିବାହ ସମ୍ପନ୍ନ ହେବ ଏବଂ ଏକ ନିଆରା ପ୍ରେମର ନିଦର୍ଶନ ଦେଖିବାକୁ ମିଳିବ।